ନିଜକୁ ପ୍ରକାଶ କରିବା ପାଇଁ ମହିଳାମାନଙ୍କୁ ସମାଜ ସୁଯୋଗ ଦେବା ଆବଶ୍ୟକ : ଲିପିକା ଦରାଇ

Published By : Prameya-News7 Bureau | March 09, 2019 IST

ଭୁବନେଶ୍ବର ୯|୩ : ମହିଳାମାନେ ନିଜକୁ ଶକ୍ତିଶାଳୀ ଭାବେ ସାବ୍ୟସ୍ତ କରିବା ପାଇଁ ଗୋଟିଏ ଦିନ ଖୁସି ମନାଇବା ବା ପାଳନ କରିବାର କୌଣସି ଆବଶ୍ୟକତା ନାହିଁ । ବରଂ ସମାଜ ମହିଳାଙ୍କ ଅସ୍ତିତ୍ବକୁ ଜାହିର କରିବା ନିମନ୍ତେ ସେତିକି ସୁଯୋଗ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ଜାତୀୟ ପୁରସ୍କାର ବିଜୟିନୀ ଲିପିକା ସିଂ ଦରାଇ ।

“ଆମ ସମାଜ ମହିଳାଙ୍କୁ ପୂଜା କରେ କିନ୍ତୁ ଶିଶୁ କନ୍ୟାଟି ଏବେ ବି ଅବାଂଛିତ । ମହିଳାଙ୍କୁ ଗୋଟିଏ ପଟେ ଦେବୀଙ୍କ ଆଖ୍ୟା ଦିଆଯାଏ ତ ଅନ୍ୟ ପଟେ ଡାହାଣୀ ବୋଲି ମଧ୍ୟ କୁହାଯାଏ ।” ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ମହିଳା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଏଭଳି ଉଦବେଗ ପ୍ରକାଶ କରିଛନ୍ତି ଲିପିକା ।

“ମୁଁ ମୁକ୍ତ ହେବାକୁ ଚାହେଁ । ବାନ୍ଧି ହୋଇ ରହିବାକୁ ଚାହେଁ ନାହିଁ । ମୁଁ ସୃଷ୍ଟି ଦେଖିବାକୁ ଚାହେଁ । କିନ୍ତୁ ମୁଁ ଏଭଳି ଏକ ଅନ୍ଧ ସମାଜରେ ବଂଚିଛି ଯେଉଁଠି କେବଳ ଅନ୍ଧତ୍ବ ଓ ଅନ୍ଧବିଶ୍ବାସ ଭରି ରହିଛି” ବୋଲି ଚାରିଥର ଜାତୀୟ ପୁରସ୍କାର ହାସଲ କରିଥିବା ଲିପିକା ସିଂ ଦରାଇ କହିଛନ୍ତି ।

ଚଳିତବର୍ଷର ଅନ୍ତର୍ଜାତୀୟ ମହିଳା ଦିବସର ଥିମ୍ “ବାଲାନ୍ସଫର୍ବେଟର” - ବିଶ୍ବରେ ପୁରୁଷ ଓ ନାରୀଙ୍କ ମଧ୍ୟରେ ସମାନତାକୁ ଉଦ୍ଧୃତ କରି ଲିପିକା କହିଛନ୍ତି ଶତାବ୍ଦୀ ଶତାବ୍ଦୀ ଧରି ମହିଳାମାନେ ନିଷ୍ପେସିତ ରହିଛନ୍ତି । ତେବେ ବର୍ତମାନ ଖୁସି ଲାଗୁଛି ଯେ ବିଶ୍ବରେ ପୁରୁଷ ଓ ସ୍ତ୍ରୀଙ୍କ ମଧ୍ୟରେ ସମାନତା ଆଣିବା ପାଇଁ ଚେଷ୍ଟା କରାଯାଉଛି ।

ଏପରିକି କିନ୍ନର ଏବଂ ଏଲଜିବିଟି ସଂପ୍ରଦାୟକୁ ମଧ୍ୟ ନିଜର କରିବାକୁ ସେ କହିଛନ୍ତି । କାରଣ ସେମାନଙ୍କୁ ମଧ୍ୟ ଜଣେ ମହିଳା ଜନ୍ମ ଦେଇଛି । ସେ କହିଛନ୍ତି ଗୋଟିଏ ଦିନ ପାଳନ କରିବା ଅପେକ୍ଷା ନାରୀତ୍ବକୁ ଗୌରବ ମଣ୍ଡିତ କରିବା ଉଚିତ୍ ।

