ମୃତ ମହିଳାଙ୍କ ଫୋନ୍‌ ଅଡ଼ିଓକୁ ନେଇ ହଇଚଇ , ବିବାଦକୁ ଟଣା ହେଲେ ଡାକ୍ତର : ଆଇସୋଲେସନ୍‌ ସେଣ୍ଟରରେ ଦମ୍ପତ୍ତିଙ୍କ ମୃତ୍ୟୁ ମାମଲା ଏବେ ଜଟିଳ

Published By : Prameya-News7 Bureau | July 05, 2020 IST

ଜଗତସିଂହପୁର ୦୫।୦୭: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସୋଲେସ ସେଣ୍ଟରରେ ସ୍ୱାମୀର ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା ଘଟଣା ଏବେ ଅଧିକ ଚର୍ଚ୍ଚିତ ହୋଇଛି । ବିବାଦକୁ ଆସିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଓ ଅଧିକାରୀ । ଆତ୍ମହତ୍ୟା କରିଥିବା ମହିଳାଙ୍କ ଫୋନ୍‌ ଅଡିଓ ଘଟଣାକୁ ଅଧିକ ଜଟିଳ କରିଛି । ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ବିରୋଧୀ ରାଜନୈତିକ ଦଳ ମଧ୍ୟ ଆଗକୁ ଆସି ଏଭଳି ଦୁଃଖଦ ଘଟଣାରେ ଦାୟୀ ସ୍ୱାସ୍ଥ୍ୟ ବିଭାଗର କର୍ମୀଚାରୀ ଓ ଅଧିକାରୀଙ୍କୁ ସାମ୍ନାକୁ ଆଣିବାକୁ ଦାବି କରିଛନ୍ତି ।

ଏରସମା ପଲ୍ଲୀକଣ୍ଟା ପଞ୍ଚାୟତ କଟିଜଙ୍ଗା ଗ୍ରାମର ହାଇଦ୍ରାବାଦ୍ ଫେରନ୍ତା ଦମ୍ପତିଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି ଜଗତସିଂହପୁର ପୁଲିସ । ମୃତ ନିର୍ଲିପ୍ତ ଭୋଳଙ୍କ ଭିଣୋଇ ତିର୍ତ୍ତୋଲ ଗୋବିନ୍ଦପୁର ଗ୍ରାମର ସୁନିଲ କୁମାର ନାୟକଙ୍କ ଏତଲାକୁ ଭିତ୍ତିକରି ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ପୂର୍ଣ୍ଣାଙ୍ଗ ରିପୋର୍ଟ ମଗାଯାଇଛି । ରିପୋର୍ଟ ହସ୍ତଗତ ହେବା ପରେ ହିଁ ପୁଲିସ ତା’ର ପରବର୍ତ୍ତି ତଦନ୍ତକୁ ତ୍ୱରାନ୍ୱିତ କରିବ ବୋଲି ଥାନାଧିକାରୀ ରଜନୀକାନ୍ତ ମିଶ୍ର ସ୍ପଷ୍ଟ କରିଛନ୍ତି ।

ଅପରପକ୍ଷେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଆଇସୋଲେସନ୍‌ କେନ୍ଦ୍ରରେ ଘଟିଥିବା ଏଭଳି ଅଭାବନୀୟ ଘଟଣାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ କ୍ରୀଷ୍ଣା ମହାନ୍ତି । ସେ ମଧ୍ୟ ଜଗତସିଂହପୁର ଥାନାରେ ଏକ ଏତଲା ଦେଇ ନିର୍ଲିପ୍ତ ଭୋଳଙ୍କୁ ଉପଯୁକ୍ତ ଚିକିତ୍ସା ମିଳିନଥିବା ଅଭିଯୋଗ ଆଣିବା ସହ ତାଙ୍କ ପତ୍ନୀ ସୁଭଦ୍ରା ସ୍ୱାଇଁଙ୍କ ଆତ୍ମହତ୍ୟା ଘଟଣା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀଙ୍କୁ ଦାୟୀ କରିଛନ୍ତି । କହିଛନ୍ତି, ଭାଇରାଲ ହୋଇଥିବା ସୁଭଦ୍ରାଙ୍କ ଅଡ଼ିଓ ହିଁ ସ୍ୱାସ୍ଥ୍ୟ ବିଭାଗର ଅସଲ ଚେହେରାକୁ ପଦାକୁ ଆଣିଛି । ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ମୁଖ୍ୟ ଚିିକିତ୍ସାଧିକାରିଣୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ।

