କିଏ ସେ ମୋବାଇଲରେ କଥା ହେଉଥିଲା ? ପେଟ୍ରୋଲ ପମ୍ପକୁ ସିଲ୍‌ କଲା IOCL, ଡିଏନ୍‌ଏ ଟେଷ୍ଟରୁ ଜଣାପଡିବ କେତେଜଣଙ୍କ ହୋଇଛି ମୃତ୍ୟୁ…

Published By : Prameya-News7 Bureau | October 12, 2020 IST

ଭୁବନେଶ୍ୱର ୧୨।୧୦: ରାଜଭବନ ଛକ ପେଟ୍ରୋଲ ପମ୍ପ ବିସ୍ଫୋରଣକୁ ଆଉ କେତେଟା ଦିନ ପରେ ସପ୍ତାହେ ବିତିବ । ବିସ୍ଫୋରଣ କିପରି ହେଲା ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ମିଳିଥିବା ସୁତ୍ରନୁସାରେ ମୋବାଇଲ ଫୋନ୍‌ରେ କଥା ହେବା ଯୋଗୁଁ ବିସ୍ଫୋରଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ଯାହାର କିଛି ତଥ୍ୟ ପୋଲିସକୁ ହସ୍ତଗତ ହୋଇଛି ବୋଲି ସୂଚନା ମିଳିଛି । ତେବେ ଏସବୁ ଭିତରେ ପେଟ୍ରୋଲ ପମ୍ପରେ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ ଲିଃ(ଆଇଓସିଏଲ୍‌)ର ବୈଷୟିକ ଟିମ୍‌ ପୁଣି ମଧ୍ୟ ତନାଘନା କରିଛନ୍ତି । ରାଜଭବନ ଛକ ପାଶ୍ୱର ବିସ୍ଫୋରଣସ୍ଥଳରେ ଟିମ୍‌ ପୁଣି ଯାଞ୍ଚ କରିଛି । ଯାଞ୍ଚ ପ୍ରକ୍ରିୟା ପାଇଁ ପେଟ୍ରୋଲ ପମ୍ପ ପରିସରକୁ ସିଲ୍‌ କରାଯାଇଛି ।

ଆଇଓସିଏଲ୍‌ର ବରିଷ୍ଠ ଅଧିକାରୀ ଏମ୍‌ ଏସ୍‌ ଶର୍ମାଙ୍କ ସହ ରାଜା ଗଣେଷ ମୂର୍ତ୍ତୀ ଓ ଅନୀଲ କୁମାର ରବିବାର ପୂର୍ବାହ୍ନ ୧୧ଟା ବେଳେ ପୁଣି ଘଟଣାସ୍ଥଳକୁ ଯାଇଥିଲେ । ଏହା ପୂର୍ବରୁ ପମ୍ପର ଦୁଇଟି ପ୍ରବେଶ ପଥକୁ ବନ୍ଦ କରାଯାଇଥିଲା। ବିସ୍ଫୋରଣ ପଛପାଶ୍ୱରେ ଭାଙ୍ଗିଥିବା ପାଚେରି ଫାଙ୍କରେ ମଧ୍ୟ ଆଜବେଷ୍ଟସ୍‌ ଯୋଗେ ଯୋଡ଼ାଯାଇଥିଲା । ଟିମ୍‌ ପାଖାପାଖି ଘଣ୍ଟାଏ ଧରି ପମ୍ପ ପରିସରରେ ରହିଥିଲା । ଦୁଇ ଏଲ୍‌ପିଜି ଟାଙ୍କିକୁ ସଂଯୋଗ କରୁଥିବା ଭାଲ୍‌ବ ଓ ବିସ୍ଫୋରଣ ସ୍ଥଳରେ ଭଙ୍ଗା ଅବସ୍ଥାରେ ପଡି଼ଥିବା ଅନ୍ୟ ଯନ୍ତ୍ରାଂଶକୁ ଅଧିକାରୀମାନେ ତନ୍ନତନ୍ନ କରି ଯାଞ୍ଚ କରିଥିଲେ ।

