ଆଇପିଏଲ ୨୦୨୦: କେବେ ଓ କେଉଁଠି ଖେଳାଯିବ ମ୍ୟାଚ୍, କେଉଁ ତାରିଖରେ ଫାଇନାଲ୍, ଜାଣନ୍ତୁ ସମସ୍ତ ତଥ୍ୟ
24/07/2020 at 3:53 PM

ନୂଆଦିଲ୍ଲୀ, ୨୪|୦୭: ଦୀର୍ଘ ଦିନର ଅପେକ୍ଷା ପରେ ଆଇସିସି ଟି୨୦ ବିଶ୍ୱକପକୁ ସ୍ଥଗିତ କରିବା ନେଇ ନିଷ୍ପତ୍ତି ନେଇଛି । ଏହାପରେ ଆଇପିଏଲ ଆୟୋଜନ ନେଇ ରାସ୍ତା ସଫା ହୋଇଯାଇଛି । ବିସିସିଆଇ ଆଇପିଏଲର ଖେଳସୂଚୀ ପ୍ରସ୍ତୁତ କରିସାରିଛି । ଏବାବଦରେ ଫ୍ରାଞ୍ଚାଇଜି ଓ ବ୍ରଡକାଷ୍ଟରଙ୍କୁ ମଧ୍ୟ ସୂଚନା ଦିଆଯାଇଥିବା ଖବର ମିଳିଛି ।
ବିସିସିଆଇ ସୂତ୍ରାନୁସାରେ, ଆଇପିଏଲ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ । ନଭେମ୍ବର ୮ରେ ଫାଇନାଲ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ୫୧ ଦିନ ଧରି ଖେଳାଯିବ । ସମସ୍ତ ଖେଳସୂଚୀ ପ୍ରସ୍ତୁତ ସରିଛି । ପ୍ରଥମେ ସେପ୍ଟେମ୍ବର ୨୬ରେ ଆଇପିଏଲର ଆରମ୍ବ ହେବ ବୋଲି କୁହାଯାଉଥିଲା । ତେବେ ବିସିସିଆଇ ଦଳକୁ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଅଭ୍ୟାସ ପାଇଁ ଭରପୁର ସମୟ ଦେବାକୁ ଚାହୁଁଛି ।
ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳ ୧୪ ଦିନ ପାଇଁ କ୍ୱାରେଣ୍ଚାଇନରେ ରହିବ । ଯଦି ଆଇପିଏଲ ବିଳମ୍ବିତ ହୁଏ ତେବେ ଖେଳାଳିଙ୍କ ପାଇଁ ସମସ୍ୟା ଉପୁଜିପାରେ । ଆଇପିଏଲର ୫୧ ଦିନିଆ ଟୁର୍ଣ୍ଣାମେଣ୍ଟରେ ଡବ୍ ହେଡର୍ କମ ହେବ । କେବଳ ପାଞ୍ଚୋଟି ଡବଲ୍ ହେଡର୍ ମ୍ୟାଚ୍ ଖେଳାଯିବ । ସେହିପରି ଦଳ ଅଗଷ୍ଟ ୨୦ରୁ କ୍ୟାମ୍ପ ଆରମ୍ଭ କରିବ ।
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ଆଇପିଏଲ ୨୦୨୦ ସନ୍ଧ୍ୟା ୭ଟା ୩୦ରୁ ଆରମ୍ଭ ହେବ । ଭାରତୀୟ ସମୟାନୁସାରେ ଏହା ୮ଟାକୁ ଆରମ୍ଭ ହେଉଥିଲା । ୭ଟା ୩୦ରେ ଟସ୍ ପଡୁଥିଲା । ତେବେ ୟୁଏଇରେ ମ୍ୟାଚ୍ ଆରମ୍ଭ ହେଉଥିବାରୁ ସମୟରେ ପରିବର୍ତ୍ତନ ହୋଇପାରେ ।