ଆଜିଠୁ ଆରମ୍ଭ ହେଉଛି ଶିଳ୍ପ ମହାକୁମ୍ଭ ମେକ ଇନ ଓଡିଶା କନକ୍ଲେଭର ଦ୍ବିତୀୟ ସଂସ୍କରଣ
11/11/2018 at 11:00 AM

ଭୁବନେଶ୍ବର ୧୧/୧୧: ଆଜିଠୁ ଆରମ୍ଭ ହେଉଛି ଶିଳ୍ପ ମହାକୁମ୍ଭ ମେକ ଇନ ଓଡିଶା କନକ୍ଲେଭର ଦ୍ବିତୀୟ ସଂସ୍କରଣ। ଭୁବନେଶ୍ବର ଜନତା ମଇଦାନରେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମିଳନୀକୁ ଉଦଘାଟନ କରିବେ। ଏହି ଦ୍ବିବାର୍ଷିକ କାର୍ଯ୍ୟକ୍ରମ ୫ ଦିନ ଧରି ଚାଲିବ। ଏଥର ସମ୍ମିଳନୀରେ ଦେଶ ବିଦେଶରୁ ପ୍ରାୟ ୮୦୦ ଶିଳ୍ପପତି ଓ ୧୫୦ ବିଶେଷଜ୍ଞ ଯୋଗଦେବେ। ମେକ ଇନ ଓଡିଶା ପାଇଁ ଜାପାନ ହେଉଛି ଏଥରର ସହଯୋଗୀ ରାଷ୍ଟ୍ର। ଶିଳ୍ପ ସହିତ ୧୫ଟି ବିଭାଗର କାର୍ଯ୍ୟକ୍ରମ ଏଥିରେ ସ୍ଥାନ ପାଇବ। କନକ୍ଲେଭକୁ କେବଳ ଶିଳ୍ପ ପାଇଁ ପୁଞ୍ଜି ନିବେଶର ସମ୍ଭାବନା ଭିତରେ ସୀମିତ ରଖାଯିବନି। ଓଡିଶା ଶିଳ୍ପ କ୍ଷେତ୍ରରେ କେତେ ସଫଳତା ପାଇଛି ତାହା ବିଶ୍ବବାସୀଙ୍କ ନଜରକୁ ଅଣାଯିବ । ଏଥର ସମ୍ମିଳନୀରେ ମୁକେଶ ଅମ୍ବାନୀ,କୁମାର ମଙ୍ଗଳମ ବିର୍ଲା,ଟାଟା ଗ୍ରୁପର ଚେୟାରମ୍ୟାନ ଏନ ଚନ୍ଦ୍ରଶେଖରନ,ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଜନତା ମଇଦାନରେ ଶିଳ୍ପପତି, ବିଶେଷଜ୍ଞ,ସାଧାରଣ ଲୋକ ଓ ସାମ୍ବାଦିକମାନଙ୍କ ପ୍ରବେଶ ପାଇଁ ୩ଟି ଭିନ୍ନ ଭିନ୍ନ ଗେଟ କରାଯାଇଛି। ସେଗୁଡିକ ହେଲା କଳିଙ୍ଗ,ଏକାମ୍ର ଓ ବାରବାଟି ଗେଟ୍ । କଳିଙ୍ଗ ଗେଟ ଦେଇ ସାଧାରଣ ଲୋକ ସମ୍ମିଳନୀ ସ୍ଥଳକୁ ପ୍ରବେଶ କରିପାରିବେ। ଏକାମ୍ର ଗେଟ୍ ଦେଇ ଭିଭିଆଇପି ଓ ବିଶେଷଜ୍ଞ ଯାଇପାରିବେ । ବାରବାଟି ଗେଟ୍ ଦେଇ କେବଳ ସାମ୍ବାଦିକମାନେ ଭିତରକୁ ପ୍ରବେଶ କରିପାରିବେ । ଏଥର ସମ୍ମିଳନୀର ମୁଖ୍ୟ ଆକର୍ଷଣ ରହିଛି ଦେଓମାଳୀ ଗମ୍ବୁଜ। ଏହା ହେଉଛି ଏକ ବୃହଦାକାର ଗମ୍ବୁଜ। ଏଠାରେ ଓଡିଶା ସମ୍ପର୍କରେ ବିଭିନ୍ନ ସୂଚନା ପ୍ରଦର୍ଶିତ ହେବ।