ଡ୍ରାଇଭର ଓ ହେଲ୍‌ପରଙ୍କୁ ନିଶା ଦେଇ ତେଲ ଟ୍ୟାଙ୍କର ହାଇଜାକ୍, ରାସ୍ତା କଡରୁ ଦୁହିଁଙ୍କୁ ଉଦ୍ଧାର କଲେ ଆରଟିଓ

Published By : Prameya-News7 Bureau | May 05, 2021 IST

ଜଳେଶ୍ଵର ୦୫।୦୫: ବାଲେଶ୍ଵର ଜିଲ୍ଲା ଦେଇ ଯାଇଥିବା ୬୦ ନମ୍ବର ଜାତୀୟ ରାଜପଥର ଜଳେଶ୍ଵର ଥାନା ଜମାଳପୁର ଠାରେ ଡ୍ରାଇଭର ହେଲ୍‌ପରଙ୍କୁ ନିଶା ଖୁଆଇ  ରିଫାଇନ ଓଏଲ ଟ୍ୟାଙ୍କରକୁ ରାଜପଥ ଲୁଟେରା ହାଇଜାକ୍ କରିଛନ୍ତି।। ଅସୁସ୍ଥ ଡ୍ରାଇଭର ଓ ହେଲ୍‌ପରଙ୍କୁ ବାଲେଶ୍ଵର ଆରଟିଓ ରାସ୍ତା କଡରୁ  ଉଦ୍ଧାର କରି  ଜଳେଶ୍ଵର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ତେଲ ଟ୍ୟାଙ୍କରଟି ରାଜସ୍ଥାନରୂ ଓଡ଼ିଶା ଆସୁଥିଲା। ତେବେ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ୬୦ ନମ୍ବର ଜାତୀୟ ରାଜପଥର ଜମାଳପୁର ଓ ଚାଲନ୍ତି ମଧ୍ୟରେ ବିଳମ୍ବିତ ରାତ୍ରିରେ ଟ୍ୟାଙ୍କରକୁ ଦୁର୍ବୃତ୍ତ ହାଇଜାକ କରାଯାଇଥିବା ଜଣାପଡ଼ିଛି। ଡ୍ରାଇଭର ଓ ହେଲ୍ପରକୁ ନିଶା ଦେଇ  ଗାଡି ଲୁଟ୍  କରିଛନ୍ତି ରାଜପଥ ଲୁଟେରା। ଏହି ଘଟଣା ବୁଧବାର ଦ୍ୱିପହର ସମୟରେ ଜଣାପଡିଥିଲା। ବାଲେଶ୍ଵର ଆରଟିଓ ରାସ୍ତାରେ ଯାଉଥିବା ସମୟରେ ଏକ ବୁଦା ମୂଳରେ ଦୁଇ ଜଣ ଲୋକ ପଡ଼ିଥିବା ଦେଖି ସେମାନଙ୍କୁ ଉଠାଇ ଜଳେଶ୍ଵର ଜିକେଭଟ୍ଟର ହସ୍ପିଟାଲକୁ ନେଇ ଥିଲେ। ଉଭୟ ଡ୍ରାଇଭର ଓ ହେଲ୍‌ପର ବୋଲି ଜଣା ପଡିବା ପରେ ଟ୍ୟାଙ୍କର ଲୁଟ୍ କଥା ପଦାକୁ ଆସିଛି। ସେମାନଙ୍କର ଚିକିତ୍ସା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି କୁହାଯାଉଛି। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ତେବେ ଜଳେଶ୍ଵର ଥାନା ଅନ୍ତର୍ଗତ ବାରମ୍ବାର ତେଲ ଟ୍ୟାଙ୍କର ହାଇଜାକକୁ ନେଇ ଜଳେଶ୍ଵର ପୋଲିସ ର ମୁଣ୍ଡବ୍ୟଥାର କାରଣ ପାଲଟି ଥିଲା ବେଳେ ଜାତୀୟ ରାଜପଥ ଏବେ ଟ୍ରକ ଡ୍ରାଇଭର ପାଇଁ କାଳ ସାଜିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.