ଝୁମି ଉଠିଲା ବଜାର: ୨୪୭୬ ଅଙ୍କ ଉପରକୁ ଉଠିଲା ସେନସେକ୍ସ, ନିବେଶକଙ୍କ ୭.୭୧ ଲକ୍ଷ କୋଟି ଟଙ୍କା ଫାଇଦା
7/04/2020 at 9:06 PM

ନୂଆଦିଲ୍ଲୀ ୦୭।୦୪: କରୋନା ଭାଇରସ୍ର ପ୍ରକୋପ ମଧ୍ୟରେ ଦୁଇ ଦିନର ହ୍ରାସ ପରେ ମଙ୍ଗଳବାର ଘରୋଇ ପୁଞ୍ଜି ବଜାର ଝୁମି ଉଠିଛି। ବିଶ୍ଵ ବଜାରରେ ହୋଇଥିବା ଉତ୍ଥାନର ପ୍ରଭାବ ଭାରତୀୟ ବଜାରରେ ପଡିଛି। ଫଳରେ ଘରୋଇ ପୁଞ୍ଜି ବଜାର ନୂତନ ସ୍ତରରେ ପହଞ୍ଚି ଆଜି ବନ୍ଦ ହୋଇଛି। ସେନସେକ୍ସ ୨୪୭୬ ଅଙ୍କ ଅର୍ଥାତ ୮.୯୭ ପ୍ରତିଶତ ବଢି ୩୦, ୦୬୭ରେ ବନ୍ଦ ହୋଇଛି। ସେହି ପରି ନିଫଟି ୭୦୨ ଅଙ୍କ ଅର୍ଥାତ ୮.୭୬ ପ୍ରତିଶତ ଉପରକୁ ଉଠି ୮,୭୮୫ ସ୍ତର ଛୁଇଁଛି। ଏଥିରେ ନିବେଶକଙ୍କ ୭,୭୧,୩୭୭ କୋଟି ଟଙ୍କା ଫାଇଦା ହୋଇଛି।
ବିଶେଷଜ୍ଞଙ୍କ ଅନୁଯାୟୀ ବିଶ୍ଵ ବଜାରରେ ବୃଦ୍ଧି ଫେରିଛି। ଏହାର ଫାଇଦା ଭାରତୀୟ ବଜାରକୁ ମିଳିଛି। ପ୍ରତିଶତ ହିସାବରେ ଏହା ୧୦ ବର୍ଷର ସବୁଠୁ ବଡ ବୃଦ୍ଧି। ଆମେରିକା ଓ ଜାପାନ ବଜାରର ଘରୋଇ ପୁଞ୍ଜି ବଜାରରେ ମଧ୍ୟ ବୃଦ୍ଧି ଘଟିଛି।
କରୋନା ନୂତନ ମାମଲା ହ୍ରାସ ଘଟିବା ପରେ ଆମେରିକା ବଜାରରେ ୭ ପ୍ରତିଶତ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି। ଆଜି ସବୁ ସେୟାର ସବୁଜ ଚିହ୍ନ ସହ କାରବାର ଆରମ୍ଭ କରିଥିଲେ। ଭଲ ବୃଦ୍ଧି ଘଟିଥିବା ସେୟାରରେ ଆଇସିଆଇସିଆଇ ବ୍ୟାଙ୍କ, ଇଣ୍ଡସଇଣ୍ଡ ବ୍ୟାଙ୍କ, ଏକ୍ସିସ୍ ବ୍ୟାଙ୍କ, ଏଚଡିଏଫସି, କୋଟକ ମହିନ୍ଦ୍ରା ବ୍ୟାଙ୍କ, ଭେଦାନ୍ତ ଲିମିଟେଡ୍, ଏମ ଆଣ୍ଡ ଏମ, ଇନଫୋସିସ୍, ସନ ଫାର୍ମା ଓ ଏଚସିଏଲ ଟେକ୍ ସାମିଲ।
ସିକ୍ୟୁରିଏଲ ଇଣ୍ଡେକ୍ସ ଉପରେ ନଜର ପକାଇଲେ ଆଜି ସବୁ ସେକ୍ଟର ସବୁଜ ଚିହ୍ନ ସହ ଖୋଲିଥିଲା। ଏଥିରେ ଏଫଏମସିଜି, ମିଡିଆ, ରିୟଲଟି, ବ୍ୟାଙ୍କ, ମେଟାଲ, ଫାର୍ମା, ଆଇଟି, ଘରୋଇ ବ୍ୟାଙ୍କ, ଅଟୋ ଓ ପିଏସୟୁ ବ୍ୟାଙ୍କ ସାମିଲ।