IPL 2020: ଆଇପିଏଲ୍‌ ପାଇଁ ଖୁସି ଡିଭିଲିୟର୍ସ, କହିଲେ- ୟୁଏଇରେ ଖେଳାଳିଙ୍କ ପାଇଁ ରହିଛି ବଡ଼ ଚ୍ୟାଲେଞ୍ଜ୍‌

Published By : Prameya-News7 Bureau | September 17, 2020 IST

ନୂଆଦିଲ୍ଲୀ ୧୭/୦୯: ଆଇପିଏଲ୍ ୨୦୨୦ ମହାସମର ଆରମ୍ଭ ହେବାକୁ ଯାଉଛି। ମଝିରେ ମାତ୍ର ଗୋଟିଏ ଦିନ, ୧୯ ସେପ୍ଟେମ୍ବରରେ ଆରମ୍ଭ ହେବ ମ୍ୟାଚ୍‌। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌(ସିଏସ୍‌କେ) ଓ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ମୁହାଁମୁହିଁ ହେବେ । ସେପଟେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର(ଆରସିବି)ର ଷ୍ଟାର ପ୍ଲେୟର ଏବି ଡିଭିଲିୟର୍ସ ଦେଇଥିବା ମନ୍ତବ୍ୟ ଏବେ ଟିମ୍‌ ପାଇଁ ଚିନ୍ତାର କାରଣ ପାଲଟିଛି ।  ଯଦିଓ ସେ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ ଅଛନ୍ତି କିନ୍ତୁ ୟୁଏଇରେ ଖେଳିବା ଆହ୍ବାର୍ଣ୍ଣପୂର୍ଣ୍ଣ ବୋଲି କହିଛନ୍ତି ଡିଭିଲିୟର୍ସ ।

ଆସନ୍ତା ଆଇପିଏଲ୍‌-୧୩ରେ ୟୁଏଇର ଉଷ୍ମ ଜଳବାୟୁ ସବୁ ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ଡିଭିଲିୟର୍ସ ଚେତେଇ ଦେଇଛନ୍ତି । ଟୁର୍ଣ୍ଣାମେଣ୍ଟର ଅଧିକାଂଶ ମ୍ୟାଚ୍‌ ରାତିରେ ଖେଳାଯିବାକୁ ଥିବା ବେଳେ ଅତ୍ୟଧିକ ଗରମ ପ୍ରତ୍ୟେକ ଦଳ ଓ ଖେଳାଳିମାନଙ୍କ ପାଇଁ ଚ୍ୟାଲେଞ୍ଜ ସଦୃଶ ରହିବ ବୋଲି ଡିଭିଲିୟର୍ସ କହିଛନ୍ତି। ଏହାସହ ୟୁଏଇରେ ଅଧିକ ଗରମ ପରିସ୍ଥିତିରେ ଖେଳିବା ଏତେଟା ସହଜ ହେବନି ।  ବ୍ୟକ୍ତିଗତ ଭାବେ ମୁଁ ଏଭଳି ଜଳବାୟୁ ସହ ଅଭ୍ୟସ୍ତ ନୁହେଁ ବୋଲି କହିଛନ୍ତି ଡିଭିଲିୟର୍ସ  ।

ପୂର୍ବର ଏକ ଅନୁଭୂତି ବଖାଣିଛନ୍ତି ଡିଭିଲିୟର୍ସ । ପୂର୍ବରୁ ଚେନ୍ନାଇରେ ଜୁଲାଇ ମାସରେ ଆୟୋଜିତ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚ୍‌ ବେଳେ  ଅଧିକ ଗରମ ଅନୁଭୂତ ହୋଇଥିଲା । ଏହି ମ୍ୟାଚ୍‌ରେ ବୀରେନ୍ଦ୍ର ସେହୱାଗ୍‌ ତ୍ରିଶତକ ହାସଲ କରିଥିଲେ । ୟୁଏଇରେ ପହଞ୍ଚିବା ପରେ ଜଳବାୟୁ ପ୍ରଦର୍ଶନରେ ପ୍ରଭାବ ପକାଇବ ବୋଲି ଜାଣି ପାରିଥିଲି । ତେଣୁ ଉଭୟ ଇନିଂସ୍‌ର ଶେଷ ୫ ଗୁରୁତ୍ୱପୂର୍ଣ୍ଣ ଓଭରରେ ଆମକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି ଡିଭିଲିୟର୍ସ କହିଛନ୍ତି ।

ଅନ୍ୟପଟେ ଏଥର ଆଇପିଏଲରେ ଭାରତୀୟ ଦର୍ଶକଙ୍କୁ ମିସ୍‌ କରିବେ ବୋଲି କହିଛନ୍ତି ଡିଭିଲିୟର୍ସ। ଏହାସହ ବିନା ଦର୍ଶକରେ ମ୍ୟାଚ୍‌ ଖେଳିବା କିଛି ନୂଆ କଥା ନୁହେଁ ଏଭଳି ମ୍ୟାଚ୍‌ ଖେଳିବାର ଅଭ୍ୟାସ୍‌ ରହିଛି ବୋଲି କହିଛନ୍ତି ଆରସିବି ଖେଳାଳି ଏବି ଡିଭିଲିୟର୍ସ। କରୋନା କାଳରେ ମଇଦାନକୁ ଓହ୍ଲାଇବା ନେଇ ଖୁସି ଜାହିର କରିବା ସହିତ ସମସ୍ତ ଖେଳାଳି ଖୁସି ଅଛନ୍ତି ବୋଲି ସେ କହିଛନ୍ତି। ବିରାଟ କୋହଲିଙ୍କ ନେତୃତ୍ବରେ ପ୍ରଥମ ଥର ଆରସିବି କପ୍‌ ଜିଣିବା ଲକ୍ଷ୍ୟରେ ରହିଛି। ୨୧ ସେପ୍ଟେମ୍ବର ଦିନ ସନ ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ ଆରସିବି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.