କରୋନା ଭୟ : ଅଫିସ ଖାଲି କଲା ଇନଫୋସିସ, କର୍ମଚାରୀଙ୍କୁ ଘରେ ବସି କାମ କରିବାକୁ ଦେଲା ନିର୍ଦେଶ

Published By : Prameya-News7 Bureau | March 14, 2020 IST

ବେଙ୍ଗାଲୁରୁ ୧୪/୦୩ : ବେଙ୍ଗାଲୁରୁ ସ୍ଥିତ ଇନଫୋସିସ ଆଜି ନିଜ ଅଫିସ ଖାଲି କରିଦେଇଛି | ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହେବାପରେ ଇନଫୋସିସ ଏହିଭଳି ନିଷ୍ପତ୍ତି ନେଇଛି | କର୍ମଚାରୀଙ୍କୁ ଘରେ ବସି କାମ କରିବାକୁ ନିର୍ଦେଶ ଦେଇଛି ଇନଫୋସିସ |

ସୁରକ୍ଷା ଦୃଷ୍ଟିରୁ ବେଙ୍ଗାଲୁରୁ ସାଟେଲାଇଟ ବିଲଡିଙ୍ଗ ଏହିଭଳି ପଦକ୍ଷେପ ନେଇଛି | ଏହି ନିଷ୍ପତ୍ତି ଯୋଗୁଁ କର୍ମଚାରୀଙ୍କ କାମରେ କୌଣସି ଅସୁବିଧା ହେବନାହିଁ ବୋଲି କମ୍ପାନୀ ସ୍ପଷ୍ଟ କରିଛି | ମାର୍ଚ୍ଚ ୧୩ ତାରିଖ ସୁଦ୍ଧା କର୍ଣ୍ଣାଟକରେ ୬ଜଣ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଥିଲା | ଏପର୍ଯ୍ୟନ୍ତ ଦେଶରେ ୮୨ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି | ଏମାନଙ୍କ ମଧ୍ୟରୁ ୧୦ ଜଣ ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇସାରିଛନ୍ତି | ଏବେ ଯାଏଁ କରୋନା ଯୋଗୁଁ ଦେଶରେ ଦୁଇ ଜଣଙ୍କ ମୃତ୍ୟୁ ହୋଇସାରିଛି | ସେମାନଙ୍କ ମଧ୍ୟରୁ ଜଣେ କର୍ଣ୍ଣାଟକ ଏବଂ ଆଉ ଜଣେ ଦିଲ୍ଲୀର | 

ଅପରପକ୍ଷରେ କର୍ଣ୍ଣାଟକ ସରକାର ବେଙ୍ଗାଲୁରୁର ସମସ୍ତ ଆଇଟି ଏବଂ ବାୟୋଟେକ କମ୍ପାନୀ କର୍ମଚାରୀଙ୍କୁ ଗୋଟିଏ ସପ୍ତାହ ପାଇଁ ଘରେ ବସି କାମ କରିବାକୁ ନିର୍ଦେଶ ଦେଇଛି | କୌଣସି ଜରୁରୀକାଳୀନ ପରିସ୍ଥିତିରେ ଗ୍ଲୋବାଲ ହେଲ୍ପ ଡେସ୍କକୁ ଯୋଗାଯୋଗ କରିବା ପାଇଁ କର୍ମଚାରୀଙ୍କୁ କହିଛି କମ୍ପାନୀ |

ଇନଫୋସିସ ଛଡା ଗୁଗଲ, ମାଇଣ୍ଟ୍ରି, ଆମାଜନ, ୱିପ୍ରୋ, ଟେକ ମହିନ୍ଦ୍ରା ଭଳି କମ୍ପାନୀ ମଧ୍ୟ ନିଜ ନିଜ କର୍ମଚାରୀଙ୍କୁ ଘରେ ବସି କାମ କରିବାକୁ ନିର୍ଦେଶ ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.