ଘରର ଚାରି କାନ୍ଥ ଭିତରେ SC/ST ଉପରେ ଅପମାନଜନକ ଟିପ୍ପଣୀ ଅପରାଧ ନୁହେଁ: ସୁପ୍ରିମକୋର୍ଟ

Published By : Prameya-News7 Bureau | November 06, 2020 IST

ନୂଆଦିଲ୍ଲୀ ୦୬।୧୧: ସୁପ୍ରିମକୋର୍ଟ ଗୁରୁବାର ଏସଟି/ଏସଟି ସମ୍ବନ୍ଧିତ ଏକ ମାମଲାର ଶୁଣାଣି ବେଳେ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ଅଦାଲତ କହିଛନ୍ତି ଅନୁସୂଚିତ ଜାତି(ଏସସି) ଓ ଅନୁସୂଚିତ ଜନଜାତି(ଏସଟି)ସମ୍ବନ୍ଧିତ କୌଣସି ବ୍ୟକ୍ତିଙ୍କ ବିରୋଧରେ ଘରର ଚାରି କାନ୍ଥ ଭିତରେ କୌଣସି ସାକ୍ଷୀ ଅନୁପସ୍ଥିତିରେ କରାଯାଇଥିବା ଅପମାନଜନକ ଟିପ୍ପଣୀ ଅପରାଧ ନୁହେଁ। ଏଥିସହ ସର୍ବୋଚ୍ଚ ନ୍ୟାୟାଳୟ ଜଣେ ବ୍ୟକ୍ତିଙ୍କ ବିରୋଧରେ ଏସସି-ଏସଟି ଆଇନ ଆଧାରରେ ଲାଗିଥିବା ଅଭିଯୋଗକୁ ରଦ୍ଦ କରିଛନ୍ତି। ବ୍ୟକ୍ତି ଜଣକ ଜଣେ ମହିଳାଙ୍କୁ କଥିତ ଅପମାନଜନକ ଟିପ୍ପଣୀ କରିଥିଲେ।

ଅଦାଲତ କହିଛନ୍ତି ଯେ, କୌଣସି ବ୍ୟକ୍ତିଙ୍କ ଅପମାନ କିମ୍ବା ଧମକ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଆଇନ ଆଧାରରେ ଅପରାଧ ନୁହେଁ। ସର୍ବୋଚ୍ଚ ଅଦାଲତ କହିଛନ୍ତି ଏସସି ଓ ଏସଟି ଆଇନ ଅନୁଯାୟୀ ଅପରାଧ ତେବେ ବିବେଚନା ହେବ ଯେତେବେଳେ ସମାଜର ଦୁର୍ବଳ ବର୍ଗର ସଦସ୍ୟଙ୍କୁ କୌଣସି ସ୍ଥାନରେ ଲୋକଙ୍କ ସାମ୍ନାରେ ଦୁର୍ବ୍ୟବହାର, ଅପମାନ ଓ ଉତ୍ପୀଡନ କରାଯିବ।

ବିଚାରପତି ଏଲ ନାଗେଶ୍ଵର ରାଓ, ବିଚାରପତି ହେମନ୍ତ ଗୁପ୍ତା ଓ ବିଚାରପତି ଅଜୟ ରସ୍ତୋଗୀଙ୍କ ଖଣ୍ଡପୀଠ କହିଛନ୍ତି, ତଥ୍ୟକୁ ଦୃଷ୍ଟିରେ ରଖି ଅନୁସୂଚିତ ଜନଜାତି ଆଇନ, ୧୯୮୯ର ଧାରା ୩(୧) (ଆର) ଆଧାରରେ ଅପିଲକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ପାରିବ ନାହିଁ। ଏଥିପାଇଁ ଅଭିଯୋଗକୁ ରଦ୍ଦ କରାଯାଉଛି। ପୀଠ କହିଛନ୍ତି ହିତେଶ ବର୍ମାଙ୍କ ବିରୋଧରେ ଅନ୍ୟ ଅପରାଧ ସମ୍ବନ୍ଧିତ ମାମଲାର ଶୁଣାଣି ସକ୍ଷମ ଅଦାଲତ ଦ୍ଵାରା ଶୁଣାଣି କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.