Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ସାଲିଆସାହିରେ ସଂକ୍ରମଣ: ମାଆର ରିପୋର୍ଟ ପଜିଟିଭ୍, ଛୁଆର ରିପୋର୍ଟ ନେଗେଟିଭ୍

5/06/2020 at 9:22 AM

ଭୁବନେଶ୍ୱର୫/୦୬: ସାଲିଆ ସାହିରେ ସଂକ୍ରମଣ। କ୍ୟାପିଟାଲ୍‌ ହସ୍ପିଟାଲରେ ଜଣେ ପ୍ରସୂତି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ମହିଳାଙ୍କ ଘର ରାଜଧାନୀର ସବୁଠୁ ବଡ଼ ବସ୍ତି ସାଲିଆସାହିରେ ବୋଲି ସୂଚନା ମିଳିଛି । ଏ ଖବର ମିଳିବା ପରେ ପ୍ରଶାସନର ନିଦ ହଜିଯାଇଛି ।

ଗତ ୨୪ ଘଣ୍ଟା ଭିତରେ ରାଜଧାନୀରେ ୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ରାତିରେ ମିଳିଥିବା ଖବର ସବୁଠି ବେଶି ଚିନ୍ତା ବଢ଼ାଇଛି । ସାଲିଆସାହିରେ ରହୁଥିବା ଜଣେ ମହିଳା ପ୍ରସବ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ୱାମୀ ଗୁଜରାଟ ଫେରନ୍ତା ହୋଇଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ମହିଳାଙ୍କୁ ଆଇସୋଲେସନ ୱାର୍ଡରେ ରଖିଥିଲେ । ତାଙ୍କ ନମୁନା ସଂଗ୍ରହ କରି କୋଭିଡ୍‌ ୧୯ ପରୀକ୍ଷା ପାଇଁ ପଠାଯାଇଥିଲା । ଗୋଟିଏ ପଟେ ତାଙ୍କର ପ୍ରସବ ହୋଇଥିବାବେଳେ ଅନ୍ୟ ପଟେ ତାଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଛି । ଏହା ପରେ ନବଜାତ ଶିଶୁର ନମୁନା ମଧ୍ୟ ପରୀକ୍ଷା ହୋଇଥିଲା । ଶିଶୁଟିର ରିପୋର୍ଟ ନେଗେଟିଭ୍‌ ଆସିଛି । ଏହା ପରେ ଉଭୟ ମା’ ଓ ନବଜାତ ଶିଶୁ କୋଭିଡ୍‌ ହସ୍ପିଟାଲକୁ ପଠାଯାଇଛି ।

ଏହି ମହିଳାଙ୍କୁ ନେଇ ଏବେ କରୋନା ସଂକ୍ରମଣ ଚିନ୍ତା ବଢ଼ିଛି । ସେ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ବସ୍ତିରେ କାହା ସଂସ୍ପର୍ଶରେ ଆସିଥିଲେ? ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ଆଉ କାହା ସଂସ୍ପର୍ଶରେ ଆସିଛନ୍ତି? ଏମିତି ଗୁଡ଼ାଏ ପ୍ରଶ୍ନ ସ୍ୱାସ୍ଥ୍ୟ ବିଭାଗ ଓ ବିଏମସିର ରକ୍ତଚାପ ବଢ଼ାଇ ଦେଇଛି । ତନାଘନା ଅନୁସନ୍ଧାନ ଆରମ୍ଭ କରିଦେଇଛି ପ୍ରଶାସନ । ପୁଲିସ ଟିମ୍‌ ସାଲିଆସାହିକୁ ପଠାଯାଇଛି । ଏହି ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରିବାକୁ ପ୍ରୟାସ ଜାରି ରହିଛି ।
ଏହାବାଦ୍‌ ରାଜଧାନୀରେ ଆଉ ୪ଜଣ ପଜିଟିଭ୍‌ ବାହାରିଛନ୍ତି । ସେଥିମଧ୍ୟରୁ ୩ଜଣ ସ୍ଥାନୀୟ ସଂକ୍ରମିତ । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ୱିଟ୍‌ କରି ୪ ପଜିଟିଭ୍‌ଙ୍କ ସମ୍ପର୍କରେ ସୂଚନା ଜାରି କରିଥିଲା ।

ବିଏମ୍‌ସି ସୂଚନା ମୁତାବକ, କଳିଙ୍ଗବିହାର ଅଞ୍ଚଳରୁ ଜଣେ ପଜିଟିଭ୍‌ ବାହାରିଛନ୍ତି । ସେ ହୋମ୍‌ କ୍ୱାରେଣ୍ଟାଇନରେ ଥିଲେ । ପୂର୍ବରୁ କଳିଙ୍ଗବିହାରରୁ ଚିହ୍ନଟ ହୋଇଥିବା ଅନ୍ୟ ଜଣେ ପଜିଟିଭ୍‌ଙ୍କ ସମ୍ପର୍କରେ ସେ ଆସିଥିବା କୁହାଯାଉଛି ।
ବାକି ୩ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ । ଏମାନେ କେହି କ୍ୱାରେଣ୍ଟାଇନରେ ନଥିଲେ । ଜଣେ ପଜିଟିଭ୍‌ ଆଇଗିଣିଆ ଅଞ୍ଚଳର । ତାଙ୍କ ସଂସ୍ପର୍ଶରେ କିଏ ଆସିଛନ୍ତି, ପ୍ରଶାସନ ସେମାନଙ୍କ ଖୋଳତାଡ଼ ଚଳାଇଛି ।