ଏହାବାଦ୍‌ ଟିମ୍‌ର ଅଧିକାରୀ ଘଟଣାସ୍ଥଳରେ ପୂର୍ବରୁ ଯାଞ୍ଚ କରିସାରିଥିବା ଫୋରେନ୍ସିକ ଅଧିକାରୀଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି । ଅଘଟଣରେ କାହାର ଭୂଲ ରହିଥିଲା? କେଉଁଠି ତ୍ରୁଟି ରହିଲା? ବିସ୍ଫୋରଣସ୍ଥଳରୁ ଏନେଇ କିଛି ପ୍ରମାଣ ମିଳିଛି କି? ଏନେଇ ପଚାରି ବୁଝିଛନ୍ତି । ପେଟ୍ରୋଲିୟମ୍‌ ଆଣ୍ଡ ଏକ୍ସପ୍ଲୋସିଭ୍‌ ସେଫ୍ଟି ଅର୍ଗାନାଇଜେନସ (ପେସୋ)ର ଅଧିକାରୀଙ୍କୁ ଟିମ୍‌ ଭେଟିବାର ଯୋଜନା ରହିଛି ।ଆସନ୍ତା ୨ ଦିନ ଯାଏଁ ଟିମ ଏଠାରେ ରହିବ । ସମସ୍ତ ଦିଗରୁ ଯାଞ୍ଚ ପ୍ରକ୍ରିୟା ସରିବା ପରେ ଟିମ୍‌ ପକ୍ଷରୁ ପୁଲିସ କମିଶନର ଓ ଆଇଓସିଏଲ୍‌ର ମୁଖ୍ୟାଳୟକୁ ରିପୋର୍ଟ ଦିଆଯିବ ।

ସେପଟେ କମିଶନରେଟ୍‌ ପୁଲିସ ମଧ୍ୟ ଘଟଣାର ତଦନ୍ତକୁ ଆଉ ପାଦେ ଆଗେଇଛି । ସିସି କ୍ୟାମେରା ଯାଞ୍ଚ ପରେ ଏବେ ଠିକା ସଂସ୍ଥା ‘ସୂର୍ଯ୍ୟଶକ୍ତି ଭେସେଲ୍ସ’କୁ ଫୋକସ୍‌ କରିଛି ପୁଲିସ । ଠିକା ସଂସ୍ଥାର କର୍ମକର୍ତ୍ତାଙ୍କୁ ଫୋନ୍‌ ଯୋଗେ ପଚରାଉଚରା ଚଳାଇଛି। ଟେଷ୍ଟିଂ ଚାଲିଥିବା ବେଳେ କର୍ମଚାରୀଜଣକ କାହିଁକି ଫୋନ୍‌ରେ ଗପୁଥିଲେ, ଏହାର ତନାଘନା କରୁଛି। ମୃତ୍ୟୁ ଘଟିଥିବା ଗଞ୍ଜାମର ସତ୍ୟନାରାୟଣ ନାୟକ, ନିଖୋଜ ଥିବା ଆସ୍କାର ସୀମାଞ୍ଚଳ ପରିଡା ଓ ଗୁରୁତର ଆହତ ହୋଇଥିବା ହର୍ଷବର୍ଦ୍ଧନ ଶ୍ରୀବାସ୍ତବ ଟେଷ୍ଟିଂ ବେଳେ ବିସ୍ଫୋରଣ ସ୍ଥଳରେ ଥିବା ନେଇ ସୂଚନା ମିଳିଛି । ଏମାନେ ସମସ୍ତେ ସୂର୍ଯ୍ୟଶକ୍ତି ଭେସେଲ୍ସର କର୍ମଚାରୀ ବୋଲି ଜଣାପଡି଼ଛି । ଏମାନଙ୍କ କଲ୍‌ ଡିଟେଲ୍ସ ରେକର୍ଡସ୍‌କୁ ଯାଞ୍ଚ କରୁଛି ପୁଲିସ୍‌ । ଅଘଟଣ ବେଳେ କାହା ମୋବାଇଲ୍‌କୁ ଫୋନ୍‌ କଲ୍‌ ଆସିଥିଲା, ଏଥିରୁ ତାହା ସ୍ପଷ୍ଟ ହେବ ।

ଜବତ ମାଂସଖଣ୍ଡର ଡିଏନ୍‌ଏ ଟେଷ୍ଟ ପାଇଁ ଏସ୍‌ଡିଜେଏମ୍‌ଙ୍କ ନିର୍ଦ୍ଦେଶ ମିଳିସାରିଛି । ରସୁଲଗଡସ୍ଥିତ ଷ୍ଟେଟ୍‌ ଫୋରେନ୍ସିକ୍‌ ସାଇନ୍ସ ଲାବୋରଟୋରିରେ ଏସବୁର ଡିଏନ୍‌ଏ ଟେଷ୍ଟ କରାଯିବ । ସୀମାଞ୍ଚଳଙ୍କ ପରିବାର ସଦସ୍ୟଙ୍କ ଡିଏନ୍‌ଏ ସହ ମେଳ କରାଯିବ। ଏହି ପ୍ରକ୍ରିୟା ସରିବା ପରେ ଯଦି ସଂଗୃହିତ ଦେହାବଶେଷରୁ ଅନ୍ୟ କୌଣସି ବ୍ୟକ୍ତିଙ୍କ ଡିଏନ୍‌ଏ ମିଳିଲା, ତେବେ ଅନ୍ୟ ବ୍ୟକ୍ତିଙ୍କ ବିସ୍ଫୋରଣରେ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.