ଆଇପିଏଲ-୨୦୨୦ ଅରେଞ୍ଜ୍ କ୍ୟାପ୍‌ରେ ୫ ସମ୍ଭାବ୍ୟ ଦାବିଦାର, ଫଟାଫଟ୍ କ୍ରିକେଟରେ ଗର୍ଜିବ ଏମାନଙ୍କ ବ୍ୟାଟ୍

Published By : Prameya-News7 Bureau | September 07, 2020 IST

ନୂଆଦିଲ୍ଲୀ, ୦୭।୦୯:   ଆଇପିଏଲ-୨୦୨୦ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି । ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । କ୍ରିକେଟ ଜଗତର କିଛି ଲୋକପ୍ରିୟ ଖେଳାଳି ଚଳିତ ଆଇପିଏଲରେ ନଜର ଆସିବେ । ଏହି ଖେଳାଳିଙ୍କ ଉପରେ ପ୍ରଶଂସକଙ୍କ ସ୍ୱତନ୍ତ୍ର ଧ୍ୟାନ ରହିବ । ଦୀର୍ଘଦିନ ପରେ ପ୍ରଶଂସକମାନେ ନିଜ ମନ ପସନ୍ଦ ଖେଳାଳିଙ୍କ ମ୍ୟାଚ୍ ଦେଖିବାକୁ ଉତ୍ସାହିତ ରହିବେ ।

ତେବେ କେଉଁ ବ୍ୟାଟସମ୍ୟାନ୍ ସର୍ବାଧିକ ରନ୍ ସ୍କୋର୍ କରି ଅରେଞ୍ଜ୍ କ୍ୟାପ୍ ପିନ୍ଧିବେ ତାହା ଉପରେ ରହିଛି ସମସ୍ତଙ୍କ ନଜର । କାରଣ ୟୁଏଇ ପିଚରେ ଅଧିକ ରନ୍ କରିବା ସମ୍ଭବପର ନୁହେଁ । ଏହି ପିଚ୍ ସ୍ପିନରଙ୍କୁ ସୁହାଇଥାଏ । ଏହି ପିଚରେ କେଉଁ ଖେଳାଳି ଦ୍ରୁତ ରନ୍ ସଂଗ୍ରହ କରିବେ ତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ୍ । ଆସନ୍ତୁ ନଜର ପକାଇବା ଚର୍ଚ୍ଚାରେ ଥିବା କିଛି ଖେଳାଳିଙ୍କ ଉପରେ ।

ଡେଭିଡ୍ ଓ୍ୱାର୍ଣ୍ଣର( ସନରାଇଜର୍ସ ହାଇଦ୍ରାବାଦ)

ସନରାଇଜର୍ସ ହାଇଦ୍ରାବାଦର ଖେଳାଳି ଡେଭିଡ୍ ଓ୍ୱାର୍ଣ୍ଣର ସ୍ଲୋ ପିଚ୍ ଓ ସ୍ଲୋ ବୋଲିଂର ସାମ୍ନା କରିବାରେ ପରିଚିତ । ସେ ସମ୍ପୂର୍ଣ୍ଣ ଶକ୍ତି ଲଗାଇ ସଟ୍ ଖେଳିଥାନ୍ତି । କିପରି ରନ୍ ସଂଗ୍ରହ କରିହେବ ତାହା ଉପରେ ମଧ୍ୟ ଧ୍ୟାନ ଦିଅନ୍ତି । ଗତ ସିଜିନରେ ସେ ୧୨ଟି ମ୍ୟାଚ୍ ଖେଳି ୬୯୨ ରନ୍ ସଂଗ୍ରହ କରିଥିଲେ । ଏପରିକି ଅରେଞ୍ଜ୍ କ୍ୟାପ୍ ମଧ୍ୟ ହାସଲ କରିଥିଲେ । ଚଳିତ ବର୍ଷ ମଧ୍ୟ ସେ ଅରେଞ୍ଜ୍ କ୍ୟାପ୍ ପାଇଁ ପ୍ରମୁଖ ଦାବିଦାର ।

