ଆଜି ଶାରଜାରେ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ମୁକାବିଲା, ଧୋନୀ ବାହିନୀ ପାଇଁ ‘କର ବା ମର’ ସ୍ଥିତି

Published By : Prameya-News7 Bureau | October 23, 2020 IST

ଶାରଜା ୨୩।୧୦: ଆଇପିଏଲ ୧୩ତମ ସଂସ୍କରଣର ୪୩ତମ ମ୍ୟାଚ୍‌ରେ ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ। ଏହି ମ୍ୟାଚ୍‌ ଚେନ୍ନାଇ ପାଇଁ କର ବା ମର ପାଲଟିଛି। ଯଦି ଆଜି ଚେନ୍ନାଇ ପରାଜିତ ହୁଏ ତେବେ ପ୍ଲେ ଅଫ ଦୌଡରୁ ବାଦ୍‌ ପଡିବ। ମୁମ୍ବାଇ ଜିତିଲେ ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ପହଞ୍ଚିବ। ଆଇପିଏଲର ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ମୁମ୍ବାଇ ଇଣ୍ଡିଆନ୍ସକୁ ପରାଜିତ କରିବା ପରଠୁ ଦଳର ପ୍ରଦର୍ଶନ ନିମ୍ନଗାମୀ ହେବାରେ ଲାଗିଛି। ଆଇପିଏଲ ଇତିହାସରେ ପ୍ରଥମ ଥର ଦଳ ପ୍ଲେଅଫ୍‌ରୁ ବାଦ୍‌ ପଡିବାର ଦ୍ଵାର ଦେଶରେ ଛିଡା ହୋଇଛି।

ଚେନ୍ନାଇ ସୁପରକିଙ୍ଗ୍ସ ଏ ପର୍ଯ୍ୟନ୍ତ ୧୦ଟି ମ୍ୟାଚ୍‌ରୁ ୭ଟିରେ ପରାଜିତ ହୋଇଥିବା ବେଳେ ମାତ୍ର ୩ଟିରେ ବିଜୟୀ ହୋଇଛି। ଦଳ ୬ ପଏଣ୍ଟ ସହ ଟେବୁଲର ସର୍ବ ନିମ୍ନ ସ୍ଥାନରେ ରହିଛି। ଦଳକୁ ପ୍ଲେଅଫରେ ପ୍ରବେଶ କରିବା ମୁସ୍କିଲ ହୋଇ ପଡିଛି।

ଅନ୍ୟପଟେ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଶକ୍ତିଶାଳୀ ମୁମ୍ବାଇ ଇଣ୍ଡିଆନ୍ସ ୯ଟି ମ୍ୟାଚ୍‌ରୁ ୬ ବିଜୟ ସହିତ ତାଲିକାର ତୃତୀୟରେ ରହିଛି। ଦଳର ନେଟ୍ ରନ ରେଟ୍ ମଧ୍ୟ ସବୁ ଦଳକୁ ଭଲ ରହିଛି। ୧୬ ପଏଣ୍ଟ ହାସଲ କଲେ ପ୍ଲେ ଅଫରେ ପହଞ୍ଚିବା ସୁନଶ୍ଚିତ ହୋଇଥାଏ। ଏପର୍ଯ୍ୟନ୍ତ କୌଣସି ଦଳକୁ ୧୬ ପଏଣ୍ଟ ମିଳିନାହିଁ। ହେଲେ ଶୀର୍ଷ ୫ରେ ମୁମ୍ବାଇ ବ୍ୟତୀତ ଦିଲ୍ଲୀ, ବେଙ୍ଗାଲୁରୁ ଓ ହାଇଦ୍ରାବାଦର ୪-୪ ମ୍ୟାଚ୍ ବାକି ରହିଛି।

ଅପରପକ୍ଷେ ଚେନ୍ନାଇକୁ ଗତ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୭ ଓ୍ଵିକେଟ୍‌ରେ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ୫ ଓ୍ଵିକେଟ୍‌ରେ ପରାଜିତ କରିଥିଲା। ଫଳରେ ଦଳର ମନବୋଳ ଭାଙ୍ଗି ସାରିଛି। ଅନ୍ୟପଟେ ମୁମ୍ବାଇର ଗତ ମ୍ୟାଚ୍‌ ପଞ୍ଜାବ ବିପକ୍ଷରେ ଟାଇ ରହିଥିଲା। ଏହା ପରେ ଦୁଇ ଦୁଇଟି ସୁପର ଓଭରରେ ଲୋକେଶ ରାହୁଲଙ୍କ ଦଳ ବାଜି ମାରି ନେଇଥିଲା।

ଚେନ୍ନାଇ ସୁପର କିଙ୍ଗ୍ସ ଯଦି ମୁମ୍ବାଇକୁ ପରାସ୍ତ କରେ ତେବେ ଏହାର ୮ ପଏଣ୍ଟ ହୋଇଯିବ। ନେଟ୍ ରନ ରେଟ୍ ଆଧାରରେ ଦଳକୁ ୫ ନମ୍ବରରେ ସ୍ଥାନ ମିଳିପାରେ। ହେଲେ ପ୍ଲେଅଫ୍‌ରେ ଜାଗା ପାଇଁ ବାକି ସମସ୍ତ ମ୍ୟାଚ୍‌ କେବଳ ଜିତିବାକୁ ପଡିବ ନାହିଁ ବରଂ ବଡ ବ୍ୟବଧାନରେ ଜିତିବାକୁ ପଡିବ। କେବଳ ଏତିକି ନୁହେଁ ଦଳକୁ ଅନ୍ୟ ଦଳର ପ୍ରଦର୍ଶନ ଉପରେ ମଧ୍ୟ ନିର୍ଭର କରିବାକୁ ପଡିବ।

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଶାରଜା ମ୍ୟାଚ୍‌ରେ ଯଦି ଚେନ୍ନାଇ ସୁପର କିଙ୍ଗ୍ସ ପରାଜିତ ହୁଏ ତେବେ ପ୍ଲେଅଫ ରାସ୍ତା ବନ୍ଦ ହୋଇଯିବ। ଦଳ ୬ ପଏଣ୍ଟରେ ରହିଯିବ ଏବଂ ମୁମ୍ବାଇର ୧୪ ପଏଣ୍ଟ ହୋଇଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.