ଇଣ୍ଡୋନେସିଆ ବିମାନ ଦୁର୍ଘଟଣା : ଭାରତୀୟ ପାଇଲଟ କ୍ୟାପଟେନ୍ ଭବ୍ୟେ ସୁନେଜା ଆସନ୍ତା ସପ୍ତାହରେ ଛୁଟି କଟାଇବା ପାଇଁ ଆସିଥାନ୍ତେ ଦିଲ୍ଲୀ

Published By : Prameya-News7 Bureau | October 30, 2018 IST

ଇଣ୍ଡୋନେସିଆର ଜାକର୍ତ୍ତାଠାରେ ସୋମବାର ଦିନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନର ପାଇଲଟ ଥିଲେ ଭବ୍ୟେ ସୁନେଜା । ସୁନେଜା ହେଉଛନ୍ତି ଜଣେ ଭାରତୀୟ। ୩୧ବର୍ଷ ବୟସ୍କ ସୁନେଜା ଦିଲ୍ଲୀ ମୟୁର ବିହାରର ବାସିନ୍ଦା। ତାଙ୍କ ପତ୍ନୀଙ୍କ ନାଁ ଗରିମା ସେଠୀ। ଗରିମା ଇଣ୍ଡିଆନ୍ ଏକ୍ସପ୍ରେସର ଦିଲ୍ଲୀ କାର୍ଯ୍ୟାଳୟରେ ପୂର୍ବରୁ ଆକାଉଣ୍ଟସ ଅଫିସର୍ ଭାବେ କାମ କରୁଥିଲେ। ଦୁଇ ଦିନ ତଳେ ସେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି କରଓ୍ବାଚୈାଥ ବ୍ରତ କରିଥିଲେ। ବ୍ରତ ପାଇଁ ପିନ୍ଧିଥିବା ଶାଢ଼ୀର ଫଟୋ ଉଠାଇ ସୋଶିଆଲ ମିଡିଆରେ  ସେୟାର ମଧ୍ୟ କରିଥିଲେ। ଆସନ୍ତା ସପ୍ତାହରେ ସୁନେଜା ଲମ୍ବାଛୁଟି ନେଇ ଦିଲ୍ଲୀ ଆସିବାର ଥିଲା। ସେଥିପାଇଁ ସେ ଉତ୍ସାହିତ ଥିଲେ। ନିଜ ଅନ୍ତରଙ୍ଗ ସାଙ୍ଗମାନଙ୍କ ଗ୍ରୃପରେ ଏହା ପୋଷ୍ଟ କରି ପାର୍ଟି ପାଇଁ ପ୍ରସ୍ତୁତ ରହିବାଲାଗି ସାଙ୍ଗମାନଙ୍କୁ କହିଥିଲେ। ସାଧାରଣତଃ ଛୁଟିରେ ଦିଲ୍ଲୀ ଆସିଲେ ସୁନେଜା ସାଙ୍ଗସାଥୀ ଓ ପତ୍ନୀଙ୍କୁ ନେଇ ବିଭିନ୍ନ ସ୍ଥାନକୁ ବୁଲି ଯାଇଥାନ୍ତି। ଏଥର ମଧ୍ୟ ସୁନେଜା ଉତ୍ତରପ୍ରଦେଶର ମାନେଶ୍ବର ବୁଲି ଯିବା ପାଇଁ ଯୋଜନା କରିଥିଲେ। ସୁନେଜା ମୟୁର ବିହାର ସ୍ଥିତ ଆଲକନ୍ ପବ୍ଲିକ୍ ସ୍କୁଲରୁ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ। ୨୦୦୯ମସିହାରେ ସେ ପାଇଲଟ ଲାଇସେନ୍ସ ପାଇଥିଲେ। ୨୦୧୧ମସିହାରେ ସେ ଇଣ୍ଡୋନେସିଆର ଲାୟନ୍ ଏୟାରରେ ଯୋଗ ଦେଇଥିଲେ।  