କ୍ରିକେଟରେ କଳାଦିନ: ଷ୍ଟମ୍ପ ଧରି ବ୍ୟାଟସମ୍ୟାନଙ୍କୁ ଆକ୍ରମଣ କରିଥିଲେ ଏହି ଭାରତୀୟ ବୋଲର
21/04/2020 at 11:12 AM

ଜାମସେଦପୁର, ୨୧|୦୪: ଏପରି ଅନେକ କ୍ରିକେଟର ରହିଛନ୍ତି ଯେଉଁମାନଙ୍କୁ ଭାରତୀୟ ଦଳରେ ପଦାର୍ପଣ ଟେଷ୍ଟ ଖେଳିବା ପାଇଁ ସୁଯୋଗ ମିଳିଛି କିନ୍ତୁ ଆଉ ପରେ ଦଳରେ ସ୍ଥାନ ମିଳି ନାହିଁ । ଅର୍ଥାତ ପଦାର୍ପଣ ମ୍ୟାଚ ହିଁ ସେହି କ୍ରିକେଟରଙ୍କ ପ୍ରଥମ ଓ ଶେଷ ଅନ୍ତରାଷ୍ଟ୍ରୀୟ ମ୍ୟାଚ ହୋଇଛି । ବିଭିନ୍ନ କାରଣ ପାଇଁ ସେମାନଙ୍କୁ ଦଳରେ ସାମିଲ କରାଯାଇ ନାହିଁ ।
ଭାରତ ତରଫରୁ କେବଳ ଗୋଟିଏ ଟେଷ୍ଟ ଖେଳିଥିବା ବାମହାତୀ ଦ୍ରୁତ ବୋଲର ରଶିଦ ପଟେଲଙ୍କ ନାମ ମଧ୍ୟ ଏହି ତାଲିକାରେ ସାମିଲ ଅଛି । ଏହି ବୋଲର ଭାରତ ପାଇଁ କେବଳ ଗୋଟିଏ ମ୍ୟାଚ ଖେଳିଥିଲେ । ଏହି ମ୍ୟାଚରେ ତାଙ୍କର ଯୋଗଦାନ ଶୂନ୍ୟ ରହିଥିଲା । ମ୍ୟାଚରେ ସେ କେବଳ ଏକ କ୍ୟାଚ ଧରିଥିଲେ ।

୧୯୯୮ ନଭେମ୍ବରରେ ସେ ଖେଳିଥିବା ଏକ ମାତ୍ର ଟେଷ୍ଟର ଉଭୟ ପାଳିରେ ବିନା କୌଣସି ରନରେ ଆଉଟ ହୋଇଥିଲେ । ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଗୋଟିଏ ହେଲେ ଓ୍ୱିକେଟ ମିଳିନଥିଲା । ଏହାପରେ ତାଙ୍କୁ ଗୋଟିଏ ଦିନିକିଆ ମ୍ୟାଚରେ ସୁଯୋଗ ମିଳିଥିଲେ ମଧ୍ୟ ସେ କୌଣସି ଓ୍ୱିକେଟ ନେଇପାରି ନଥିଲେ ।
ସେ ଏକ ଘରୋଇ ମ୍ୟାଚରେ ଏପରି କିଛି କରିଥିଲେ ଯାହା ଇତିହାସରେ କଳା ତାଲିକାରେ ଉଲ୍ଲେଖ ହୋଇ ରହିଛି । ଏହି ମ୍ୟାଚରେ ସ୍ଲେଜିଂ ଗଣ୍ଡଗୋଳ ଯାଏଁ ବଢିଯାଇ ଥିଲା । ସେ ଷ୍ଟମ୍ପ ଉଠାଇ ବ୍ୟାଟସମ୍ୟାନଙ୍କୁ ମାରିବା ପାଇଁ ଗୋଡାଇଥିଲେ । ଯାହା ଭାରତୀୟ କ୍ରିକେଟକୁ ବିଶ୍ୱ ଦରବାରରେ ଲଜ୍ଜିତ କରିଥିଲା । ସେ ଦିଲୀପ ଟ୍ରଫି ଫାଇନାଲରେ ଜାମସେଦପୁରର କିନନ ଷ୍ଟାଡିୟମରେ ନର୍ଥ ଜୋନର ବ୍ୟାଟସମ୍ୟାନନ ରମଣ ଲାମ୍ବାଙ୍କୁ ଷ୍ଟମ୍ପ ଧରି ମାରିବାକୁ ଗୋଡାଇଥିଲେ । ଏହାକୁ ଦେଖି ଷ୍ଟାଡିୟମରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ, ଖେଳାଳି ଚକିତ ହୋଇଯାଇଥିଲେ ।
ଏହି ମ୍ୟାଚର ଦ୍ୱିତୀୟ ଇନିଂସ ୧୦ମ ଓଭରରେ ଏହି ଘଟଣା ଦେଖିବାକୁ ମିଳିଥିଲା । ରଶିଦ ରାଉଣ୍ଡ ଦି ଓ୍ୱିକେଟ ବୋଲିଂ କରିଥିଲେ । କ୍ରିଜରେ ଥିବା ରମଣ ଲାମ୍ବା ଏହାକୁ ଡିଫେନ୍ସ କରିଥିଲେ । ସେହି ସମୟରେ ରଶିଦ ହିତାହିତ ଜ୍ଞାନ ଭୁଲି ରମଣଙ୍କୁ ଷ୍ଟମ୍ପରେ ଆକ୍ରମଣ ଉଦ୍ୟମ କରିଥିଲେ ।