ବିରାଟ କୋହଲି

ଚ୍ୟାଲେଞ୍ଜର ସାମ୍ନା କରିବା କଥା ନଜରକୁ ଆସିଲେ ବିରାଟ କୋହଲିଙ୍କ ବ୍ୟତୀତ ଆଉ କୌଣସି ଖେଳାଳିଙ୍କ ନାଁ ସାମ୍ନାକୁ ଆସି ନଥାଏ । ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ଅଟନ୍ତି । ସେ ଅନେକ ଥର କଷ୍ଟସାଧ୍ୟ ସ୍ଥିତିରୁ ଦଳକୁ ଉଦ୍ଧାର କରିଚନ୍ତି । ସେ ଗତ କିଛି ଦିନ ଧରି ବଡ ସ୍କୋର କରିନଥିଲେ ମଧ୍ୟ ୟୁଏଇରେ କରିସ୍ମା ଦେଖାଇବେ ବୋଲି ତାଙ୍କ ଫ୍ୟାନ୍ ମାନେ ଆଶା କରୁଛନ୍ତି ।

ଆରୋନ୍ ଫିଞ୍ଚ୍

ଆରସିବିର ଆଉ ଜଣେ ଖେଳାଳି ଆରୋନ ଫିଞ୍ଚଙ୍କ ଉପରେ ରହିଛି ସମସ୍ତଙ୍କ ନଜର । ସେ ଅରେଞ୍ଜ୍ କ୍ୟାପ ପାଇଁ ମଧ୍ୟ ଜଣେ ପ୍ରମୁଖ ଦାବିଦାର । ସେ ମଧ୍ୟକ୍ରମରେ ନିଜ ବ୍ୟାଟିଂ ଦକ୍ଷତା ଦେଖାଇ ସାରିଛନ୍ତି । ଏହାସହ ଲିମିଟେଡ୍ ଓଭର ଫର୍ମାଟରେ ସେ ଭଲ ପ୍ରଦର୍ଶନ କରିଥାନ୍ତି ।

ଶୁବମନ୍ ଗିଲ୍

ରବିନ ଉଥାପ୍ପା ଓ କ୍ରିସ୍ ଲିଓନଙ୍କ ବ୍ୟତୀତ କୋଲକାତା ନାଇଟ୍ ରାଇଡର୍ସର ଆଉ ଜଣେ ବ୍ୟାଟସମ୍ୟାନ୍ ହେଲେ ଶୁବମନ୍ ଗିଲ୍ । ସେ ଚଳିତ ଆଇପିଏଲରେ ଦଳ ପାଇଁ ଓପନିଂ କରିପାରନ୍ତି । ସେ ବିପକ୍ଷ ବୋଲରଙ୍କୁ ଚକମା ଦେବାରେ ଧୂରନ୍ଧର । ବଡ ସ୍କୋର କରିବାରେ ମଧ୍ୟ ସେ କ୍ଷମତା ରଖନ୍ତି ।

କେଏଲ ରାହୁଲ

କିଙ୍ଗସ୍ ଏକଦାଶ ପଞ୍ଜାବର ଖେଳାଳି କେଏଲ ରାହୁଲ ଗତ ବର୍ଷ ମଧ୍ୟ ଅରେଞ୍ଜ କ୍ୟାପ୍ ରେସରେ ରହିଥିଲେ । ଅନ୍ତର୍ଜାତୀୟ କ୍ୟାରିଅରରେ ରାହୁଲ ଗତ କିଛି ମ୍ୟାଚରେ ଆକର୍ଷଣୀୟ ପ୍ରଦର୍ଶନ କରିଛନ୍ତି । ଏହାସହ ସେ ଭଲ ଓ୍ୱିକେଟ୍ ରକ୍ଷକ ମଧ୍ୟ । ସେ କୌଣସି କ୍ରମରେ ବ୍ୟାଟିଂ  କରିବାକୁ ସକ୍ଷମ ଥିବା ପ୍ରମାଣ କରି ସାରିଛନ୍ତି । ତେଣୁ ତାଙ୍କୁ ଅରେଞ୍ଜ୍  କ୍ୟାପ୍ ପାଇଁ ପ୍ରମୁଖ ଦାବିଦାର ଭାବେ ଗଣାଯାଏ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.