IPL ସିିଜିନ ୧୪ର ଅବଶିଷ୍ଟ ମ୍ୟାଚ ପାଇଁ ତାରିଖ ଘୋଷଣା, ଏହି ଦିନ ଖେଳାଯିବ ଫାଇନାଲ

Published By : Prameya-News7 Bureau | June 07, 2021 IST

ନୂଆଦିଲ୍ଲୀ ୦୭/ ୦୬ : ଇଣ୍ଡିଆନ ପ୍ରମିୟର ଲିଗର ୧୪ ତମ ସିଜିନ ବାକିଥିବା ମ୍ୟାଚ କେବେ ଖେଳାଯିବ ? ଏ ପ୍ରଶ୍ନ କ୍ରିକେଟ ପ୍ରେମୀଙ୍କ ମନରେ ଉଙ୍କି ମାରିଥିଲା ସେତେବେଳେ ଯେତେବେଳେ କି ମେ ୪ ତାରିଖରେ କରୋନା ସଂକ୍ରମଣ ବୃଦ୍ଧି ପାଇଁ ଆଇପିଏଲକୁ ବାତିଲ କରିଦିଆଯାଇଥିଲା । ଏହା ପରେ ମେ ୨୯ ତାରିଖରେ ବୈଠକ ପରେ ବିସିସିଆଇ ଘୋଷଣା କରିଥିଲା ଯେ, ଆଇପିଏଲ-୧୪ର ଅବଶିଷ୍ଟ ମ୍ୟାଚ ୟୁଏଇରେ ଖେଳାଯିବ ।
ତେବେ ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ, ଆଇପିଏଲର ଅବଶିଷ୍ଟ ମ୍ୟାଚ ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ଅକ୍ଟୋବର ୧୫ ଯାଏଁ ୟୁଏଇରେ ଖେଳାଯିବ । ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ୟୁଏଇ କ୍ରିକେଟ ବୋର୍ଡ ମଧ୍ୟରେ ଆଲୋଚନା ସଫଳ ହୋଇଥିବା ସୂଚନା ମିଳିଛି । ୟୁଏଇର ଶାରଜାହ ଏବଂ ଆବୁ ଧାବୀରେ ଆଇପିଏଲର ଅବଶିଷ୍ଟ ମ୍ୟାଚ ଖେଳାଯିବ ।
ବାକିଥିବା ମ୍ୟାଚ ଶେଷ ହେବା ପାଇଁ ଅତିକମରେ ୨୫ ଦିନ ସମୟ ଲାଗିବ । ତେଣୁ ସେପ୍ଟେମ୍ବର ୧୯ରେ ଆରମ୍ଭ ହେଲେ ୧୫ ଅକ୍ଟୋବରରେ ଫାଇନାଲ ମ୍ୟାଚ ଖେଳାଯିବ । ତେବେ ଏହାରି ମଧ୍ୟରେ ବଡ କଥା ହେଉଛି, ବାକି ମ୍ୟାଚ ଖେଳିବା ପାଇଁ ବିଦେଶୀ ଖେଳାଳିମାନେ ଉପଲବ୍ଧ ରହିବେ ତ? ଏହାକୁ ନେଇ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଅନ୍ୟ ଦେଶର କ୍ରିକେଟ ବୋର୍ଡମାନଙ୍କ ସହିତ ଆଲୋଚନା ଜାରି ରହିଛି । ତେଣୁ ଆଶାକରାଯାଉଛି ଯେ ସମସ୍ତେ ନରହିଲେ ମଧ୍ୟ ଅଧିକାଂଶ ବିଦେଶୀ ଖଳାଳୀ ଉପଲବ୍ଧ ହେବେ ।
ସୂଚନାଯୋଗ୍ୟ, ଭାରତରେ କରେନା ସଂକ୍ରମଣ ବୃଦ୍ଧି ପାଇବା ପରେ ଏବଂ କିଛି ଆଇପିଏଲ ଫ୍ରାଞ୍ଚାଇଜର ଖେଳାଳିମାନେ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଆଇପିଏଲ ସିଜିନ ୧୪କୁ ବାତିଲ କରିଦିଆଯାଇଥିଲା । ସେବେଠାରୁ ଅବଶିଷ୍ଟ ମ୍ୟାଚ ଖେଳାଯିବ କି ନାହିଁ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.