ଆଇପିଏଲ୍‌-୧୪ର ବଳକା ମ୍ୟାଚ୍‌ କେବେ ଓ କେଉଁଠାରେ ଖେଳାଯିବ ? ବିସିସିଆଇ ପାଖରେ କଣ ରହିଛି ବିକଳ୍ପ ?

Published By : Prameya-News7 Bureau | May 07, 2021 IST

ନୂଆଦିଲ୍ଲୀ, ୦୭/୦୫: ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍ ବା ଆଇପିଏଲ୍‌ର ୧୪ତମ ସଂସ୍କରଣ ସ୍ଥଗିତ ପରେ କ୍ରିକେଟ୍‌ ପ୍ରେମୀଙ୍କ ଅପେକ୍ଷା ରହିଛି ଯେ, ବଳକା ମ୍ୟାଚ୍‌ କେବେ ଏବଂ କେଉଁଠାରେ ହେବ । କିଛି ଟିମ୍‌ର ସଦସ୍ୟଙ୍କ କରୋନା ପଜିଟିଭ୍‌ ଆସିବା ପରେ ବିସିସି ଆଇ ଚଳିତ ଆଇପିଏଲ୍‌କୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା । ଏହି ଲିଗ୍‌ ସ୍ଥଗିତ ହେବା ପର୍ଯ୍ୟନ୍ତ ୨୯ଟି ମ୍ୟାଚ୍ ଖେଳାଯାଇଥିଲା ଏବଂ ୩୧ଟି ଖେଳା ଯିବା ପାଇଁ ବାକି ରହିଥିଲା । ହେଲେ ଏହି ମ୍ୟାଚ୍‌ ପୁଣି କେବେ ଖେଳାଯିବ ସେନେଇ ଏବେ ଦ୍ୱନ୍ଦ ରହିଛି ।

ବାକିଥିବା ମ୍ୟାଚ୍‌ଗୁଡ଼ିକ ଖେଳାଯିବା ପାଇଁ ବିସିସିଆଇ ପାଖରେ ୩ଟି ବିକଳ୍ପ ରହିଛି । ବୋର୍ଡ ପାଖରେ ସେପ୍ଟେମ୍ୱର ମାସରେ ଆଇପିଏଲ୍‌ ପୁଣିଥରେ ଆରମ୍ଭ କରିବା ପାଇଁ ବିକଳ୍ପ ରହିଛି । ଟୁର୍ଣ୍ଣାମେଣ୍ଟ୍‌ ଭାରତ, ୟୁଏଇ କିମ୍ୱା ବ୍ରିଟେନ୍‌ରେ ହେବା ନେଇ ସମ୍ଭାବନା ରହିଛି ।

ୟୁଏଇରେ କରୋନା ନିୟନ୍ତ୍ରଣରେ ରହିଛି, ତେଣୁ ଏହା ଲିଗ୍ ପାଇଁ ଉପଯୁକ୍ତ ହୋଇପାରେ । ଆଇପିଏଲ୍‌ର ଗତ ସିଜିନ୍‌ ୟୁଏଇରେ ଖେଳାଯାଇଥିଲା ଏବଂ ଏହା ସଫଳ ପୂର୍ବକ ଆୟୋଜନ କରାଯାଇଥିଲା । ଏଥିସହତ ଯଦି ଟି-୨୦ ୱାର୍ଲ୍ଡ କପ୍‌ ୟୁଏଇରେ ଖେଳାଯିବ ତେବେ ଖେଳାଳୀଙ୍କୁ ଅନ୍ୟଥା ଯାତ୍ରା କରିବାକୁ ମଧ୍ୟ ପଡ଼ିବ ନାହିଁ ।

ଏହାଛଡ଼ା ଦ୍ୱିତୀୟ ବିକଳ୍ପ ଭାବେ ଇଂଲଣ୍ଡରେ ମଧ୍ୟ ଲାଗ୍‌ର ଆୟୋଜନ କରାଯାଇ ପାରିବ । ଟିମ୍‌ ଇଣ୍ଡିଆର ଖେଳାଳୀ ଏଠାରେ ସେପ୍ଟେମ୍ୱର ମାସ ପର୍ଯ୍ୟନ୍ତ ରହିବେ । ଭାରତ ଏଠାରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବ । ତୃତୀୟ ବିକଳ୍ପ ଭାବେ ବିସିସିଆଇ ସାମ୍ନାରେ ନଭେମ୍ୱର ମାସ ରହିପାରେ । ଏହି ସମୟରେ ଟୁର୍ଣ୍ଣାମେଣ୍ଟ ହେଲେ ଭାରତ କିମ୍ୱା ୟୁଏଇ ବିକଳ୍ପ ହୋଇପାରେ । କାରଣ ଏହା ଟି-୨୦ ୱାର୍ଲ୍ଡ କପ୍‌ ପରେ ପରେ ତୁରନ୍ତ ଖେଳାଯାଇ ପାରିବ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.