IPL 2020: ଆଜି ମୁମ୍ଵାଇ ଇଣ୍ଡିଆନ୍ସ ଓ କିଙ୍ଗ୍ସ ଏକାଦଶ ପଞ୍ଜାବ ମଧ୍ୟରେ ମୁକାବିଲା, ଗେଲ୍‌ଙ୍କଠୁ ବଡ ଇନିଂସ ଆଶା ରଖିଛନ୍ତି ଅଧିନାୟକ ରାହୁଲ

Published By : Prameya-News7 Bureau | October 18, 2020 IST

ଦୁବାଇ, ୧୮।୧୦: ଆଜି ଆଇପିଏଲ୍‌ର ୩୬ତମ ଲିଗ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବାକୁ ଯାଉଛି କିଙ୍ଗ୍‌ସ ଏକାଦଶ ପଞ୍ଜାବ। ଏହି ମୁକାବିଲା ମୁମ୍ବାଇ ପାଇଁ ଜିତିବା ଯେତିକି ଜରୁରୀ ନୁହେଁ ତାଠୁ ଅଧିକ ଜରୁରୀ କିଙ୍ଗ୍ସ ଏକାଦଶ ପଞ୍ଜାବ ପାଇଁ। ମ୍ୟାଚ୍‌ ବିଜୟୀ ହେଲେ ମୁମ୍ବାଇର ପ୍ଲେ-ଅଫ୍‌ ଯୋଗ୍ୟତା ଏକପ୍ରକାର ନିଶ୍ଚିତ ହୋଇଯିବ । ଅନ୍ୟ ପଟେ ପ୍ଲେ-ଅଫ୍‌ ଦୌଡ଼ରେ ରହିବାକୁ ହେଲେ କିଙ୍ଗ୍‌ସ ଏକାଦଶକୁ ଏହି ମ୍ୟାଚ୍‌ ଜିତିବା ଜରୁରୀ । ଯଦି ଦଳ ପରାଜିତ ହୁଏ, ତା’ହେଲେ ପ୍ଲେ-ଅଫ୍‌ରୁ ବାଦ୍‌ ପଡ଼ିବା ସୁନିଶ୍ଚିତ । ତେଣୁ ଦଳ ବିଜୟ ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ।

ମୁମ୍ବାଇ ୮ମ୍ୟାଚ୍‌ରୁ ୬ ବିଜୟ ସହ ମୋଟ ୧୨ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନରେ ରହିଛି। । ଅନ୍ୟ ପଟରେ କିଙ୍ଗ୍‌ସ ଏକାଦଶ ସମାନ ସଂଖ୍ୟକ ମ୍ୟାଚ୍‌ରୁ ମାତ୍ର ୨ଟି ବିଜୟ ସହ ୪ପଏଣ୍ଟ ପାଇ ଟେବୁଲରେ ନିମ୍ନ ସ୍ଥାନରେ ରହିଛି । ତେଣୁ ପ୍ଲେ-ଅଫ୍‌ ଯୋଗ୍ୟତା ପାଇଁ ସବୁ ମ୍ୟାଚ୍‌ ଜିତିବା ଜରୁରୀ ହୋଇ ପଡ଼ିଛି । ପ୍ରଥମ ପର୍ଯ୍ୟାୟରେ କିଙ୍ଗ୍‌ସ ଏକାଦଶ ୪୮ରନ୍‌ରେ ମୁମ୍ବାଇଠୁ ପରାସ୍ତ ହୋଇଥିଲା । ମୁମ୍ବାଇକୁ ରୋକିବା ଦଳ ପାଇଁ ସେତେଟା ସହଜ ହେବନି । ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ମୁମ୍ବାଇ କ୍ରମାନ୍ୱୟରେ ୫ଟି ମ୍ୟାଚ୍‌ ଜିତି ଦୃଢ଼ ମନୋବଳରେ ରହିଛି ।