କ୍ୟାପଟେନ୍ ସୁନେଜା ଏହି ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ବୋଲି ଇଣ୍ଡୋନେସିଆ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ସୁନେଜାଙ୍କର ୬ ହଜାର ଘଣ୍ଟାର ଫ୍ଲାଇଟ୍ ଅଭିଜ୍ଞତା ଥିବା ବେଳେ ତାଙ୍କ ସହ ଥିବା କୋ-ପାଇଲଟ୍ ହର୍ବିନୋଙ୍କର ମଧ୍ୟ ୫ ହଜା ଘଣ୍ଟାର ଏକ୍ସପେରିଏନ୍ସ ଥିଲା । ସୋମବାର ସକାଳ ୬ଟା ୨୦ ମିନିଟରେ ରାଜଧାନୀ ଜାକର୍ତ୍ତାରୁ ଉଡ଼ାଣ ଆରମ୍ଭ କଲା ଲାୟନ୍ ଏୟାରର ବୋଇଂ 737 MAX-8 । ପଙ୍ଗକଲ୍ ପିନାଙ୍ଗ୍ ଅଭିମୁଖେ ଏହା ଉଡ଼ାଣ କରିଥିଲା । କିନ୍ତୁ ସମୁଦ୍ର ଉପରକୁ ଯିବାର କେଇ ମିନିଟ୍ ଯାଇନି ପାଇଲଟ୍ ଫେରିବାକୁ ଚାହିଁଥିଲେ । ଏୟାର୍ ଟ୍ରାଫିକ୍ କଂଟ୍ରୋଲ୍ ସହ ଯୋଗାଯୋଗ କରୁ କରୁ ତାଙ୍କୁ ଅନୁମତି ମିଳିଲା । କିନ୍ତୁ ସଙ୍ଗେ ସଙ୍ଗେ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା । ସୋମବାର ରାଜଧାନୀ ଜାକର୍ତ୍ତାରୁ ଉଡ଼ାଣ କରିବାର ୧୩ ମିନିଟ୍ ପରେ ଭୋର ସମୟରେ ଘଟିଥିଲା ଏମିତି ଦୁର୍ଘଟଣା । ସମୁଦ୍ରରେ ବୁଡ଼ିଗଲା ଲାଇନ୍ ଏୟାରର ବୋଇଂ 737 MAX-8 । ଆଉ ୮ କ୍ରୁ ମେମ୍ବର ଏବଂ ୧୮୧ ଯାତ୍ରୀଙ୍କ ବାବଦରେ ଏଯାଏଁ ଖୋଜ୍ ଖବର ମିଳିନି । ଗତକାଲିଠାରୁ ୨୦୦ଜଣ ଖୋଜିବା କାମରେ ଲାଗିଛନ୍ତି। କିନ୍ତୁ କାହାକୁ ଖୋଜାଯାଇପାରିନାହିଁ । ସେମାନଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ସମୁଦ୍ର ପତନ ଠାରୁ ୧୧୧୩ ମିଟର ଉଚ୍ଚରେ ଥିବା ବେଳେ ଏୟାର୍ ଟ୍ରାଫିକ୍ କଂଟ୍ରୋଲ୍ ସହ ବିମାନର ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା । ଉଡ଼ାଣର କିଛି ସମୟ ପରେ ବିମାନରେ କି ତ୍ରୁଟି ଦେଖାଦେଲା, ତାହା ଏଯାଏଁ ସ୍ପଷ୍ଟ ହୋଇପାରିନି । ତଥାପି ଏୟାର୍ ଟ୍ରାଫିକ୍ ରାଡାର୍ ଏବଂ ବିମାନର ପତ୍ତା ମିଳିବା ପରେ କକପିଟ୍ ଭଏସ୍ ରେକର୍ଡରରୁ ତଥ୍ୟ ସଂଗ୍ରହ କରାଯିବ । ଇଣ୍ଡୋନେସିଆର ନାସନାଲ୍ କମିଶନ୍ ଫର୍ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବିଭାଗ, ବୋଇଂ ଦୁର୍ଘଟଣାର ତଦନ୍ତ କରିବ । ୨୦୧୪ ଇଣ୍ଡୋନେସିଆରେ ଏହା ବଡ଼ ବିମାନ ଦୁର୍ଘଟଣା । ୨୦୧୪ ଡିସେମ୍ବରରେ ସମୁଦ୍ରରେ ଏୟାର୍ ଏସିଆର ଏକ ବୋଇଂ ବିମାନ ବୁଡ଼ି ଯାଉଥିଲା । ଯେଉଁଥିରେ କ୍ରୁ ମେମ୍ବରଙ୍କୁ ମିଶାଇ ୧୬୨ ଜଣ ନେଇଥିଲେ ସଲୀଳ ସମାଧି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.