ଟିକ୍‌ଟକ୍‌ ଷ୍ଟାର୍‌ଙ୍କ ଆତ୍ମହତ୍ୟା, ଲାଇଭ୍ ଷ୍ଟ୍ରିମିଂ ସମୟରେ ପିଇଦେଲେ କୀଟନାଶକ

Published By : Prameya-News7 Bureau | October 21, 2021 IST

ନୂଆଦିଲ୍ଲୀ ୨୧/୧୦: ଚାଇନାର ଜଣେ ୨୫ ବର୍ଷିୟା ସୋସିଆଲ ମିଡିଆ ଷ୍ଟାର୍ ଆତ୍ମହତ୍ୟା କରିଛନ୍ତି। ଲାଇଭ୍ ଷ୍ଟ୍ରିମିଂ ସମୟରେ ତାଙ୍କ ଫଲୋୟର୍ସ କୀଟନାଶକ ଔଷଧ ପିଇବାକୁ ତାଙ୍କୁ ଉସକାଇଥିଲେ ଏବଂ ଏହା କରିବା ପରେ ତାଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଲୁଓ ଚାଇନାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଡୁଓଇନ୍ ନାମକ ଜଣେ ଷ୍ଟାର୍ ଥିଲେ। ଇଣ୍ଟରନେଟରେ ତାଙ୍କର ଲକ୍ଷ ଲକ୍ଷ ଫଲୋୟର୍ସ ଥିଲେ, ଯାହାଙ୍କ ପାଇଁ ସେ ପ୍ରାୟ ପ୍ରତିଦିନ ବିଭିନ୍ନ ପ୍ରକାରର କଣ୍ଟେଣ୍ଟ ରଖୁଥିଲେ। ତାଙ୍କର ଶେଷ ଭିଡିଓରେ ଆସି ଲୁଓ ନିଜେ କହିଥିଲେ ଯେ ଏହା ବୋଧହୁଏ ତାଙ୍କର ଶେଷ ଭିଡିଓ, କାରଣ ସେ ଦୀର୍ଘ ସମୟ ଧରି ଡିପ୍ରେସନ୍‌ରେ ଥିଲେ। ସେ ପୂର୍ବରୁ ୨ ମାସ ହସ୍ପିଟାଲରେ ଥିଲେ। ଲୁଓ ଭିଡିଓରେ କହିଥିଲେ ସେ କୌଣସି ପ୍ରଡକ୍ଟ ବିକ୍ରୟ କରିବା ପାଇଁ ଏହି ଭିଡିଓ ପ୍ରସ୍ତୁତ କରୁନାହାଁନ୍ତି। ସେ ତାଙ୍କ ହାତରେ ଏକ କୀଟନାଶକ ବୋତଲ ଧରିଥିଲେ ଏବଂ ସେହି ସମୟରେ ଲାଇଭ୍ ଷ୍ଟ୍ରିମିଂ କରୁଥିଲେ।

ଲୁଓଙ୍କ ଜଣେ ଘନିଷ୍ଠ ବନ୍ଧୁଙ୍କ କହିବାନୁସାରେ, ସେ ଗତ କିଛି ମାସ ଧରି ତାଙ୍କ ପ୍ରେମିକ କାରଣରୁ ଚିନ୍ତିତ ଥିଲେ। ସେଦିନ ତାଙ୍କର କୀଟନାଶକ ପିଇ ମରିବାର ଉଦ୍ଦେଶ୍ୟ ନଥିଲା, ସେ କେବଳ ପ୍ରେମିକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଥିଲେ। ବିଷ ପିଇବା ପରେ ସେ ନିଜେ ମଧ୍ୟ ଆମ୍ବୁଲାନ୍ସକୁ ଡାକିଥିଲେ, କିନ୍ତୁ ସେତେବେଳକୁ ବିଷ ତାହାର ପ୍ରଭାବ ଦେଖାଇ ସାରିଥିଲା। ଯେତେବେଳେ ସେ ନିଜକୁ ମାରିବା ପାଇଁ କୀଟନାଶକ ପିଇଥିଲେ, ହଜାର ହଜାର ଲୋକ ତାଙ୍କୁ ଲାଇଭ୍ ଦେଖୁଥିଲେ। ଲୁଓଙ୍କର ୬ ଲକ୍ଷ ୭୦ ହଜାରରୁ ଅଧିକ ଫଲୋୟର୍ସ ଥିଲେ, କିନ୍ତୁ ସେହି ସମୟରେ କେହି ତାଙ୍କୁ ଏହି ବିପଦପୂର୍ଣ୍ଣ ପଦକ୍ଷେପ ନେବାକୁ ଅଟକାଇ ନଥିଲେ। ଏହି ଘଟଣାଟି ଅକ୍ଟୋବର ୧୪ରେ ଲୁଓଙ୍କ ସହିତ ଘଟିଥିଲା। ଘଟଣାର ପରଦିନ ଲୁଓଙ୍କର ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.