କୁଆଡେ ଗଲା ଇଣ୍ଡୋନେସିଆ ବୁଡାଜାହାଜ ? ଦ୍ୱିତୀୟ ଦିନରେ ତଲାସୀ ଅଭିଯାନ, ସହାୟତାର ହାତ ବଢାଇଲେ ଭାରତ ସମେତ ସିଙ୍ଗାପୁର ଓ ଅଷ୍ଟ୍ରେଲିଆ

Published By : Prameya-News7 Bureau | April 22, 2021 IST

ଜାକର୍ତ୍ତା, ୨୨/୦୪: ମଝି ସମୁଦ୍ରରେ ନିଖୋଜ ହୋଇଗଲା ବୁଡା ଜାହାଜ । ଜାହାଜରେ ଥିଲେ ୫୩ ଯାତ୍ରୀ । କାହାରି ହେଲେ ବି ପତ୍ତା ମିଳୁନି । ବୁଧବାର  ଇଣ୍ଡୋନେସିଆରେ ଏକ ବୁଡାଜାହାଜ ୫୩ ଯାତ୍ରୀ ସହ ନିଖୋଜ ହେବା ଘଟଣାରେ ଉଦ୍ଧାର ଓ ସନ୍ଧାନକାର୍ଯ୍ୟ ଦ୍ୱିତୀୟ ଦିନରେ ପହଁଚିଛି। ଅଷ୍ଟ୍ରେଲିଆ, ଭାରତ ଓ ସିଙ୍ଗାପୁର ମଧ୍ୟ ସନ୍ଧାନକାର୍ଯ୍ୟରେ ଇଣ୍ଡୋନେସିଆକୁ ସାହାଯ୍ୟ କରୁଛନ୍ତି ।

ଇଣ୍ଡୋନେସିଆ ସେନାର ସୂଚନାନୁସାରେ, ବୁଧବାର ବାଲି ଦ୍ଵୀପ ନିକଟରେ ବୁଡାଜାହାଜ ନିଖୋଜ ହୋଇ ଯାଇଥିଲା। ସନ୍ଧାନକାର୍ଯ୍ୟ ଜୋରଦାର ଚାଲିଛି। କେଆରଆଇ ନାନଗଲା ୪୦୨ ବୁଧବାର ଏକ ପ୍ରଶିକ୍ଷଣ ଅଭିଯାନରେ ସାମିଲ  ହେବାକୁ ଯାଉଥିବା ବେଳେ ନିଖୋଜ ହୋଇ ଯାଇଥିବା ଖବର ମିଳିଥିଲା।

ସେନା ମୁଖ୍ୟ ହାଦି ଜାହାଜନ୍ତୋ କହିଛନ୍ତି ଯେ, ନିଖୋଜ ଜାହାଜର ସନ୍ଧାନ ପାଇଁ ସିଙ୍ଗାପୁର ଓ ଅଷ୍ଟ୍ରେଲିଆର ସହଯୋଗ ମଗାଯାଇଥି। ତେବେ ବୁଡାଜାହାଜ ସମୁଦ୍ରରୁ ୭୦୦ ମିଟର ଗଭୀର ଜଳରେ ବୁଡି ଯାଇଥିବା କିଛି ସ୍ଥାନୀୟ ଗଣମାଧ୍ୟମ କହିଛନ୍ତି। କିନ୍ତୁ ଜାହାଜ ନିଖୋଜ ହେବାର ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ କାରଣ ଜଣାପଡିନଥିବା ବେଳେ ସମୁଦ୍ର ବୁଡାଳିଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଏହାସହ ସୋନାର୍ ସିଷ୍ଟମ ଥିବା ଆଉ୨ଟି ଜାହାଜ ସନ୍ଧାନ ଅଭିଯାନରେ ସାମିଲ ହୋଇଛନ୍ତି । ଅଷ୍ଟ୍ରେଲିଆ ସରକାର ମଧ୍ୟ ଯଥାସମ୍ଭବ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ନିଖୋଜ ବୁଡାଜାହାଜରେ ୪୯ ସଦସ୍ୟ ସମେତ କମାଣ୍ଡର ଓ ତିନି ବନ୍ଧୁକଧାରୀ ଥିଲେ। ଜର୍ମାନୀ ନିର୍ମିତ ଏହି ବୁଡାଜାହାଜ ୧୯୮୧ ମସିହାରେ ଇଣ୍ଡୋନେସିଆର ନୌସେନାରେ ନିୟୋଜିତ ହୋଇଥିଲା  । ଇଣ୍ଡୋନେସିଆ ନୌସେନାରେ ବର୍ତ୍ତମାନ ୫ ବୁଡାଜାହାଜ ରହିଥିବା ବେଳେ ୨୦୨୪ ସୁଦ୍ଧା ଏହାକୁ ଆଠ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସରକାର ଯୋଜନା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.