ଅସୁରକ୍ଷିତ କ୍ବାରେଣ୍ଟାଇନ୍ ସେଣ୍ଟର: ଅନ୍ତେବାସୀ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତକୁ ଧରି ଛେଚିଲେ ପ୍ରବାସୀ

Published By : Prameya-News7 Bureau | May 26, 2020 IST

ନୀଳଗିରି୨୬/୫: କ୍ବାରେଣ୍ଟାଇନ୍ ସେଣ୍ଟରରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ତେଲିପାଳ ଆଶ୍ରମରେ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ, ବାହାର ରାଜ୍ୟରୁ ଫେରି ପୀଡିତା କ୍ବାରେଣ୍ଟାଇନ୍ ସେଣ୍ଟରେ ରହୁଥିଲେ।ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ସେ ବାଥରୁମ ଯାଇଥିବା ସମୟରେ ସ୍ଥାନୀୟ ଜଣେ ନିଶାକ୍ତ ଯୁବକ କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରବେଶ କରି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ।  

ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ମୁତାବକ,  ଏହି କ୍ବାରେଣ୍ଟାଇନ ସେଣ୍ଟରରେ ୪ ଜଣ ଯୁବତୀଙ୍କୁ ମିଶାଇ ୭୭ ଜଣ ପ୍ରବାସୀ ଓଡ଼ିଆ ରହୁଥିଲେ।ଗୋହିରା ଅଞ୍ଚଳରେ ରତ୍ନାକର ଜେନା ନାମକ ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ମଙ୍ଗଳବାର ସକାଳୁ ସେଣ୍ଟରରେ ଅବାଧରେ ପ୍ରବେଶ କରିଥିଲେ। ସିକ୍ୟୁରିଟି ଥିବା ସତ୍ତ୍ବେ  ଏହି ବ୍ୟକ୍ତି ଅବାଧରେ  ବାଥରୁମ ଭିତରକୁ ପ୍ରବେଶ କରିଥିଲେ।ଜଣେ ଯୁବତୀ ଅସୁସ୍ଥ ଅବସ୍ଥାରେ ବାନ୍ତି କରୁଥିବା ବେଳେ ଏହି ନିଶାସକ୍ତ ବ୍ୟକ୍ତି ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।ପୀଡିତା ଜଣଙ୍କ ଜୋର୍‌ରେ ପାଟି କରିବାରୁ ତାଙ୍କର  ୩ ଜଣ ସହଯୋଗୀ ଦୌଡ଼ି ଆସିଥିଲେ।ତାପରେ ରତ୍ନାକରକୁ ବାନ୍ଧି ନିର୍ଧୁମ ଛେଚିଥିଲେ।ଘଟଣା ଚାରିଆଡେ ଖେଳିଯିବା ପରେ ଉତ୍ତେଜନା ଲାଗି ରହିଥିଲା।

ତେବେ ଯୁବତୀଙ୍କ ପରିବାର ଲୋକେ ଆସି ଘଟଣାର ତଦନ୍ତ ଦାବି କରିଛନ୍ତି। ଏହାସହ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଥିବା ପ୍ରବାସୀ ଓଡ଼ିଆ ମଧ୍ୟ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହାସହ ସୁରକ୍ଷା ଦାୟିତ୍ବରେ ଥିବା ପ୍ରତାପ ଚନ୍ଦ୍ର ବାରିକଙ୍କ ସମେତ ଅଭିଯୁକ୍ତ ରତ୍ନାକର ବିରୋଧରେ ଥାନାରେ ଥାନାରେ ଏତଲା ଦେଇଛନ୍ତି ପୀଡ଼ିତା। ଏହି ଘଟଣାରେ ବରମପୁର ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଅଟକ ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.