ଆନ୍ତଃଜିଲ୍ଲା ଲୁଟେରା ଗିରଫ, ସୁନାଚେନ୍ ସହ ୮୪୩ ଗ୍ରାମ୍ ସୁନା ଜବତ

Published By : Prameya-News7 Bureau | November 15, 2019 IST

ଉଦଳା ୧୫।୧୧: ଗତ ନଭେମ୍ବର ୫ ତାରିଖ ଦିନ ଦ୍ବିପ୍ରହରରେ ଉଦଳାରେ ଜଣେ ମହିଳାଙ୍କ ବେକରୁ ସୁନାଚେନ୍ ଲୁଟ୍ ଘଟଣାରେ ପୋଲିସ ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିଛି । ଏହା ସହିତ ଲୁଟେରାଙ୍କ ନିକଟରୁ ସୁନା କିଣୁଥିବା ଗହଣା ଦୋକାନୀକୁ ମଧ୍ୟ ବାରିପଦା ପୋଲିସ ଗିରଫ କରିଛି ।

ଗତ ୫ ତାରିଖ ଉଦଳା ନାଗପାଳ ୟୁଜିଏମଇ ବିଦ୍ୟାଳୟ ନିକଟରେ ସ୍ପଷ୍ଟ ଦିବାଲୋକରେ ଜଣେ ମହିଳାଙ୍କ ବେକରୁ ବାଇକରେ ଆସି ଦୁଇ ଜଣ ଲୁଟେରା ସୁନାଚେନ୍ ଲୁଟି ନେଇଥିଲେ । ଉଦଳା ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ ଲୁଟର ଶିକାର ହୋଇଥିବା ମହିଳା ଶକୁନ୍ତଳା ରାଉତ । ଲୁଟର ଲାଇଭ ଭିଜୁଆଲ ସିସିଟିଭିରେ କଏଦ ହୋଇଥିଲା । ଏହାକୁ ନେଇ ମୟୂରଭଞ୍ଜ ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିଥ୍ ପୁରୁଷୋତମ ଦାସଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଦୁଇ ଜଣ ଆନ୍ତଃଜିଲ୍ଲା ଲୁଟେରାଙ୍କୁ ଗିରଫ କରିଛି । ଗିରଫ ଲୁଟେରାମାନେ ହେଲେ ରବୀନ୍ଦ୍ର ନାୟକ ଏବଂ ଦୀପକ ଜେନା । ସେମାନଙ୍କ ଘର ବସ୍ତା ଅଂଚଳର ବୋଲି ଜଣାଯାଇଛି । ଏହି ଦୁଇ ଲୁଟେରା ୫ ତାରିଖ ଦିନ ଉଦଳାରେ ଲୁଟ୍ କରିବା ସହିତ ବାଲେଶ୍ବର ଜିଲ୍ଲା ସୋର ଅଂଚଳରୁ ମଧ୍ୟ ଛିନତାଇ କରିଥିଲେ । ଏହି ଦୁଇ ଲୁଟେରାଙ୍କ ନିକଟରୁ ଦୁଇଟି ସୁନାଚେନ୍ ସମେତ ୮୪୩ ଗ୍ରାମର ସୁନା ପୋଲିସ ଜବତ କରିଛି । ଗୋଟିଏ ପଲସର ବାଇକ୍ ମଧ୍ୟ ପୋଲିସ ଜବତ କରିଛି । ଏହି ଦୁଇ ଲୁଟେରା ଲୁଟ୍ ସାମଗ୍ରୀକୁ ନେଇ ବସ୍ତା ଅଂଚଳରେ ଥିବା ଦୀପକ ଜୁଏଲାରୀରେ ବିକ୍ରି କରୁଥିଲେ । ବାରିପଦା ପୋଲିସ ଦୀପକ ଜୁଏଲାରୀର ମାଲିକ ଦୀପକ କୁମାର ରଣାକୁ ମଧ୍ୟ ଗିରଫ କରିଛି । ଗିରଫ ଦୁଇ ଲୁଟେରାମାନେ ଚଳିତ ବର୍ଷ ବିଭିନ୍ନ ସ୍ଥାନରେ ଲୁଟ୍ କରିଥିବା ବେଳେ ଉଦଳା ଥାନାରେ  ୨ଟି, ବେତନଟୀ ଥାନାରେ ୪ଟି , ସୋର ଥାନାରେ ୪ଟି ଲୁଟ୍ ମାମଲା ସେମାନଙ୍କ ନାମରେ ରହିଥିବା ଜଣାଯାଇଛି । ଏହା ସହିତ ଗତବର୍ଷ ବାରିପଦା ଟାଉନ ଥାନା ଅଧିନରେ ହୋଇଥିବା ୫ଟି ଲୁଟ୍ ମାମଲାରେ ମଧ୍ୟ ଏହି ଦୁଇ ଲୁଟେରା ସଂପୃକ୍ତ ଥିବା ଜଣାପଡିଛି । ମୋଟ୍ ୧୫ ଟି  ଲୁଟ୍ ମାମଲାରେ ଏହି ଦୁଇ ଲୁଟେରା ସଂପୃକ୍ତ ଥିବା ଜଣାପଡିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.