ଗମ୍ଭୀର ରୋଗରେ ପୀଡିତ ଝିଅ, ଚିକିତ୍ସା ପାଇଁ ଦରକାର ୨୨ କୋଟିର ଇଞ୍ଜେକ୍ସନ: ସାହାଯ୍ୟ ପାଇଁ ମୋଦି ଓ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ ପିତା
28/02/2021 at 12:20 PM

ଗୋରଖପୁର ୨୮/୦୨ : ଉତ୍ତର ପ୍ରଦେଶ ଗୋରଖପୁର ଜିଲ୍ଲାର ଶାହପୁରର ବିକାଶ କଲୋନୀରେ ରହୁଥିବା ୬ ବର୍ଷର ଶିଶୁ ଗାରିମା (ପରୀ) ସ୍ପାଇନଲର ଏକ ଗମ୍ଭୀର ରୋଗରେ ପୀଡିତ। ସେ ନିଜ ଗୋଡରେ ଛିଡା ହୋଇପାରୁନାହାନ୍ତି। ନିଜ ଗୋଡରେ ଛିଡା ହେବାକୁ ତାଙ୍କୁ ୨୨ କୋଟି ଟଙ୍କା ଦରକାର। ଚିକିତ୍ସା ପାଇଁ ତାଙ୍କୁ ଯେଉଁ ଇଞ୍ଜେକ୍ସନ ଦରକାର ତାର ମୂଲ୍ୟ ୨୨ କୋଟି ଟଙ୍କା। ପରୀଙ୍କ ପିତା ମୁକ୍ତିନାଥ ଗୁପ୍ତା ଗୋରଖପୁରର ଜଣେ ଚିକିତ୍ସକଙ୍କ ଗାଡି ଚଲାନ୍ତି।
ସେ କହିଛନ୍ତି ଯେ ୨୦୧୧ ମସିହାରେ କୂଶୀନଗରର ମମତାଙ୍କ ସହ ତାଙ୍କର ବାହାଘର ହୋଇଥିଲା। ବାହାଘର ପରେ ଦୁଇଟି ସନ୍ତାନ ଜନ୍ମ ହେଲେ। ଜଣେ ୯ ବର୍ଷର ଅନିକେତ ଓ ୬ ବର୍ଷ ପରୀ। ଜନ୍ମ ପରେ ପରୀଙ୍କ ସ୍ୱାସ୍ଥ୍ୟ ଭଲ ନଥିଲା। ତାକୁ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ନେଇଯାଇଥିଲେ। ଡାକ୍ତର କ୍ୟାଲସିୟମ, ଭିଟାମିନ ଔଷଧ ଦେଇଥିଲେ ଓ କହିଥିଲେ ଧୀରେ ଧୀରେ ପରୀ ଠିକ ହେଇଯିବ। କିନ୍ତୁ ପରୀଙ୍କ ସ୍ୱାସ୍ଥ୍ୟରେ କୌଣସି ସୁଧାର ନ ହେବାରୁ ସେ ତାଙ୍କୁ ଗୋରଖପୁର ମେଡିକାଲ କଲେଜରେ ଡାକ୍ତରଙ୍କୁ ଦେଖାଇଥିଲେ। ସେଠାରେ ମଧ୍ୟ ଯାଞ୍ଚ ହେଲା କିନ୍ତୁ କିଛି ଲାଭ ହେଲାନି। ପରେ ପରୀ ସମ୍ପୂର୍ଣ୍ଣ ରୂପେ ପିତାମାତାଙ୍କ ଉପରେ ନିର୍ଭରଶୀଳ ହୋଇଯାଇଥିଲେ। ସେ ନା ଚାଲି ପାରିଲେ, ନା ଉଠି ପାରିଲେ। ଶେଷରେ ସେ ପରୀକୁ ଦିଲ୍ଲୀ ଏମ୍ସକୁ ନେଇଯାଇଥିଲେ। ସେଠାରେ ଜଣାପଡିଲା ଯେ ପରୀ ସ୍ପାଇନଲ ମସ୍କୁଲାର ଏଣ୍ଟ୍ରୋଫି ଭଳି ଗମ୍ଭୀର ରୋଗରେ ପୀଡିତ। ଏହାର ଚିକିତ୍ସା ବହୁତ ମହଙ୍ଗା।

ପରୀର ମା ମମତା କହିଛନ୍ତି ଯେ ସବୁବେଳେ ପରୀ ପାଇଁ ଚିନ୍ତିତ ରୁହନ୍ତି। ସେ ସ୍କୁଲ ଗଲେ ବି ତା କଥା ଚିନ୍ତା କରୁଥାନ୍ତି। ସାମାନ୍ୟ ଟିକେ ଧକ୍କା ଲାଗିଲେ ସେ ପଡ଼ିଯାଏ ଓ ଉଠିପାରେନି। ସ୍କୁଲ ପରିଚାଳକ ପରୀର ଯତ୍ନ ନିଅନ୍ତି। ଘରଲୋକ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଝିଅର ଚିକିତ୍ସା ପାଇଁ ସାହାଯ୍ୟ ମାଗିଥିଲେ। ସେ କହିଛନ୍ତି ଯେ ଝିଅର ଚିକିତ୍ସା ପାଇଁ ତାଙ୍କର ସକ୍ଷମ ନାହିଁ। ଈଶ୍ୱର ଓ ଲୋକଙ୍କ ଆଶୀର୍ବାଦ ଓ କାମନା ଉପରେ ଭରସା କରି ସାହାଯ୍ୟ ପାଇଁ ସରକାରଙ୍କୁ ଅପିଲ କରିଛନ୍ତି।
ପ୍ରୋଗରେସିଭ୍ ସ୍ପାଇନଲ୍ ମସ୍କୁଲାର୍ ଏଣ୍ଟ୍ରୋଫି ଏକ ଗମ୍ଭୀର ରୋଗ। ଏହି ରୋଗରେ ମାଂସପେଶୀ ଦୁର୍ବଳ ହୋଇଯାଏ। ଅଣ୍ଟା ତଳ ଭାଗ କାମ କରିବା ବନ୍ଦ କରିଦେଇଥାଏ। ଏହି ରୋଗରେ ପୀଡିତ ଥିଲେ ବାରମ୍ବାର ନିମୋନିଆ ବି ହୋଇଥାଏ। ଏହା ଏକ ଜେନେଟିକ ରୋଗ। ଏହା ଆବଶ୍ୟକୀୟ ପ୍ରୋଟିନ ନିର୍ମାଣ କରିବାରେ ବାଧା ସୃଷ୍ଟି କରିଥାଏ। ଯାହାଫଳରେ ତାନ୍ତ୍ରିକ ତନ୍ତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ ଏବଂ ମାଂସପେଶୀ ଦୁର୍ବଳ ହୋଇଯାଏ। ରୋଗୀଙ୍କୁ ନିଶ୍ୱାସ ନେବାରେ ମଧ୍ୟ ଅସୁବିଧା ହୋଇଥାଏ।