୨୪ ଘଣ୍ଟାରେ ୮ ହଜାର ୧୭୧ ନୂଆ ମାମଲା : ସଂକ୍ରମଣ ମାମଲାରେ ସପ୍ତମ ସ୍ଥାନରେ ଭାରତ

Published By : Prameya-News7 Bureau | June 02, 2020 IST

ନୂଆଦିଲ୍ଲୀ ୦୨/୦୬ : ଦେଶରେ କରୋନା ସଂକ୍ରମଣକୁ ବ୍ରେକ ଲାଗୁନି | ପ୍ରତିଦିନ ସଂକ୍ରମଣ ମାମଲା ବଢି ବଢି ଚାଲିଛି | ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ମାମଲା ୧ ଲକ୍ଷ ୯୮ ହଜାର ୭୦୬ ରେ ପହଞ୍ଚି ସାରିଛି | ସୋମବାର ୮ ହଜାର ୧୭୧ ନୂଆ ମାମଲା ସାମ୍ନାକୁ ଆସିଛି | ୨୦୪ ଜଣଙ୍କ ମୃତ୍ୟୁ ହୋଇଛି | ମହାରାଷ୍ଟ୍ରରେ ସଂକ୍ରମଣ ସଂଖ୍ୟା ୭୦ ହଜାର, ଦିଲ୍ଲୀ ଓ ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ପାର ହୋଇଛି | କରୋନା ସଂକ୍ରମଣ ଦେଶର ୨୮ ରାଜ୍ୟକୁ ଆକ୍ରାନ୍ତ କରି ସାରିଛି | ୭ଟି କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟ କରୋନା କବଜାରେ | ଏଥିରେ ଦିଲ୍ଲୀ, ଚଣ୍ଡୀଗଡ଼, ଆଣ୍ଡାମାନ ନିକୋବର, ଜାମ୍ମୁ-କାଶ୍ମୀର, ଲଦାଖ, ପୁଡୁଚେରୀ ଓ ଦାଦରାନଗର ହବେଲି ସାମିଲ ରହିଛି |

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତାଜା ଖବର ଅନୁଯାୟୀ, ଦେଶରେ ବତ୍ତମାନ ୯୭ ହଜାର ୫୮୧ ଆକ୍ଟିଭ ମାମଲା ରହିଛି | କରୋନା ମହାମାରୀରେ ଏବେ ସୁଦ୍ଧା ୫ ହଜାର ୫୯୮ ଜଣଙ୍କର ମୃତ୍ୟୁ ହୋଇସାରିଛି | ଅପରପକ୍ଷରେ ୯୫ ହଜାର ୫୨୬ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି | ଆଉ ଜଣେ ସଂକ୍ରମିତ ବିଦେଶ ଫେରି ଯାଇଛନ୍ତି |

Worldometers ୱେବସାଇଟ ଅନୁଯାୟୀ, ଦେଶରେ କରୋନା ମୃତ୍ୟୁହାର ପ୍ରତି ୧୦ ଲକ୍ଷରେ ୪ ରହିଛି | କରୋନା ପୀଡିତ ଟପ ୫୦ ଦେଶ ମଧ୍ୟରେ କେବଳ ଚୀନ ଏମିତି ଦେଶ ଯେଉଁଠାରେ ମୃତ୍ୟୁହାର ଭାରତରୁ କାମ ରହିଛି | ଦେଶରେ ବର୍ତ୍ତମାନ ପ୍ରତିଦିନ ପାଖାପାଖି ୮ ହଜାର ନୂଆ ମାମଲା ସାମ୍ନାକୁ ଆସୁଛି | ଏପଟେ ପ୍ରତିଦିନ ପାଖାପାଖି ୨୦୦ ଜଣଙ୍କ ମୄଯତୁ ମଧ୍ୟ ହେଉଛି | ପ୍ରତିଦିନ ଆସୁଥିବା ନୂଆ ମାମଲା ଏବଂ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଅନ୍ତର ଲଗାତାର କମ ହେବାକୁ ଲାଗିଛି |

ମହାରାଷ୍ଟ୍ରରେ ସୋମବାର ଦିନ ୨ ହଜାର ୩୬୧ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୭୬ଜଣଙ୍କ ମୃତ୍ୟୁ ହୋଇଥିଲା | ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୭୦ ହଜାର ୧୩ ରେ ପହଞ୍ଚିଛି |

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ଭାରତ ସଂକ୍ରମଣ ମାମଲାରେ ଦୁନିଆର ସପ୍ତମ ସ୍ଥାନରେ ରହିଛି | କିନ୍ତୁ ଦେଶରେ ଗୋଷ୍ଠୀ ସଂକ୍ରମଣ ମାମଲା ନାହିଁ | ବିଶେଷଜ୍ଞ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହସ୍ତାନ୍ତର କରାଯାଇଥିବା ରିପୋର୍ଟରେ ଦାବି କରାଯାଇଛି ଯେ, ଅଧିକ ଓ ମାଧ୍ୟମ ଜନସଂଖ୍ୟା ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ପଷ୍ଟ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.