IPL 2020: ଦିଲ୍ଲୀ ଓ ହାଇଦ୍ରାବାଦକୁ ବଡ ଝଟକା, ଅମିତ୍ ମିଶ୍ର ଓ ଭୁବନେଶ୍ଵର କୁମାର ଟୂର୍ଣ୍ଣାମେଣ୍ଟରୁ ବାହାର

Published By : Prameya-News7 Bureau | October 05, 2020 IST

ଦୁବାଇ ୦୫।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୩ତମ ସଂସ୍କରଣରେ ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଛି ଜୋରଦାର ଝଟକା। ଦୁଇ ଫ୍ରାଞ୍ଚାଇଜିର ମ୍ୟାଚ୍‌ ଓ୍ଵିନର ବୋଲର ଆଘାତଜନିତ କାରଣରୁ ଟୂର୍ଣ୍ଣାମେଣ୍ଟରୁ ବାହାରି ଯାଇଛନ୍ତି। ହାଇଦ୍ରାବାଦର ଭୁବନେଶ୍ଵର କୁମାର ଜଙ୍ଘରେ ଏବଂ ଅମିତ୍ ମିଶ୍ରଙ୍କ ଆଙ୍ଗୁଠିରେ ଆଘାତ ଲାଗିବାରୁ ଉଭୟ ଖେଳାଳି ଚଳିତ ଆଇପିଏଲରୁ ଓହରି ଯାଇଛନ୍ତି।

ଦିଲ୍ଲୀ ଆଜି ସନ୍ଧ୍ୟାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ମ୍ୟାଚ୍‌ ପାଇଁ ପଡିଆକୁ ଓହ୍ଲାଇବା ପୂର୍ବରୁ ଦଳକୁ ଏହି ଝଟକା ଲାଗିଛି। ବରିଷ୍ଠ ସ୍ପିନର ଅମିତ୍ ମିଶ୍ର ଆଙ୍ଗୁଠିରେ ଆଘାତ ଲାଗିବା କାରଣରୁ ଟୂର୍ଣ୍ଣାମେଣ୍ଟରୁ ବାହାର ହୋଇ ଯାଇଛନ୍ତି। ସାରଜାରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍‌ ସମୟରେ ମିଶ୍ର ଆହତ ହୋଇଥିଲେ।

ଅମିତ୍ ମିଶ୍ର ଆଇପିଏଲରେ ସର୍ବାଧିକ ଓ୍ଵିକେଟ୍ ନେବା ମାମଲାରେ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ସେ ଆଇପିଏଲରେ ଏ ପର୍ଯ୍ୟନ୍ତ ୧୬୦ ଓ୍ଵିକେଟ୍ ନେଇ ସାରିଛନ୍ତି। ୧୭୦ ଓ୍ଵିକେଟ୍ ସହିତ ଲସିଥ ମାଲିଙ୍ଗା ଶୀର୍ଷରେ ଅଛନ୍ତି। ଯଦି ସେ ପୂରା ଟୂର୍ଣ୍ଣାମେଣ୍ଟ ଖେଳିଥାନ୍ତେ ତେବେ ଓ୍ଵିକେଟ୍ ନେବାରେ ମାଲିଙ୍ଗାଙ୍କୁ ପଛରେ ପକାଇଥାନ୍ତେ।

ଅନ୍ୟପଟେ ଭୁବନେଶ୍ଵର ଅକ୍ଟୋବର ୨ରେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ଶେଷ ଓଭର ବୋଲିଂ କରିବା ବେଳେ ଆହତ ହୋଇଥିଲେ। ଏହି କାରଣରୁ ସେ ଓଭର ପୂରା କରିପାରିନଥିଲେ। ତାଙ୍କ ସ୍ଥାନରେ ଖଲିଲ ଅହମ୍ମଦ ୧୯ତମ ଓଭର ବୋଲିଂ କରିଥିଲେ। ଆହତ ହୋଇ ଭୁବନେଶ୍ଵର କୁମାର ଟୂର୍ଣ୍ଣାମେଣ୍ଟରୁ ବାହାରିଯିବା ସନରାଇଜର୍ସ  ହାଇଦ୍ରାବାଦ ପାଇଁ ବଡ ଝଟକା। ଏହି ଦ୍ରୁତ ବୋଲର ଦଳର ସଫଳତାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇ ଆସିଛି। ଏହା ପୂର୍ବରୁ ଦଳରୁ ମିଚେଲ ମାର୍ଶ ଆହତ କାରଣରୁ ଟୂର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.