ଡୁପ୍ଲେସିସ୍‌ଙ୍କ ଅର୍ଦ୍ଧଶତକ ପରେ ଗର୍ଜିଲା ରାୟୁଡୁ ଓ ଜାଡେଜାଙ୍କ ବ୍ୟାଟ୍, ଦିଲ୍ଲୀକୁ ୧୮୦ରନର ବିଜୟ ଲକ୍ଷ୍ୟ ଦେଲା ଚେନ୍ନାଇ

Published By : Prameya-News7 Bureau | October 17, 2020 IST

ଶାରଜା ୧୭।୧୦: ଶାରଜାରେ ଖେଳାଯାଉଥିବା ଆଇପିଏଲର ୩୪ତମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ଫାଫ ଡୁପ୍ଲେସିସ୍‌ଙ୍କ ଅର୍ଦ୍ଧଶତକ ପରେ ଅମ୍ବତି ରାୟୁଡୁ ଓ ରବିନ୍ଦ୍ର ଜାଡେଜାଙ୍କ ଦ୍ରୁତ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ୧୮୦ ରନର ବିଜୟ ଲକ୍ଷ୍ୟ ରଖିଛି। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଫାଫ୍ ଡୁପ୍ଲେସିସ୍‌ଙ୍କ ୫୮ ରନ, ଅମ୍ବତି ରାୟୁଡୁଙ୍କ ଦ୍ରୁତ ୪୫ ରନ ଏବଂ ଜାଡେଜାଙ୍କ ୩୩ ରନ ଅପରାଜିତ ଇନିଂସ ବଳରେ  ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୭୯ ରନ କରିଛି। ଏବେ ସବୁ ମ୍ୟାଚ୍‌ ଚେନ୍ନାଇ ପାଇଁ ଜିତିବା ଜରୁରୀ ହୋଇ ପଡିଛି। ପରାଜିତ  ହେଲେ ଦଳ ପ୍ଲେଅଫ ଦୌଡରୁ ବାଦ୍‌ ପଡିଆର ଆଶଙ୍କା ରହିଛି। ଅନ୍ୟପଟେ ଦିଲ୍ଲୀ ଏହି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଶୀର୍ଷକୁ ଯିବାକୁ ଚେଷ୍ଟା କରିବ।

ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇକୁ ବିନା ସ୍କୋରରେ ସାମ କରନଙ୍କ ରୂପେ ଝଟକା ଲାଗିଥିଲା। ଏହା ପରେ ଫାଫ ଡୁପ୍ଲେସିସ୍‌ ଓ ସେନ ଓ୍ଵାଟସନ ଦଳର ବ୍ୟାଟିଂ ଭାର ସମ୍ଭାଳିଥିଲେ। ଉଭୟ ଦ୍ରୁତ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍‌ରେ ୮୭ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ। ଓ୍ଵାଟସନଙ୍କୁ ବୋଲ୍ଡ କରି ନୋତର୍ଜେ ଏହି ଭାଗିଦାରୀ  ଭାଙ୍ଗିଥିଲେ। ସେନ ଓ୍ଵାଟସନ ୨୮ ବଲରୁ ୬ ଚୌକା ସହ ୩୬ ରନ କରି ଥିଲେ।

ଦମଦାର ଫର୍ମରେ ଥିବା ଫାଫ୍ ଡୁପ୍ଲେସିସ୍‌ ଚଳିତ ଆଇପିଏଲରେ ଆଉ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ୧୦୯ ରନ ସ୍କୋରରେ ଡୁପ୍ଲେସିସ୍‌ ରାବଡାଙ୍କ ବଲରେ ଆଉଟ୍ ହୋଇଥିଲେ। ସେ ୪୭ ବଲରୁ ୬ ଚୌକା ଓ ୨ ଛକା ସହ ୫୮ ରନର ଉପଯୋଗୀ ଇଂନିସ ଖେଳିଥିଲେ। ଧୋନୀ ପୁଣି ଥରେ ବିଫଳ ହୋଇ ମାତ୍ର ୩ ରନ କରି ପାଭିଲିୟନ ଫେରିଥିଲେ। ଶେଷ ଆଡକୁ ଅମ୍ଵତି ରାୟୁଡୁ ଓ ରବୀନ୍ଦ୍ର ଜାଡେଡା ଦ୍ରୁତ ବ୍ୟାଟିଂ କରିବାରୁ ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୭୯ ରନ କରିଛି। ରାୟୁଡୁ ୨୫ ବଲରୁ ୧ ଚୌକା ଓ ୪ ଛକା ସହ ୪୫ ରନ ଏବଂ ଜାଡେଜା ୧୩ ବଲରୁ ୪ ଛକା ସହ ୩୩ ରନ କରି ଅପରାଜିତ ଥିଲେ। ରାୟୁଡୁ ଓ ଜାଡେଜା ଅବିଭାଜିତ ପଞ୍ଚମ ଓ୍ଵିକେଟ୍ ପାଇଁ ଦ୍ରୁତ ୫୦ ରନ ଯୋଡିଥିଲେ।

ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଅନରିଚ ନୋତର୍ଜେ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ତୁଷାର ଦେଶପାଣ୍ଡେ ଓ କାଗିସୋ ରାବଡା ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.