ଉପର ମୁହାଁ କରୋନା ଗ୍ରାଫ୍: ମାର୍ଚ୍ଚ ୩୧ ଯାଏଁ ବ୍ୟାନ୍ ହେଲା ଆନ୍ତର୍ଜାତୀୟ ବିମାନ ଚଳାଚଳ

Published By : Prameya-News7 Bureau | February 27, 2021 IST

ନୂଆଦିଲ୍ଲୀ ୨୭/୦୨ : ଲଗାତାର ବୃଦ୍ଧି ପାଉଥିବା କରୋନା ମାମଲାକୁ ଦୃଷ୍ଟିରେ ରାଖୀ ଆନ୍ତର୍ଜାତୀୟ ବିମାନ ସେବା ମାର୍ଚ୍ଚ ୩୧ ତାରିଖ ଯାଏଁ ବ୍ୟାନ କରାଯାଇଛି। ଏନେଇ ଡିଜିସିଏ (DGCA) ସୂଚନା ଦେଇଛି। ଏହାପୂର୍ବରୁ ଆନ୍ତର୍ଜାତୀୟ ବିମାନ ସେବା ଫେବୃଆରୀ ୨୮ ତାରିଖ ବ୍ୟାନ କରାଯାଇଥିଲା। କରୋନା ସଂକ୍ରମଣ ଯୋଗୁଁ ସିଡ୍ୟୁଲ ଆନ୍ତର୍ଜାତୀୟ ବିମାନ ଚଳାଚଳ ଗତ ବର୍ଷ ମାର୍ଚ୍ଚ ୨୩ ତାରିଖରୁ ବ୍ୟାନ ହୋଇଛି।

ଡିଜିସିଏ ଅନୁଯାୟୀ, ଭାରତରୁ ଯାଉଥିବା ଓ ଭାରତକୁ ଆସୁଥିବା ନିର୍ଦ୍ଧାରିତ ଆନ୍ତର୍ଜାତୀୟ ଯାତ୍ରୀ ସେବା ୨୦୨୧ ମାର୍ଚ୍ଚ ୩୧ ତାରିଖ ରାତି ୧୨ଟା ଯାଏଁ ବ୍ୟାନ କରାଯାଇଛି। ତେବେ କିଛି ମାର୍ଗରେ ଆନ୍ତର୍ଜାତୀୟ ବିମାନ ଚଳାଚଳକୁ ଅନୁମତି ଦିଆଯାଇପାରେ। ମାଲବାହକ ବିମାନ ଇ ଡିଜିସିଏ ଅନୁମତି ପ୍ରାପ୍ତ ବିମାନ ଉପରେ ଏହା ଲାଗୁ ହେବନାହିଁ।

ଭାରତ ଅନେକ ଦେଶ ସହ ଏୟାର ବବଲ ଚୁକ୍ତି କରିଛି। ଏହି ଚୁକ୍ତି ଅନୁଯାୟୀ କିଛି ଦେଶରୁ ଆନ୍ତଜାତୀୟ ଯାତ୍ରୀ ବିମାନକୁ ଅନୁମତି ଦିଆଯାଇଛି। କରୋନା ଯୋଗୁଁ ଗତ ବର୍ଷ ମାର୍ଚ୍ଚ ୨୫ ତାରିଖରେ ବିମାନ ଚଳାଚଳ ରଦ୍ଦ କରାଯାଇଥିଲା। ମେ' ୨୫ ତାରିଖରୁ ଘରୋଇ ବିମାନ ଚଳାଚଳ ଆରମ୍ଭ କରାଯାଇଥିଲା। କିନ୍ତୁ ଆନ୍ତଜାତୀୟ ବିମାନ ସେବା ଅବଧି ସମୟ ସମୟରେ ବଢ଼ାଇ ଦିଆଯାଇଥିଲା।

ସୂଚନାଯୋଗ୍ୟ ଯେ ସାରା ଦେଶରେ ଲଗାତାର କରୋନା ମାମଲା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟାରେ ୧୬ ହାଜର ୪୮୮ ନୂଆ ମାମଲା ସାମ୍ନାକୁ ଆସିଛି। ୧୧୩ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୨ ୭୭୧ ଜଣ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ଶୁକ୍ରବାର ଦିନ ଲଗାତାର ତୃତୀୟ ଦିନରେ ୮ ହାଜରରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.