ବିଜେପି ମନ୍ତ୍ରୀଙ୍କ ବିବାଦୀୟ ବୟାନ-'ଉଚ୍ଚ କୋଟିର ଦଲାଲ୍ ଚଲାଉଛନ୍ତି କୃଷକ ଆନ୍ଦୋଳନ'

Published By : Prameya-News7 Bureau | December 15, 2020 IST

ଇନ୍ଦୋର ୧୫/୧୨ : ବିଜେପି ଓ କେନ୍ଦ୍ର ସରକାରଙ୍କୁ କୃଷକ ଆନ୍ଦୋଳନ ଯୋଗୁଁ ବିରୋଧୀ ଦଳ ଲଗାତାର ଟାର୍ଗେଟ କରୁଛନ୍ତି। ମଧ୍ୟ ପ୍ରଦେଶର ପର୍ଯ୍ୟଟନ-ସଂସ୍କୃତି ଓ ଅଧ୍ୟାତ୍ମ ବିଭାଗ ମନ୍ତ୍ରୀ ଉଷା ଠାକୁର ମଙ୍ଗଳବାର ଦିନ ନିଜ ଦଳ ଓ ସରକାରଙ୍କୁ ରକ୍ଷା କରିବାକୁ ବାହାରିଛନ୍ତି। ସେ କହିଛନ୍ତି ପଞ୍ଜାବ ଓ ହରିୟାଣାରେ ଉଚ୍ଚ କୋଟିର ଦଲାଲ ସୁନିୟୋଯିତ ଉପାୟରେ କୃଷକ ଆନ୍ଦୋଳନ ଚଲାଇଛନ୍ତି। ବାମପନ୍ଥୀ ଚିନ୍ତାଧାରା ଓ ଟୁକୁଡା ଗ୍ୟାଙ୍ଗ ଚାଷୀଙ୍କ ପରିସ୍ଥିତିର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏହି ଗ୍ୟାଙ୍ଗ କେବେ ବି ସଫଳ ହେବନାହିଁ। ମିଛର ଷଡଯନ୍ତ୍ର ବେଶୀ ଦିନ ଚାଲିବନି ବୋଲି ଉଷା ଠାକୁର କହିଛନ୍ତି।

ଉଷା ଠାକୁର କହିଛନ୍ତି କୃଷକ ଆଇନର ଭ୍ରମ ଦୂର କରିବାକୁ ବିଜେପି ଜନ ସଚେତନତା ଅଭିଯାନ ଆରମ୍ଭ କରିଛି। ରାଜ୍ୟର ପ୍ରତ୍ୟେକ ଚାଷୀଙ୍କୁ କୃଷି ବିଧେୟକ ବିଲ ସମ୍ବନ୍ଧୀୟ ତଥ୍ୟ ପହଞ୍ଚାଇବା ଦଳର ଦାୟିତ୍ୱ। ବିଜେପି ବର୍ତ୍ତମାନ ଚାଷୀଙ୍କ ଭ୍ରମ ଦୂର କରିବାକୁ ମେଗା ପ୍ଲାନ ପ୍ରସ୍ତୁତ କରିଛି। ବିଜେପିର ବଡ ବଡ ନେତା କୃଷି ଆଇନର ଫାଇଦା ବୁଝାଇବେ। କୃଷକମାନଙ୍କୁ ବୁଝାଇ ଦିଆଯିବ ଯେ ବିଜେପି ସରକାରଙ୍କ ଶୀର୍ଷ ପ୍ରାଥମିକତା ତାଲିକାରେ ଗାଁ, ଗରିବ ଓ ଚାଷୀ ଅଛନ୍ତି। କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ କୃଷି ଆଇନ ଚାଷୀଙ୍କୁ ଅଧିକ ବିକଳ୍ପ ଓ ଅବସର ପ୍ରଦାନ କରିବ।

ଉଷା ଠାକୁର କହିଛନ୍ତି, ବିଜେପି ଏହି ଅଭିଯାନ ଅନୁଯାୟୀ ଡିସେମ୍ବର ୧୬ ତାରିଖରେ ଇନ୍ଦୋରର ଦଶହରା ମଇଦାନରେ କୃଷକ ସମ୍ମିଳନୀ ହେବ। ଏଥିରେ ଇନ୍ଦୋରର ସମସ୍ତ ଚାଷୀ ସାମିଲ ହେବେ। ସମ୍ମିଳନୀ ବ୍ୟବସ୍ଥା ସୁଚାରୁ ରୂପେ ସଞ୍ଚାଳିତ କରିବାକୁ ପ୍ରଦେଶ ସଂଗଠନ ବିଜେପିର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ, ସାଂସଦ ନନ୍ଦକୁମାର ସିଂହ ଚୌହାନ, ବିଧାୟକ ରମେଶ ମେନ୍ଦାଲା, ପ୍ରଦେଶ ମହାମନ୍ତ୍ରୀ କବିତା ପଟିଦାରଙ୍କୁ ପ୍ରଭାରୀ ନିଯୁକ୍ତି କରାଯାଇଛି। କୃଷକ ସମ୍ମିଳନୀକୁ ବିଜେପି ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟବର୍ଗିୟ ଏବଂ ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ସମ୍ବୋଧନ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.