ଆକ୍ରାନ୍ତଙ୍କ ପାଖରେ ୧ ମିନିଟ ରହିଲେ ହେଉଛି ସଂକ୍ରମଣ, ବହୁତ ଘାତକ ହୋଇଯାଇଛି କରୋନା ଭାଇରସ

Published By : Prameya-News7 Bureau | April 15, 2021 IST

ନୂଆଦିଲ୍ଲୀ,୧୫/୦୪ :  ଦେଶରେ କରୋନା ବିସ୍ଫୋରଣ ହୋଇଛି । ୨ ଲକ୍ଷ ପାଖାପାଖି କେସ୍ ସାମ୍ନାକୁ ଆସୁଛି । ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଛି ଏହି ଚୀନ୍ ଭାଇରସ । ଭାଇରସର ଦ୍ୱିତୀୟ ଲହର ପ୍ରଥମ ଅପେକ୍ଷା ଅଧିକ ଘାତକ ସାବ୍ୟସ୍ତ ହୋଇଛି । ଏହାମଧ୍ୟରେ ସଂକ୍ରମଣକୁ ନେଇ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି ।ବିଶେଷଜ୍ଞଙ୍କ କହିବାନୁସାରେ, କରୋନା ଭାଇରସ ଏତେମାତ୍ରାରେ ଶକ୍ତିଶାଳୀ ଯେ, କୌଣସି ଆକ୍ରାନ୍ତଙ୍କ ସହ ୧ ମିନିଟ୍ ରହିଲେ ଜଣେ ସୁସ୍ଥ ବ୍ୟକ୍ତି ମଧ୍ୟ ସଂକ୍ରମିତ ହୋଇଯିବେ । ପୁରା ପରିବାର ମାତ୍ର ୧ ମିନିଟରେ ସଂକ୍ରମିତ ହେବାର ବିପଦ ରହିଛି ।

ଏନବିଟି ରିପୋର୍ଟ ଅନୁସାରେ, ଦିଲ୍ଲୀର ବିଏଲକେ ସୁପର ସ୍ପେସିଆଲିଟି ହସ୍ପିଟାଲର ଡ. ସଞ୍ଜିବ ନବ୍ୟର କହିଛନ୍ତି ଯେ, ଭାଇରସ ବହୁତ ଜୋରରେ ବ୍ୟାପୁଛି । ଏହାଏତେ ଶକ୍ତିଶାଳୀ ଯେ ୧ ମିନିଟରେ ଅନ୍ୟଜଣଙ୍କୁ ସଂକ୍ରମିତ କରିପାରିବ । ଗତଥର କିନ୍ତୁ ଭାଇରସର ଏପରି ରୂପ ନଥିଲା । ପୂର୍ବରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ୧୦ ମିନିଟ୍ ପରେ ସଂକ୍ରମଣ ବିପଦ ରହୁଥିଲା । ଏବେ ଦିଲ୍ଲୀର ୩୦ରୁ ୪୦ ବର୍ଷର ଯୁବକ ଅଧିକ ସଂକ୍ରମିତ ହେଉଛନ୍ତି । କାରଣ ଲୋକମାନେ ବେଶୀ ବାହାରକୁ ବାହାରୁଛନ୍ତି ।

ସେ ଆହୁରି କହିଛନ୍ତି ଯେ, ସ୍ଥିତି ଏପରି ଅଛି ଯେ, ଜଣେ ବ୍ୟକ୍ତି ସଂକ୍ରମିତ ହେଲେ ପୁରା ପରିବାର ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଆଇସୋଲେସନରେ ରହୁଥିବା ଲୋକ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ସଂକ୍ରମିତ କରୁଛନ୍ତି । ପ୍ରଥମେ ଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲା । କିନ୍ତୁ ଏବେ ବାନ୍ତି ହେବା ସହ ଅନ୍ୟ ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି । ଚର୍ମରେ ଲାଲ୍ ଦାଗ ହୋଇଯାଉଛି ।

ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୯୯ ହଜାର ୫୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ଭାରତରେ ଗୋଟିଏ ଦିନରେ ସର୍ବାଧିକ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଅଟେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.