ସ୍ଥିତି ଆଧାରରେ ଏପ୍ରିଲ ୧୫ରୁ ପୁଣି ଥରେ ଆରମ୍ଭ ହୋଇପାରେ ଅନ୍ତରାଷ୍ଟ୍ରୀୟ ଉଡାଣ: ହରଦୀପ ପୁରୀ

Published By : Prameya-News7 Bureau | April 02, 2020 IST

ନୂଆଦିଲ୍ଲୀ ୦୨।୦୪: ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ ଗୁରୁବାର କହିଛନ୍ତି ଯେ, ସରକାର ଏହା ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ, ୨୧ ଦିନିଆ ରାଷ୍ଟ୍ରବ୍ୟାପି ଲକ୍‌ଡାଉନ୍‌ ପରେ ସ୍ଥିତିକୁ ନଜରରେ ରଖି ଅନ୍ତରାଷ୍ଟ୍ରୀୟ  ବିମାନ ସେବା ପୁଣି ଥରେ ଆରମ୍ଭ ହୋଇପାରେେ। ଉଲ୍ଲେଖଯୋଗ୍ୟ, କରୋନା ଭାଇରସର ପ୍ରକୋପକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୫ରୁ ଦେଶ ୨୧ ଦିନିଆ ଲକ୍‌ଡାଉନ୍‌ରେ ରହିଛି, ଯାହା ଏପ୍ରିଲ ୧୪ରେ ସମାପ୍ତ ହେଉଛି।

ଲକ୍‌ଡାଉନ୍‌ ହେବା ପରେ ରେଳ ଯାତାୟାତ, ସଡକ ଓ ବିମାନ ପରିବହନ ସହିତ ସମସ୍ତ ପ୍ରକାରର ଗମନାଗମନ ସଂପୂର୍ଣ୍ଣ ଭାବେ ଠପ୍ ରହିଛି। ପ୍ରଥମେ ମାର୍ଚ୍ଚ ୨୨ରୁ ଏକ ସପ୍ତାହ ପାଇଁ ଅନ୍ତରାଷ୍ଟ୍ରୀୟ ଉଡାଣ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ମାତ୍ର ଲକ୍‌ଡାଉନ୍‌ ସହିତ ଏହାକୁ ମଧ୍ୟ ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାର୍ଚ୍ଚ ୨୫ରେ ଲକ୍‌ଡାଉନ୍‌ ଆରମ୍ଭ ହେବା ପୂର୍ବରୁ ଦେଶରେ ଘରୋଇ ବିମାନ ଉଡାଣ ନିଲମ୍ବିତ କରାଯାଇଥିଲା।

ମନ୍ତ୍ରୀ କହିଛନ୍ତି ଯେ, ସ୍ଥିତି ସମୀକ୍ଷା ପରେ ଅନ୍ତରାଷ୍ଟ୍ରୀୟ ଉଡାଣ ପୁଣି ଥରେ ଆରମ୍ଭ ନେଇ ବିଚାର କରାଯାଇପାରେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ ପ୍ରଦୀପ ଖାରୋଲା କହିଛନ୍ତି ଯେ, ସ୍ଵାସ୍ଥ୍ୟ ଓ ଗୃହ ମନ୍ତ୍ରଣାଳୟକୁ ଏହା ଆକଳନ କରିବାକୁ ପଡିବ ଯେ, ଅନ୍ୟ ପ୍ରଭାବିତ ଦେଶରେ କରୋନା ଭାଇରସ୍‌ର ସ୍ଥିତି ନିୟନ୍ତ୍ରଣରେ ଅଛି ନା ନାହିଁ।

ପୁରୀ କହିଛନ୍ତି ଯେ, ସଂପ୍ରତି ଆମେ ଏପ୍ରିଲ ୧୪ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ରେ ରହିବୁ। ଭାରତୀୟ ନାଗରିକଙ୍କୁ ଦେଶକୁ ଆଣିବା ପାଇଁ କୌଣସି ଉଡାଣ ପାଇଁ ଆମକୁ ଅପେକ୍ଷା କରିବାକୁ ପଡିବ। ଆମେ ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତରାଷ୍ଟ୍ରୀୟ ଉଡାଣ ପୁଣି ଥରେ ଆରମ୍ଭ କରିବା ଉପରେ ବିଚାର କରିବୁ।

ମନ୍ତ୍ରୀ କହିଛନ୍ତି ଏୟାରଲାଇନ୍ସ ନିଜର ବିବେକ ଓ ଆକସ୍ମିକ ଯୋଜନା ଅନୁସାରେ ଅଗ୍ରୀମ ଟିକେଟ୍ ବୁକିଂ କରିବାକୁ ପ୍ରସ୍ତୁତ ଅଛି। ଏୟାରଲାଇନ୍ସକୁ ଏ ନେଇ କୌଣସି ନିର୍ଦ୍ଦେଶ ମଧ୍ୟ ଦିଆଯାଇ ନାହିଁ। ମାତ୍ର ଜଣେ ଆଶାବାଦୀ ଭାବେ ଆଶା କରୁଛୁ ଯେ, ଏପ୍ରିଲ ୧୫ରେ ଅତି କମରେ ଉଡାଣ ଆରମ୍ଭ ହେବ। ଯଦିଓ ସବୁ ବିମାନ ଉଡାଣ ସମ୍ଭବ ନୁହଁ ତଥାପି ଆଶିଂକ ଭାବେ ଆରମ୍ଭ ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.