ଦେଶର ସବୁଠୁ ସ୍ୱଚ୍ଛ ସହର କେମିତି ହେଲା କରୋନା ହଟସ୍ପଟ୍ ? ଏବେ ଯାଏଁ ୨୨ ଜଣଙ୍କ ଯାଇଛି ଜୀବନ

Published By : Prameya-News7 Bureau | April 09, 2020 IST

ନୂଆଦିଲ୍ଲୀ ୦୯/୦୪ : ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଗତିବିଧିରେ ସବୁବେଳେ ସକ୍ରିୟ ଥିବା ମଧ୍ୟପ୍ରଦେଶର ସବୁଠାରୁ ବଡ ସହର ଇନ୍ଦୋର କରୋନା ପ୍ରକୋପ ଯୋଗୁଁ କର୍ଫ୍ୟୁ ଘେରରେ ରହିଛି | ଦ୍ରୁତ ଗତିରେ ଏହି ମହାମାରୀ ବ୍ୟାପୁଥିବା ସରକାରଙ୍କ ଚିନ୍ତା ବଢ଼ାଇଛି | ପୀଡିତଙ୍କ ମୃତ୍ୟୁକୁ ନେଇ ମଧ୍ୟ ସରକାର ଚିନ୍ତିତ | କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ, ଦେଶରେ ଆଜି ସକାଳ ସୁଦ୍ଧା ସଂକ୍ରମଣ ସଂଖ୍ୟା ୫୭୩୪ ରହିଥିଲା ଏବଂ ମୃତକଙ୍କ ସଂଖ୍ୟା ୧୬୬ ଥିଲା |

ମଧ୍ୟପ୍ରଦେଶ ସରକାରଙ୍କ ସୂଚନା ଅନୁଯାୟୀ, ଆଜି ସକାଳ ସୁଦ୍ଧା ଇନ୍ଦୋରରେ ୨୧୩ ଜଣ ସଂକ୍ରମିତ ହୋଇଥିବାବେଳେ ୨୨ ଜଣ ପ୍ରାଣ ହରାଇ ସାରିଛନ୍ତି | ଅର୍ଥାତ ଇନ୍ଦୋରରେ କରୋନା ସଂକ୍ରମଣ ମୃତ୍ୟୁ ୧୦.୩୩ ପ୍ରତିଶତ | ଦେଶର ମୃତ୍ୟୁ ହାର ତୁଳନାରେ ଇନ୍ଦୋରରେ କରୋନା ମୃତ୍ୟୁ ହାର ଅଧିକ ରହିଛି | ତେବେ ସ୍ଥାନୀୟ ପ୍ରଶାସନ ପ୍ରାଥମିକ ସ୍ଥରରେ କରୋନା ମୁକାବିଲା ପାଇଁ ଉଚିତ ପଦକ୍ଷେପ ନ ନେଇଥିବା ଅଭିଯୋଗ ହେଉଛି | ଯେଉଁଥିପାଇଁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଛି |

ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ସାମାଜିକ କର୍ମୀ ଅମୁଲ୍ୟ ନିଧି କହିଛନ୍ତି ଯେ, ମହାରାଷ୍ଟ୍ର, ରାଜସ୍ଥାନ ଓ ଗୁଜୁରାଟ ଭଳି ପଡୋଶୀ ରାଜ୍ୟରେ କରୋନା ମାମଲା ସାମ୍ନାକୁ ଆସିବା ପରେ ଇନ୍ଦୋରରେ ଯାତ୍ରୀଙ୍କ ଯାଞ୍ଚ କଡାକଡି କରାଯାଇଥିଲା ଯେଉଁମାନେ ବିମାନ ଯୋଗେ ଇନ୍ଦୋର ଆସିଥିଲେ | କିନ୍ତୁ କେବଳ ବିମାନ ଯୋଗେ ଆସୁଥିବା ଯାତ୍ରୀଙ୍କ ଯାଞ୍ଚ କରିବା ଭୁଲ ନିଷ୍ପତ୍ତି ଥିଲା | କାରଣ ଯେହେତୁ ଇନ୍ଦୋର ଏକ ବଡ ଵାଣିଜ୍ୟକ କେନ୍ଦ୍ର ଏଠାକୁ ଟ୍ରେନ ଯୋଗେ ଓ ରାଜପଥ ଦେଇ ମଧ୍ୟ ଅନେକ ରାଜ୍ୟର ହଜାର ହଜାର ଲୋକ ପ୍ରତିଦିନ ସହରକୁ ଯିବା ଆସିବା କରିଥାନ୍ତି | ପ୍ରଥମରୁ କରୋନା ଯାଞ୍ଚ ସଠିକ ଭାବରେ କରାଯାଇନଥିବା ସେ କହିଛନ୍ତି | ଯେଉଁଥିପାଇଁ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି |

ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣ ଭୟ ଯୋଗୁଁ ଜିଲ୍ଲା ପ୍ରଶାସନ ମାର୍ଚ୍ଚ ୨୩ ତାରିଖରୁ ୩ ଦିନିଆ ଲକଡାଉନ ଘୋଷଣା କରିଥିଲେ | କିନ୍ତୁ କରୋନା ରୋଗୀ ଚିହ୍ନଟ ହେବାପରେ ମାର୍ଚ୍ଚ ୨୫ ତାରିଖରେ ସହର ସୀମାରେ କର୍ଫ୍ୟୁ ଜାରି କରାଯାଇଥିଲା | ଅମୁଲ୍ୟ ନିଧି କହିଛନ୍ତି ଯେ, ଇନ୍ଦୋର ଭଳି ଜନଗହଳିପୂର୍ଣ୍ଣ ସହରକୁ ମାର୍ଚ୍ଚ ପହିଲାରୁ କରିବାର ଥିଲା | ୩୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ଏହି ସହରରେ ଲଗାତାର ଅଲଗା ଅଲଗା ଜାଗାରୁ କରୋନା ରୋଗୀ ଚିହ୍ନଟ ହେଉଛନ୍ତି |

ରାଷ୍ଟ୍ରୀୟ ସ୍ୱଚ୍ଛତା ରେଂକିଙ୍ଗରେ ଲଗାତାର ୩ ଥର ପ୍ରଥମ ଆସିଛି ଇନ୍ଦୋର ସହର | କିନ୍ତୁ ବର୍ତ୍ତମାନ କରୋନା ତୃତୀୟ ଷ୍ଟେଜରେ ପହଞ୍ଚି ନାହିଁ | ବର୍ତ୍ତମାନ ଏଠାରେ କରୋନାର ସାମୁହିକ ପ୍ରସାର ସ୍ଥର ସ୍ପଷ୍ଟ ହୋଇନାହିଁ |

ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, କରୋନା ଯୋଗୁଁ ପ୍ରାଣ ହରାଇଥିବା ଅଧିକାଂଶ ରୋଗୀ ବିଳମ୍ବରେ ହସ୍ପିଟାଲରେ ପହଞ୍ଚିଥିଲେ ଏବଂ ତାଙ୍କ ଅବସ୍ଥା ଗମ୍ଭୀର ଥିବା ଯୋଗୁଁ ତାଙ୍କୁ ସିଧାସଳଖ ଆଇସିୟୁରେ ରଖାଯାଇଥିଲା | ଏମାନଙ୍କ ମଧ୍ୟରେ କରୋନା ଛଡା ଅନ୍ୟାନ୍ୟ ପୁରୁଣା ରୋଗ ମଧ୍ୟ ରହିଥିଲା |

ସୂଚନାଯୋଗ୍ୟ ଯେ, ସହରର ଅନେକ ସ୍ଥାନରେ ଲୋକଙ୍କ ଭିଡ ଦେଖିବା ପରେ ପ୍ରଶାସନ କର୍ଫ୍ୟୁ ଜାରି କରିଛନ୍ତି | ସଂକ୍ରମଣ ସଂଖ୍ୟା ଆହୁରି ବଢିଲେ ନିୟମ ଆହୁରି କଡାକଡି କରାଯିବ ବୋଲି ପ୍ରଶାସନ ନିର୍ଦେଶ ଦେଇଛନ୍ତି | ଆବଶ୍ୟକୀୟ ଜିନିଷ ଯେଭଲିକି କ୍ଷୀର, ରାସନ, ଆଳୁ ପିଆଜ ଭଳି ଜିନିଷ ଘରକୁ ଘର ଯୋଗାଇବା ପାଇଁ ପ୍ରଶାସନ ବ୍ୟବସ୍ଥା କରିଛି | ଯାହାଫଳରେ ଲୋକେ ଘରୁ ବାହାରିବେ ନାହିଁ |

ରାଜ୍ୟରେ ଯେତେବେଳେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଥିଲା ସେତେବେଳେ କମଲନାଥ ସରକାର ଅନ୍ୟ ବାଗୀ ବିଧାୟକଙ୍କ ଯୋଗୁଁ ପତନ ସୀମାରେ ଥିଲେ | ସେତେବେଳେ ସରକାର ଜନତାଙ୍କୁ ବଞ୍ଚାଇବା ପାଇଁ ସରକାରୀ ବ୍ୟବସ୍ଥା ଉପରେ ରାଜନୈତିକ ଓ ପ୍ରଶାସନିକ ଭୁଲ ସ୍ପଷ୍ଟ ବାରି ହୋଇପଡୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.