ଉତ୍ତର ଜାଭା ଲାକି ଦ୍ୱୀପ ନିକଟରେ ଖସିପଡିଛି ଶ୍ରୀୱିଜୟ ଏୟାରଲାଇନ୍ସ ବିମାନ: ଇଣ୍ଡୋନେସିଆ ପରିବହନ ମନ୍ତ୍ରୀ
9/01/2021 at 10:49 PM

ଜାକାର୍ତ୍ତା ୯।୧: ଇଣ୍ଡୋନେସିଆ ଜାକାର୍ତା ବିମାନ ବନ୍ଦରରୁ ଶନିବାର ଉଡାଣ କରିଥିବା ଶ୍ରୀୱିଜୟ ଏୟାରଲାଇନ୍ସର ବୋଇଂ-୭୩୭-୫୦୦ ଘରୋଇ ଉଡାଣ ସଂଖ୍ୟା ଏସ୍ୱାଇଜେ-୧୮୨ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ସୂଚନା ଦେଇଛନ୍ତି ଇଣ୍ଡୋନେସିଆ ପରିବହନ ମନ୍ତ୍ରୀ ବୁଦି କରାୟା ସୁମାଡି। ଦୁର୍ଘଟଣାଗ୍ରସ୍ତ ବିମାନରେ ୧୨ ଜଣ ଚାଳକଦଳ ସଦସ୍ୟଙ୍କ ସମେତ ମୋଟ ୬୫ ଜଣ ଯାତ୍ରୀ ଥିଲେ ବୋଲି ସେ କହିଛନ୍ତି।

ଜାକାର୍ତ୍ତା ବିମାନ ବନ୍ଦରରୁ ସ୍ଥାନୀୟ ସମୟ ଅପରାହ୍ଣ ୨ଟା ୩୬ମିନିଟରେ ଉଡାଣ କରିବାର ୪ ମିନଟ୍ ପରେ ବିମାନ ସହ ଯୋଗାଯୋଗ ବିଛିନ୍ନ ହୋଇଥିଲା। ବିମାନର ଧ୍ୱଂସାବଶେଷ ଉତ୍ତର ଜାଭା ଦ୍ୱୀପ ଶୃଙ୍ଖଳାର ଲାକି ଦ୍ୱୀପ ନିକଟରେ ଠାବ ହୋଇଥିବା ପରିବହନ ମନ୍ତ୍ରୀ ସୂଚିତ କରିଛନ୍ତି।

ବିମାନ ଏକ ଘଣ୍ଟା ବିଳମ୍ବରେ ଉଡାଣ କରିଥିଲା। ତେବେ ମାତ୍ର ୪ ମିନିଟ୍ ପରେ ବିମାନ ସହ ଯୋଗାଯୋଗ ବିଛିନ୍ନ ହେବାର କଣ୍ଟ୍ରୋଲିଂ ଟାୱାର ସୂଚିତ କରିବା ପରେ ବିମାନ ବନ୍ଦରରେ ହଇଚଇ ସୃଷ୍ଟି ହୋଇଥିଲା। ବିମାନ ୧୦ ହଜାର ଫୁଟ ଉଚ୍ଚରେ ଉଡୁଥିବା ବେଳେ ପାଇଲଟ ୨୯ ହଜାର ଫୁଟକୁ ବିମାନ ଉଠାଇବା ନିମନ୍ତେ ନିୟନ୍ତ୍ରକଙ୍କ ସହ ଶେଷ ସମ୍ପର୍କ ସ୍ଥାପନା କରିଥିଲେ।

ବିମାନଟି ଜାକାର୍ତ୍ତାରୁ ବୋର୍ଣ୍ଣିଓ ଦ୍ୱୀପସ୍ଥିତ ପଶ୍ଚିମ କାଲିମନ୍ତନ ପ୍ରାନ୍ତର ରାଜଧାନୀ ପୋଣ୍ଟିୟାନକ୍ ଯାଉଥିବା ରାସ୍ତାରେ ଖସିପଡିଛି। ବିମାନର ଉଡାଣ ଅବଧି ମାତ୍ର ୯୦ ମିନିଟ୍ ତେବେ ୪ ମିନିଟ୍ରେ ଶେଷ ଯାତ୍ରାରେ ପରିଣତ ହୋଇଛି। ବିମାନଟି ଥାଉଜେଣ୍ଡ ଦ୍ୱୀପ ସମୂହର ଲାନଚାଙ୍ଗ ଏବଂ ଲାକି ଦ୍ୱୀପର ମଧ୍ୟବର୍ତ୍ତି ସ୍ଥାନରେ ଖସିପଡିଥିବା ପରିବହନ ମନ୍ତ୍ରୀ କହିଛନ୍ତି। ବିମାନର ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଲାଗି ୪ଟି ଯୁଦ୍ଧପୋତ ସମେତ ୧୨ରୁ ଊର୍ଦ୍ଧ୍ୱ ଜାହାଜ ମୂତୟନ ହୋଇଛନ୍ତି।