ISI ଡିଜି ନିଯୁକ୍ତିକୁ ନେଇ ଇମ୍ରାନ ଓ ବାଜୱାଙ୍କ ମଧ୍ୟରେ ମତପାର୍ଥକ୍ୟ, ବଢ଼ିବ ସମସ୍ୟା

Published By : Prameya-News7 Bureau | October 13, 2021 IST

ଇସ୍ଲାମାବାଦ ୧୩।୧୦:  ଇମ୍ରାନ ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବାରେ ସେନାର ହାତ ଥିବା କଥା କାହାକୁ ଅଛପା ନାହିଁ। ଜେନେରାଲ କମର ଜାଭେଦ ବାଜୱା ଏଥିରେ ଇମ୍ରାନଙ୍କୁ ବେଶ ସହଯୋଗ କରିଥିଲେ। ତେବେ ବାଜୱାଙ୍କ ଅଧିକାର କ୍ଷେତ୍ରରେ ହସ୍ତକ୍ଷେପ କରିବାକୁ ଯାଇ ଏବେ ଇମ୍ରାନ ଅଡୁଆରେ ଫଶି ଯାଇଛନ୍ତି। ଫଳରେ ଇମ୍ରାନ ଓ ବାଜୱାଙ୍କ ମଧ୍ୟରେ ଏବେ ଫାଟ ସୃଷ୍ଟି ହୋଇଥିବା ପାକ୍ ଗଣମାଧ୍ୟମ ସୂଚନାରୁ ଜଣାପଡିଛି।

ନିକଟରେ ପାକ୍ ଗୁଇନ୍ଦା ଇଣ୍ଟରସର୍ଭିସ ଇଣ୍ଟେଲିଜେନ୍ସୀ (ଆଇଏସଆଇ) ମହାନିର୍ଦ୍ଦେଶକ ପଦବୀରେ ଅଦଳବଦଳ ହୋଇଛି। ଏଥିରେ ଲେଫ୍ଟନାଣ୍ଟ ଜେନେରାଲ ନଦୀମ ଅଞ୍ଜୁମଙ୍କୁ ଆଇଏସଆଇ ମୁଖ୍ୟ ଭାବେ ସରକାର ସ୍ୱୀକୃତି ପ୍ରଦାନ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ଆଇଏସଆଇ ମୁଖ୍ୟଙ୍କ ଅଦଳବଦଳ ବର୍ତ୍ତମାନ ଲାଗି ସ୍ଥଗିତ କରିବା ଲାଗି ଚାପ ପକାଉଛନ୍ତି। ପାକ୍ ସେନା ଏପରି ଚାପକୁ ବରଦାସ୍ତ କରୁନଥିବା ବେଳେ ସେନାମୁଖ୍ୟ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି।

{"id":526773,"sizeSlug":"full","linkDestination":"none"}

ପଡୋଶୀ ଆଫଗାନିସ୍ତାନରେ ଉପୁଜିଥିବା ପରିସ୍ଥିତି ପାଇଁ ଇମ୍ରାନ ବର୍ତ୍ତମାନ ଲାଗି ଆଇଏସଆଇ ମୁଖ୍ୟଙ୍କ ପରିବର୍ତ୍ତନ ଚାହୁଁ ନାହାନ୍ତି। ତେବେ ଏଥିଲାଗି ସେନା ସୁପାରିଶ ଉପରେ ନିଜର ସ୍ୱୀକୃତି ଦେଇ ସାରିଛନ୍ତି। ଆଇଏସଆଇ ମୁଖ୍ୟଙ୍କ ନିଯୁକ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିରେ ହୋଇଥାଏ। ତେବେ ଦୀର୍ଘକାଳ ହେଲା ସେନା ଏକପାଖିଆ ଭାବେ ନିଷ୍ପତ୍ତି ନେଉଥିବା ବେଳେ ପ୍ରଧାନମନ୍ତ୍ରୀ କେବଳ ସମ୍ମତି ପ୍ରଦାନ କରୁଛନ୍ତି। ଆଫଗାନିସ୍ତାନ ପରିସ୍ଥିତି ଲାଗି ପ୍ରଧାନମନ୍ତ୍ରୀ ଦେଶରେ କୌଣସି ପରିବର୍ତ୍ତନ ନ କରିବାକୁ ଚାହୁଁଛନ୍ତି। ତେବେ ସେନା ତାର କାମ ନିୟମିତ କରିଚାଲିଛି।

ନଦୀମ ଅଞ୍ଜୁମ ଆଇଏସଆଇ ମୁଖ୍ୟ ହେବା ନେଇ ଦେଶରେ ଖବର ପ୍ରଘଟ ହୋଇସାରିଥିଲା। ତେବେ ନିଯୁକ୍ତି ବିଳମ୍ବ ପରେ ଘଟଣା ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ହମ୍ମିଦ ଆଉ କିଛିକାଳ ଆଇଏସଆଇ ମୁଖ୍ୟ ରହନ୍ତୁ ବୋଲି ଚାହୁଁଥିବା ବେଳେ ସେନା ନିଜର ନିଷ୍ପତ୍ତି ନେଇସାରିଛି। ଏଥିରେ କୌଣସି ପରିବର୍ତ୍ତନ ସେନାଧ୍ୟକ୍ଷ ଚାହୁଁନଥିବାରୁ ଏବେ ପ୍ରଧାନମନ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖା ଦେଇଥିବା ଚର୍ଚ୍ଚା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.