ଆଇସୋଲେସନ୍‌ କେନ୍ଦ୍ରରେ ଦମ୍ପତିଙ୍କ ମୃତ୍ୟୁକୁ ନେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂକ୍ରାନ୍ତରେ ଏକ ଜରୁରି ବୈଠକ କରି ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଘଟଣା ଘଟିବା ସମୟରେ ଆଇସୋଲେସନ୍‌ କେନ୍ଦ୍ର ଦାୟିତ୍ୱରେ କେଉଁମାନେ ରହିଥିଲେ, ପରିସ୍ଥିତିର ମୁକାବିଲା ଦିଗରେ କିପ୍ରକାର ପଦକ୍ଷେପ ଗ୍ରହଣ କରିଥିଲେ ତାହାର ବିସ୍ତୃତ ରିପୋର୍ଟ ଲୋଡିଛନ୍ତି ଜିଲ୍ଲାପାଳ ।

ପ୍ରକାଶଯୋଗ୍ୟ ଯେ, ହାଇଦ୍ରାବାଦରୁ ସଂପୃକ୍ତ ଦମ୍ପତ୍ତିଙ୍କୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଆଣି ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାର ଆଇସୋଲେସନ୍‌ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ଗତ ୧ରେ ଉଭୟଙ୍କ ସ୍ୱାବ୍‌ ନିଆଯାଇଥିଲା । ଡାକ୍ତର ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ମାତ୍ର ନିର୍ଲିପ୍ତ ହୃଦ୍‌ଘାତର ଶିକାର ହୋଇ ମୃତ୍ୟୁବରଣ କରିଥିଲେ । ଫଳରେ ତାଙ୍କ ପତ୍ନୀ ସୁଭଦ୍ରା ବିଚଳିତ ହୋଇପଡ଼ି ବ୍ଲେଡ଼ରେ ନିଜ ହାତକୁ କାଟି ପକାଇଥିଲେ । ତୁରନ୍ତ ତାଙ୍କୁ କାବୁ କରାଯାଇ ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ତଥାପି ସେ କିଛି ନର୍ସଙ୍କୁ ଆଘାତ ପହଞ୍ଚାଇବା ପରେ କବାଟ କିଳି ଆତ୍ମହତ୍ୟା କରିଥିଲେ । ତେବେ ଉଭୟଙ୍କ ସ୍ୱାବ୍‌ ରିପୋର୍ଟ ନେଗେଟିଭ୍‌ ରହିଥିଲା ।

ତେବେ ଆତ୍ମହତ୍ୟା ପୂର୍ବରୁ ସୁଭଦ୍ରା ନିଜ ଅଡିଓରେ ଚିକିତ୍ସାରେ ଅବହେଳାକୁ କାରଣ ଭାବେ ଦର୍ଶାଇଛନ୍ତିି । ନିଜ ଜ୍ଞାତିକୁଟୁମ୍ବଙ୍କ ଉପରେ ଅଭିମାନ ବି କରିଛନ୍ତି । ଏହି ଅଡିଓ ଭାଇରାଲ ହୋଇଥିବା ବେଳେ ଏପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସ୍ୱାସ୍ଥ୍ୟ ବିଭାଗକୁ ଜବାବ ମଗାଇଯାଇଥିବା ବେଳେ ଆଇସୋଲେସନ କେନ୍ଦ୍ରରେ ଜଣେ ମହିଳାଙ୍କ ଆତ୍ମହତ୍ୟା ଘଟଣାକୁ ଆହୁରି ଆଲୋଡକ କରିଛି । ଏପରି ଅଘଟଣାକୁ ରୋକାଯାଇପାରିଥାନ୍ତା ? ଚିକିତ୍ସାରେ ଅବହେଳା ହୋଇଛି କି ? ଅଡିଓକୁ କ୍ଷୀଅ କରି ତଦନ୍ତ ଆଗେଇଲେ ଘଟଣାର ପ୍ରକୃତ କାରଣ ପାଖରେ ପୋଲିସ ପହଞ୍ଚିବ । ଏପରି ଅନେକ ପ୍ରଶ୍ନ ଓ ମତକୁ ନେଇ ଜଗତସିଂହପୁରରେ ଚର୍ଚ୍ଚା ଜାରି ରହିଛି ।

wp:core-embed/wordpress {"url":"http://www.prameyanews7.com/wife-committed-suicide-after-husband-death/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/wife-committed-suicide-after-husband-death/
/wp:core-embed/wordpress

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.