ଅପରେସନ ସମୁଦ୍ର ସେତୁ : ମାଳଦ୍ବୀପରୁ ୬୯୮ ଭାରତୀୟଙ୍କୁ ନେଇ କେରଳ କୋଚିରେ ପହଁଞ୍ଚିଲା INS ଜଳାଶ୍ବ

Published By : Prameya-News7 Bureau | May 10, 2020 IST

କୋଚି ୧୦।୫: କେରଳ କୋଚିରେ ପହଁଞ୍ଚିଲା INS ଜଳାଶ୍ବ । ମାଳଦ୍ବୀପର ରାଜଧାନୀ ମାଲେରୁ ୬୯୮ ଭାରତୀୟଙ୍କୁ ଧରି ବାହାରିଥିବା ନୌସେନା ଜାହାଜ ଆଜି କୋଚିରେ ପହଁଞ୍ଚିଛି । ୬୯୮ ଜଣଙ୍କ ମଧ୍ୟରେ ୧୯ ଜଣ ଗର୍ଭବତୀ ଥିବା ମଧ୍ୟ ଜଣାପଡିଛି । ବିଦେଶରେ ଥିବା ଭାରତୀୟଙ୍କୁ ଆକାଶ ପଥରେ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଅପରେସନ ବନ୍ଦେ ଭାରତ ମିଶନ ଆରମ୍ଭ କରିଛନ୍ତି । ଠିକ୍ ସେମିତି ଜଳପଥରେ ଉଦ୍ଧାର ପାଇଁ ଚାଲିଛି ଅପରେସନ ସମୁଦ୍ର ସେତୁ । ସମସ୍ତ ପ୍ରବାସୀଙ୍କର ପରୀକ୍ଷା ତଥା ସ୍କ୍ରିନିଂ କରିବା ପାଇଁ କୋଚି ବନ୍ଦରରେ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଉପଜିଲ୍ଲାପାଳ IGP ନିଜେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ ଯାତ୍ରା ପୂର୍ବରୁ ସମସ୍ତ ଯାତ୍ରୀଙ୍କ ଠାରୁ କରୋନା ଲକ୍ଷଣ ନେଇ ତଥ୍ୟ ସଂଗ୍ରହ କରାଯାଇଛି । ସମସ୍ତ ପ୍ରବାସୀ କେରଳରେ ପହଁଞ୍ଚିବା ପରେ ସେମାନଙ୍କର ସମସ୍ତ ବ୍ୟବସ୍ଥାର ତଦାରଖ କରୁଛନ୍ତି ପ୍ରଶାସନିକ ଅଧିକାରୀ । ଜଣେ ମେଡିକାଲ ଅଫିସର ସେମାନଙ୍କ କ୍ବାରେଣ୍ଟାଇନ ବ୍ୟବସ୍ଥାର ଅନୁଧ୍ୟାନ କରିବେ ।

ପ୍ରବାସୀମାନେ ଓହ୍ଲାଇବା ପରେ ସମସ୍ତଙ୍କ ଫୋନରେ ଆରୋଗ୍ୟ ସେତୁ ଆପ ଇନଷ୍ଟଲ କରାଯିବ । ସେହିପରି ସବୁ ଯାତ୍ରୀଙ୍କ ପାଇଁ BSNLର ଗୋଟିଏ ଗୋଟିଏ ସିମ ବ୍ୟବସ୍ଥା ମଧ୍ୟ କରାଯାଇଛି । ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ପରେ ସମସ୍ତଙ୍କୁ ବସରେ କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଯିବ । ଜିଲ୍ଲାପ୍ରଶାସନ, ସ୍ଥାନୀୟ ପୋଲିସ, କୋଚି ପୋର୍ଟ ଟ୍ରଷ୍ଟ, CISF, ପୋର୍ଟ ହେଲ୍ଥ ଅର୍ଗାନାଇଜେସନ, ଇମିଗ୍ରେସନ ଏବଂ ନୌସେନା ମିଳିତ ଭାବେ ଏହି ଅପରେସନର କାର୍ଯ୍ୟକାରୀ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.