ଦୁର୍ଦ୍ଦର୍ଷ କ୍ରିସ୍‌ ଗେଲ୍‌ଙ୍କ ପ୍ରତ୍ୟାବର୍ତ୍ତନ କିଙ୍ଗ୍‌ସ ଏକାଦଶ ଶିବିରରେ ପୁନଃ ଆଶା ସଞ୍ଚାର କରିଛି । ରୟାଲ୍‌ ଚ୍ୟାଲେଞ୍ଜର୍ସ ବିପକ୍ଷରେ ଗେଲ୍‌ (୫୩), ଅଧିନାୟକ ଲୋକେଶ ରାହୁଲ (ଅପରାଜିତ ୬୧) ଓ ମୟଙ୍କ୍‌ ଅଗ୍ରୱାଲ (୪୫) ଧୂଆଁଧାର ପ୍ରଦର୍ଶନ କରିଥିଲେ । ଗେଲ୍‌ଙ୍କଠୁ ଦଳ ଆଉ ଏକ ବଡ଼ ଇନିଂସ୍‌ ଆଶା କରାଯାଉଛି । କିନ୍ତୁ ମୁମ୍ବାଇ ବୋଲିଂ ବିଭାଗ ସବୁଠୁ ଦୃଢ଼ ରହିଛି । ଆଜିର ମ୍ୟାଚ୍‌ରେ ଗେଲ୍‌ ଓ ମୁମ୍ବାଇର ଷ୍ଟାର୍‌ ପେସ୍‌ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ମୁମ୍ବାଇକୁ ଅଟକାଇବାକୁ ହେଲେ କିଙ୍ଗ୍‌ସ ଏକାଦଶକୁ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ ।

ମୁମ୍ବାଇ ଚଳିତ ସିଜନରେ ସବୁଠୁ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି । ଅନ୍ୟ ଦଳ ତୁଳନାରେ ମୁମ୍ବାଇ ମାତ୍ର ୧୩ଜଣ ଖେଳାଳିଙ୍କୁ ସୁଯୋଗ ଦେଇଛି । ଦଳର ସବୁ ଖେଳାଳି ଫର୍ମରେ ରହିଛନ୍ତି । ଆଜି ରୋହିତ (୨୫୧ରନ୍‌), କ୍ୱିଣ୍ଟନ ଡି’କକ୍‌ (୨୬୯ରନ୍‌), ସୂର୍ଯ୍ୟକୁମାର ଯାଦବ (୨୪୩ରନ୍‌) ଏବଂ କିରଣ ପୋଲାର୍ଡ଼ ଓ ହାର୍ଦ୍ଦିକ ପାଣ୍ଡ୍ୟା ସମସ୍ତଙ୍କ ନଜରରେ ରହିବେ । କିଙ୍ଗ୍‌ସ ଏକାଦଶ ବିପକ୍ଷ ପ୍ରଥମ ମୁକାବିଲାରେ ରୋହିତ ୭୦ ରନ୍‌ର ଧୂଆଁଧାର ଇନିଂସ୍‌ ଖେଳିଥିଲେ । ବୋଲିଂ ବିଭାଗରେ ବୁମ୍‌ରା ଓ ସ୍ପିନର ରାହୁଲ ଚହର କିଙ୍ଗ୍‌ସ ଏକାଦଶ ପାଇଁ ବିପଦଜ୍ଜନକ ସାବ୍ୟସ୍ତ ହୋଇପାରନ୍ତି ।

ସମ୍ଭାବ୍ୟ ଏକାଦଶ

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), କ୍ୱିଣ୍ଟନ ଡି’କକ୍‌, ସୂର୍ଯ୍ୟକୁମାର ଯାଦବ, ଈଶାନ୍‌ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ଼, କୃଣାଲ ପାଣ୍ଡ୍ୟା, ନାଥାନ କୁଲ୍ଟର ନିଲ୍‌, ଟ୍ରେଣ୍ଟ ବୋଲ୍ଟ, ରାହୁଲ ଚହର, ଯଶପ୍ରୀତ୍‌ ବୁମ୍‌ରା ।

କିଙ୍ଗ୍‌ସ ଏକାଦଶ: ଲୋକେଶ ରାହୁଲ (ଅଧିନାୟକ), ମୟଙ୍କ୍‌ ଅଗ୍ରୱାଲ୍‌, କ୍ରିସ୍‌ ଗେଲ୍‌, ନିକୋଲାସ ପୂରନ, ଗ୍ଲେନ୍‌ ମାକ୍ସୱେଲ୍‌, ଦୀପକ ହୁଡ଼ା, ମୁରୁଗାନ ଅଶ୍ୱିନ, ରବି ବିଷ୍ନୋଇ, କ୍ରିସ୍‌ ଜୋର୍ଡାନ, ମହମ୍ମଦ ସାମି, ଅର୍ଶଦୀପ ସିଂହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.