ବାପାଙ୍କ ପିସ୍ତଲରୁ ନିଜ ଭାଇକୁ ଗୁଳି କଲେ ପୋଲିସ ବାବୁଙ୍କ ଝିଅ, ତା'ପରେ ରଚିଲେ ଲୁଟ୍ ଡ୍ରାମା

Published By : Prameya-News7 Bureau | November 11, 2020 IST

ପ୍ରୟାଗରାଜ ୧୧/୧୧ : ଉତ୍ତର ପ୍ରଦେଶ ପ୍ରୟାଗରାଜ ନୈନି ଥାନା ଅନ୍ତର୍ଗତ ରଘୁନାଥ ଛକରେ ଘଟିଥିବା ଏକ ଗୁଳିକାଣ୍ଡ ମାମଲାର ପର୍ଦାଫାଶ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଘରେ ପଶି ଜଣେ ଯୁବକଙ୍କୁ ଗୁଳି କରିଥିବା ମାମଲାରେ ପୋଲିସ ଓ କ୍ରାଇମ ବ୍ରାଞ୍ଚ ଅଢେଇ ଘଣ୍ଟାରେ ଖୁଲାସା କରିଛି। ଆହତ ଯୁବକ ଆଜମଗଡ଼ ଥାନାରେ ନିଯୁକ୍ତ ପୋଲିସ ଇନ୍ସପେକ୍ଟର ସଭାଜିତ ସିଂହଙ୍କ ପୁଅ। ଯୁବକଙ୍କୁ ତାଙ୍କ ନିଜ ଭଉଣୀ ୪ଟି ଗୁଳି କରିଥିଲେ। ୧୫ ବର୍ଷୀୟ ନାବାଳିକା ଭାଇକୁ ଗୁଳି କରିବା ପରେ ବାପାକୁ ଫୋନ କରି ଘରେ ଲୁଟ ହୋଇଥିବା କହି ଡ୍ରାମା କରିଥିଲେ।

ଭାଇ ଭଉଣୀ ମଧ୍ୟରେ କୌଣସି ଏକ କଥାକୁ ନେଇ ବିବାଦ ହୋଇଥିଲା। ଏହାପରେ ନାବାଳିକା ଭଉଣୀ ୧୭ ବର୍ଷୀୟ ଭାଇକୁ ନିଜ ବାପାଙ୍କ ପିସ୍ତଲରୁ ଗୁଳି କରିଥିଲେ। ଏହାପରେ ଘରେ ଲୁଟ ହୋଇଥିବା ସେ ପୋଲିସ ସାମ୍ନାରେ ଡ୍ରାମା କରିଥିଲେ। କିନ୍ତୁ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଓ କ୍ରାଇମବ୍ରାଞ୍ଚକୁ ତାଙ୍କ କଥାରେ ବିଶ୍ୱାସ ହୋଇନଥିଲା। ପୋଲିସ ଦୃଢର ସହ ନାବାଳିକାଙ୍କୁ ପଚରାଉଚୁରା କରିବା ପରେ ସେ ସ୍ୱୀକାର କରିଥିଲେ ଯେ ସେ ନିଜେ ତାଙ୍କ ଭାଇକୁ ଗୁଳି କରିଛନ୍ତି। ତେବେ ଘଟଣାକ୍ରମ ସମ୍ପର୍କରେ ସେ ନିଜ ବାପାଙ୍କୁ ହିଁ କହିବେ ବୋଲି କହିଥିଲେ।

ଘଟଣା ପରେ ନାବାଳିକାଙ୍କୁ ଘରେ ହିଁ ନଜରବନ୍ଦ କରିଛି ପୋଲିସ। ଆହତ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଚିକିତ୍ସା ଜାରି ରହିଛି। ପୋଲିସ ଓ କ୍ରାଇମବ୍ରାଞ୍ଚ ଘରୁ ପିସ୍ତଲ ଓ ଲୁଟ ହୋଇଥିବା ଗହଣା ଜବତ କରିଛି। ତେବେ ନାବାଳିକା ଘଟଣାର କାରଣ ଖୁଲାସା ନ କରିବାରୁ ସସ୍ପେନ୍ସ ଜାରି ରହିଛି। ଏହି ଘଟଣାକ୍ରମ ପଛରେ ଅସଲ କାରଣ କଣ ତାକୁ ନେଇ ପ୍ରଶ୍ନ ଉଠିଛି। ସନ୍ଧ୍ୟା ସୁଦ୍ଧା ପୋଲିସ ଘଟଣାର ପର୍ଦାଫାଶ କରିପାରେ ବୋଲି କୁହାଯାଉଛି।

ଆଜମଗଡ଼ରେ ନିୟୋଜିତ ଇନ୍ସପେକ୍ଟର ସଭାଜିତ ସିଂହଙ୍କ ପତ୍ନୀ ସୁଭଦ୍ରା ଦେବୀ ନିଜ ପୁଅ ଓ ଝିଅ ସହ ନୈନି ରଘୁନାଥ ଅଞ୍ଚଳରେ ରୁହନ୍ତି। ଆହତ ପୁଅ ଏକାଦଶ ଶ୍ରେଣୀର ଛାତ୍ର। ପୋଲିସ ନାବାଳିକା ବିରୋଧରେ ମାମଲା ରୁଜ୍ଜୁ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.