ଆଉ ଜଣେ କରୋନା ପଜିଟିଭ୍‌ ଏମ୍ସର ଡାକ୍ତର ବୋଲି ଜଣାପଡ଼ିଛି । ସେ ଏମ୍ସର କୋଭିଡ୍‌ ପଜିଟିଭ୍‌ ୱାର୍ଡରେ ଚିକିତ୍ସା ସେବା ଯୋଗାଉଥିଲେ । କୋଭିଡ୍‌ ୱାର୍ଡରେ ଡ୍ୟୁଟି କରି ଆକ୍ରାନ୍ତ ହେବାରେ ସେ ରାଜ୍ୟର ପ୍ରଥମ ଡାକ୍ତର । ଏମ୍ସ ପକ୍ଷରୁ ଭିଡିଓ ଫୁଟେଜରେ ଏହି ଡାକ୍ତରଙ୍କ ସଂସ୍ପର୍ଶରେ କିଏ ଆସିଛନ୍ତି, ତାହାର ଯାଞ୍ଚ୍‌ କରାଯାଇଛି । ଭିଡିଓ ଫୁଟେଜ ଦେଖିବା ପରେ ଅନ୍ୟ ଜଣେ ଡାକ୍ତର ବିନା ମାସ୍କରେ ତାଙ୍କ ସହ ୧୦ରୁ ୧୫ ମିନିଟ୍‌ କଥା ହେଉଥିବା ଦେଖିବାକୁ ମିଳିଥିଲା । ଏମ୍ସ କର୍ତ୍ତୃପକ୍ଷ ସଂପୃକ୍ତ ଡାକ୍ତରଙ୍କୁ ତୁରନ୍ତ କ୍ୱାରେଣ୍ଟାଇନକୁ ପଠାଇ ଦେଇଛନ୍ତି । ଏହି ଘଟଣା ପରେ ଏମ୍ସରେ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଛନକା ପଶିଛି । ପଜିଟିଭ୍‌ ଚିହ୍ନଟ ହୋଇଥିବା ଡାକ୍ତର କୋଭିଡ୍‌ ପଜିଟିଭ୍‌ ୱାର୍ଡ ସହ କୋଭିଡ୍‌ ସନ୍ଦିଗ୍ଧ ୱାର୍ଡରେ ମଧ୍ୟ ଚିକିତ୍ସା କରିଥିଲେ । ସେ କେଉଁ ଉତ୍ସରୁ କରୋନା ଆକ୍ରାନ୍ତ ହେଲେ, ତାହା ଜଣାପଡ଼ିନି । ଏ ନେଇ ଉଭୟ ୱାର୍ଡରେ କର୍ତ୍ତୃପକ୍ଷ ଅନୁଧ୍ୟାନ ଚଳାଇଛନ୍ତି ।

ଡୁମୁଡୁମା ଅଞ୍ଚଳରୁ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବିଏମ୍‌ସି ଜଣାଇଛି । ପୂର୍ବରୁ କଳିଙ୍ଗବିହାରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସିଥିବା କୁହାଯାଉଛି । ଯଦିଓ ସେ ସିଧାସଳଖ ପଜିଟିଭ୍‌ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିନଥିଲେ, ତେବେ ପରୋକ୍ଷରେ ପଜିଟିଭ ଚିହ୍ନଟଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି । ଡୁମଡୁମାରୁ ପଜିଟିଭ୍‌ ବାହାରିବା ପରେ ସ୍ଥାନୀୟ ଅଞ୍ଚଳରେ କରୋନା ଡର ପଶିଛି ।

ବିଏମସି ପକ୍ଷରୁ ନିଳାଦ୍ରିବିହାରସ୍ଥିତ ‘ତତ୍ତ୍ୱ ଟେକ୍ନୋଲୋଜି’ ନାମକ ଏକ କଲ୍‌ ସେଣ୍ଟରକୁ ସିଲ୍‌ କରାଯାଇଛି । ନିକଟରେ ଚିହ୍ନଟ ହୋଇଥିବା ଜଣେ ପଜିଟିଭ୍‌ ଏହି ଅଫିସରେ ପୂର୍ବରୁ କାମ କରୁଥିବା ଜାଣିବାକୁ ମିଳିବା ପରେ ବିଏମ୍‌ସି ଏହାକୁ ସିଲ୍‌ କରିଛି ।

ବିଏମ୍‌ସି କମିଶନର ପ୍ରେମଚାନ୍ଦ ଚୌଧୁରୀ କହିଛନ୍ତି, ଆଜି ଚିହ୍ନଟ ହୋଇଥିବା ଅଧିକାଂଶ ପୂର୍ବରୁ ଚିହ୍ନଟ ହୋଇଥିବା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି । ତେଣୁ କୌଣସି ଅଞ୍ଚଳକୁ ବର୍ତ୍ତମାନ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇନି । ଏସବୁ ଅଞ୍ଚଳରେ ଘର ଘର ବୁଲି ସର୍ବେକ୍ଷଣ କରାଯାଉଛି । ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ଓ ନିକଟ ସମ୍ପର୍କୀୟଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।

   Related Posts