ବଢୁଛି କରୋନା ପ୍ରକୋପ ! ମୁମ୍ବାଇରେ ୧୪୪ ଧାରା ଜାରି
17/09/2020 at 9:00 PM

ମୁମ୍ବାଇ ୧୭।୯: ଆର୍ଥିକ ରାଜଧାନୀ ମୁମ୍ବାଇରେ କରୋନାର ପ୍ରକୋପ ଥମିବାର ନାଁ ନେଉନି। ଏଣୁ ଗୁରୁବାର ସାରା ସହରରେ ୧୪୪ ଧାରା ଜାରି କରିଦିଆଯାଇଛି। ପୋଲିସ ତତ୍କାଳ ପ୍ରଭାବରେ ଏହା ଲାଗୁ କରିଥିବା ବେଳେ ସେପରି ଜରୁରି କାର୍ଯ୍ୟ ନଥିଲେ ଘରୁ ବାହାରକୁ ନ ବାହାରିବା ଲାଗି ଲୋକଙ୍କୁ ସତର୍କ କରାଇ ଦିଆଯାଇଛି। ଆଗାମୀ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସହରରେ ୧୪୪ ଧାରା ଜାରି ରହିବ ବୋଲି ଜଣାପଡିଛି।

କରୋନା ସଂକ୍ରମଣରେ ମହାରାଷ୍ଟ୍ର ଦେଶର ଆଗୁଆ ରାଜ୍ୟ। ତେବେ କିଛି ସମୟ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ଏବେ ପୁଣି ବେକାବୁ ହେବାରେ ଲାଗିଛି। ଏଣୁ ରାଜଧାନୀ ମୁମ୍ବାଇରେ ୧୪୪ ଧାରା ଲାଗୁ କରିବା ଜରୁରି ହୋଇପଡିଥିବା ବେଳେ ଲୋକଙ୍କୁ ଘରୁ ପଦାକୁ ନ ବାହାରିବା ଲାଗି ସତର୍କ କରାଯାଇଛି। ତେବେ ୧୪୪ ଧାରା ଯୋଗୁ ସହର ବନ୍ଦ ହେବନାହିଁ କିନ୍ତୁ ଲୋକେ ଏକତ୍ରିତ ହୋଇପାରିବେ ନାହିଁ କି କେଉଁଠାରେ ଭିଡ ଜମିବ ନାହିଁ।

ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ଲକ୍ଷରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୭ଲକ୍ଷ ୯୨ହଜାର ୮୩୨ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେବି ୨ଲକ୍ଷ ୯୭ ହଜାର ୧୨୫ ଆକ୍ଟିଭ କେସ୍ ରହିଛି। ତେବେ ରାଜ୍ୟରେ କରୋନା ଯୋଗୁ ସର୍ବାଧିକ ୮୩ ହଜାର ୪୩୨ ଜଣଙ୍କ ମୃତ୍ୟୁ ହେଲାଣି।