ସଢେଇରେ ତିଆରି ମାସ୍କ ପିନ୍ଧି ଡ୍ୟୁଟି କରୁଥିଲେ ସିକ୍ୟୁରିଟି ଗାର୍ଡ, ପୋଲିସ ଧରିବା ପରେ ଏମିତି ଦେଲା ସଜା

Published By : Prameya-News7 Bureau | September 11, 2021 IST

ନୂଆଦିଲ୍ଲୀ ୧୧/୦୯ : କରୋନା ଆସିବା ଦିନଠାରୁ, ଲୋକଙ୍କୁ ଅନେକ ନୂଆ ନିୟମ ଅନୁସରଣ କରିବାକୁ ପଡୁଛି। ମାସ୍କ ଠାରୁ ଆରମ୍ଭ କରି ସାମାଜିକ ଦୂରତା ପରି ନିୟମ ବର୍ତ୍ତମାନ ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି। ଆଜିକାଲି ତ ଏତେ ପ୍ରକାରର ମାସ୍କ ସାମ୍ନାକୁ ଆସିଲାଣି ଯେ ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କେହି ରାସ୍ତାରେ ପ୍ଲାଷ୍ଟିକର ମାସ୍କ ଲଗାଇଥିବା ଦେଖାଯାଇଛି, ତ ଆଉ କେହି ବନ୍ଧାକୋବି ପତ୍ରରେ । ବର୍ତ୍ତମାନ ଇଣ୍ଡୋନେସିଆର ଜଣେ ବ୍ୟକ୍ତି ଏପରି ଏକ ମାସ୍କ ତିଆରି କରିଛନ୍ତି, ଯାହା ଦେଖିବା ପରେ ଲୋକେ ହସିହସି ବେଦମ ହୋଇଯାଇଛନ୍ତି। ଏହି ବ୍ୟକ୍ତି ଏକ ସ୍ୱତନ୍ତ୍ର ମାସ୍କ ତିଆରି କରିଛନ୍ତି, ତାହା ପୁଣି ନଡ଼ିଆ ସଡେଇରୁ।

{"width":654,"height":654}

ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ବ୍ୟକ୍ତି ଜଣକ ନଡ଼ିଆ ସଡେଇର ମାସ୍କ ପିନ୍ଧିଥିବାର ନଜର ଆସିଛନ୍ତି। ନନଗାହ ବୁଡିଆସା ନାମକ ଏହି ବ୍ୟକ୍ତି ଇଣ୍ଡୋନେସିଆର ଏକ ପାର୍କିଂରେ କାମ କରନ୍ତି। ମାସ୍କ ଲଗାଇବା ବାଧ୍ୟତାମୂଳକ ହୋଇଥିବାରୁ, ତାଙ୍କୁ ସିଟି ବଜାଇବା ପାଇଁ ବାରମ୍ବାର ମାସ୍କ ବାହାର କରିବାକୁ ପଡୁଛି। ଏହା ବ୍ୟତୀତ, ମାସ୍କ ବାରମ୍ବାର କାଢିବା ହେତୁ ରବର ଢିଲା ହୋଇଯାଉଛି। ଏହି ସମସ୍ୟାର ସମାଧାନ ପାଇଁ ସେ ଏକ ସ୍ୱତନ୍ତ୍ର ମାସ୍କ ତିଆରି କରିଛନ୍ତି।

ସେ ନଡ଼ିଆ ସଡେଇରେ ଏକ ମାସ୍କ ତିଆରି କରିଛନ୍ତି। ସଡେଇ ମଝିରେ ଏକ ଗାତ କରି ସେଥିରେ ତାଙ୍କ ଦ୍ୱିସିଲ୍‌କୁ ପୁରାଇଛନ୍ତି। ଯାହାଫଳରେ ତାଙ୍କୁ ସିଟି ମାରିବା ପାଇଁ ବାରମ୍ବାର ମାସ୍କ କାଢିବାକୁ ପଡିବ ନାହିଁ। ପୋଲିସ ଏହା ବିଷୟରେ ଜାଣିବାକୁ ପାଇବାପରେ ନନଗାହଙ୍କୁ ଧରି ତାଙ୍କୁ ଦଣ୍ଡିତ କରିଛି। କରୋନା ନିର୍ଦ୍ଦେଶାବଳୀ ଅନୁଯାୟୀ ପୋଲିସ ତାଙ୍କଠାରୁ ଜରିମାନା ତ ଆଦାୟ କରିପାରି ନାହିଁ, କିନ୍ତୁ ସେ ତାଙ୍କୁ ଦଣ୍ଡ ଦେଇଛି। ଦଣ୍ଡ ସ୍ୱରୂପ ପୋଲିସ ତାଙ୍କୁ ପୁସଅପ୍ କରାଇଛି। ଏଥିସହିତ ସେ ନନଗାହଙ୍କୁ ଅନ୍ୟ ଏକ ମାସ୍କ ପିନ୍ଧିବାକୁ କହିଛି। ପୋଲିସକୁ ସ୍ପଷ୍ଟୀକରଣ ଦେବାବେଳେ ନନଗାହ କହିଛନ୍ତି ଯେ ହ୍ୱିସିଲ ସମସ୍ୟା ହେତୁ ସେ ଏହି ମାସ୍କ ତିଆରି କରିଛନ୍ତି। ତାଙ୍କର ଉଦ୍ଦେଶ୍ୟ କୌଣସି ପ୍ରକାର ନିୟମ ଭାଙ୍ଗିବା ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.