{"id":91912}

ତାଙ୍କର ଜାତୀୟ ପୁରସ୍କାର ପ୍ରାପ୍ତ ଡକୁମେଂଟାରୀ “ସମ୍ ଷ୍ଟୋରୀଜ୍ ଆରାଉଣ୍ଡ ୱିଚେସ୍” ଓଡ଼ିଶାର ମାନବ ସମାଜର ସମସ୍ୟା ଏବଂ ଅନ୍ଧବିଶ୍ବାସରେ ଭରା ଡାହାଣୀ ମାନଙ୍କର କାହାଣୀ ଉପରେ ପର୍ଯ୍ୟବେଶିତ । ସେହିପରି ଅନ୍ୟ ଏକ କ୍ଷୁଦ୍ର ଚଳଚ୍ଚିତ୍ର “ଦ ୱାଟର୍ଫଲ୍” ବନ୍ୟସଂରକ୍ଷଣ, ଲୋପ ପାଇଯାଉଥିବା ଝରଣା ଉପରେ ପର୍ଯ୍ୟବେସିତ ।

ସୋଆର କାର୍ଯ୍ୟକାରୀ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ ବରିଷ୍ଠ ମହିଳା ପ୍ରଫେସର ଏବଂ ଫାକଲଟି ବକ୍ତବ୍ୟ ରଖିଥିଲେ ।

ପ୍ରଫେସର ନନ୍ଦ କହିଥିଲେ ଯେ ନିକଟରେ ନୂଆ ଦିଲ୍ଲୀରେ ଆୟୋଜିତ ନ୍ୟାସନାଲ୍ ଲିଡରସିପ୍ ସମିଟ୍ ଅନ୍ ୱିମେନ୍ ଆଣ୍ଡ ଏଜୁକେସନ୍ କାର୍ଯ୍ୟକ୍ରମରେ ସୋଆ ମହିଳାଙ୍କ ଶିକ୍ଷା କ୍ଷେତ୍ରରେ ସବୁଠାରୁ ପସନ୍ଦଯୋଗ୍ୟ ବିଶ୍ବବିଦ୍ୟାଳୟ ଭାବେ ପୁରସ୍କୃତ ହୋଇଛି ।

ବିଜ୍ଞାନ କ୍ଷେତ୍ରରେ ମହିଳାଙ୍କର ଅବଦାନକୁ ସ୍ମରଣ କରି ପ୍ରଫେସର ନନ୍ଦ କହିଥିଲେ ଯେ ମ୍ୟାରୀ କ୍ୟୁରୀ ହେଉଛନ୍ତି ଏକମାତ୍ର ଗବେଷିକା ଯିଏକି ଫିଜିକ୍ସ ଏବଂ କେମିଷ୍ଟ୍ରି ପାଇଁ ପୃଥକ ଭାବେ ନୋବେଲ୍ ପୁରସ୍କାର ପାଇଥିଲେ ।

ସୋଆ ମଧ୍ୟ ଲିଙ୍ଗଗତ ସମାନତା ଆଣିବା ପାଇଁ ଚେଷ୍ଟା କରୁଛି । ସେଥିପାଇଁ ସୋଆରେ ୪୩ ପ୍ରତିଶତ ଛାତ୍ରୀ ଏବଂ ୩୫ ପ୍ରତିଶତ ମହିଳା ଫାକଲ୍ଟି ଅଛନ୍ତି ବୋଲି ପ୍ରଫେସର ନନ୍ଦ କହିଛନ୍ତି । ସେ କହିଛନ୍ତି ବର୍ତମାନ ଏଭଳି କୌଣସି ସ୍ଥାନ ନାହିଁ ଯେଉଁଠାରେ କି ମହିଳାମାନଙ୍କର ଅସ୍ତିତ୍ବ ଦେଖିବାକୁ ମିଳୁନି ।

ପ୍ରଫେସର ମିରା ଦାସ କହିଥିଲେ ଯେ, ମହିଳାମାନେ ନିଜ ରାସ୍ତା ନିଜେ ସ୍ଥିର କରିବା ଉଚିତ୍ । ଇନ୍ସଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସ ଡିନ୍ ପ୍ରଫେସର ନୀତା ମହାନ୍ତି, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଆନାସ୍ଥେସିଓଲୋଜିର କନ୍ସଲ୍ଟାଂଟ ଡ. ଅଞ୍ଜଳି ଛୋଟରାୟ, ସୋଆର ଜଏଂଟ ରେଜିଷ୍ଟ୍ରାର୍ ଡ. ମଧୁବ୍ରତା ମହାନ୍ତି ଏବଂ କାର୍ଯ୍ୟକ୍ରମର କନ୍ଭେନର୍ ପ୍ରଫେସର ରେଣୁ ଶର୍ମା ମଧ୍ୟ ଏହି ଅବସରରେ ନିଜର ବକ୍ତବ୍ୟ ରଖିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.