ଭାରତକୁ ପଛରେ ପକାଇ ଏସିଆରେ କରୋନାର ନୂଆ ଗଡ ପାଲଟିଲା ଇଣ୍ଡୋନେସିଆ

Published By : Prameya-News7 Bureau | July 14, 2021 IST

ଜାକର୍ତ୍ତା ୧୪/୦୭ : ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭାଇରସର ଡେଲଟା ଭାରିଏଣ୍ଟ ବର୍ତ୍ତମାନ ଇଣ୍ଡୋନେସିଆରେ ଘାତକ ରୂପ ଧାରଣା କରିଛି। ଭାରତକୁ ପଛରେ ପକାଇ ଇଣ୍ଡୋନେସିଆ ଏସିଆରେ କରୋନାର ନୂଆ ଗଡ ପାଲଟିଛି। ଇଣ୍ଡୋନେସିଆରେ ଲଗାତାର ଦୁଇ ଦିନ ହେଲା କରୋନା ସଂକ୍ରମଣ ମାମଲା ୪୦ ହଜାର ପାର କରୁଛି। ଅଧିକାରୀ ଚେତାବନୀ ଦେଇଛନ୍ତି ଯେ ଡେଲଟା ଭାରିଏଣ୍ଟ ବର୍ତ୍ତମାନ ଜାଭାର ଜନବସତିରୁ ବାହାରି ଅନ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବିସ୍ତାର କରୁଛି।

ଜାପାନୀ ଖବରକାଗଜ ନିକ୍କେଇ ଏସିଆ ଅନୁଯାୟୀ, ଇଣ୍ଡୋନେସିଆରେ ମଙ୍ଗଳବାର ଦିନ ୪୭ ହଜାର ୮୯୯ ନୂଆ ମାମଲା ସାମ୍ନାକୁ ଆସିଛି। ଇଣ୍ଡୋନେସିଆ ସ୍ୱାସ୍ଥ୍ୟମନ୍ତ୍ରୀ ବୁଦି ସାଦିକିନ କହିଛନ୍ତି ଯେ ଦେଶରେ ଏବେ ବି ଅନେକ ହସ୍ପିଟାଲରେ ବେଡ଼ ଖାଲି ଅଛି କିନ୍ତୁ ଡେଲଟା ଭାରିଏଣ୍ଟ ପ୍ରକୋପ ଯୋଗୁଁ ଅନେକ ଅଞ୍ଚଳରେ କରୋନା ସଂକ୍ରମଣ ମାମଲା ବଦୂତ ଅଧିକ ରହିଛି। ଇଣ୍ଡୋନେସିଆରେ ଗତ କିଛି ଦିନ ହେଲା ଅକ୍ସିଜେନ ସଙ୍କଟ ଦେଖାଦେଇଛି। ଭାରତ ଭଳି ଇଣ୍ଡୋନେସିଆରେ ମଧ୍ୟ ଅକ୍ସିଜେନ ପାଇଁ ଲୋକଙ୍କୁ ଲମ୍ବା ଲାଇନରେ ଅପେକ୍ଷା କରିବାକୁ ପଡୁଛି। ସ୍ଥିତି ଏତେ ଦୟନୀୟ ହୋଇପଡିଛି ଯେ ଅକ୍ସିଜେନ ଆଶାରେ ଲୋକଙ୍କର ନିଜ ଘରେ ହିଁ ମୃତ୍ୟୁ ହୋଇଯାଉଛି।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଡେଲଟା ଭାରିଏଣ୍ଟ ବର୍ତ୍ତମାନ ଜାଭା ଯାଏଁ ସୀମିତ ରହିଛି କିନ୍ତୁ ବର୍ତ୍ତମାନ ଲାମପୁଙ୍ଗ, ପୂର୍ବ କାଲିମାଂତନ, ଦକ୍ଷିଣ ସୁମାତ୍ରା ଭଳି ଅନ୍ୟ ଅଞ୍ଚଳରେ ମଧ୍ୟ ବିସ୍ତାର କରିବାକୁ ଲାଗିଲାନି। ଏହିସବୁ ଅଞ୍ଚଳରେ ମଧ୍ୟ କଟକଣା କଡାକଡି କରାଯାଇଛି।

ଯଦି ସଂକ୍ରମଣ ମାମଲା ଦେଖାଯାଏ ତାହେଲେ ଏସିଆରେ ଭାରତରେ ମାମଲା ସବୁଠାରୁ ଅଧିକ ରହିଛି। ଭାରତରେ ଏବେ ଯାଏଁ ୪ ଲକ୍ଷ ୧୦ ହଜାର ମହାମାରୀରେ ପ୍ରାଣ ହରାଇ ସାରିଛନ୍ତି। ଏହାପରେ ଇଣ୍ଡୋନେସିଆ ରହିଛି। ଇଣ୍ଡୋନେସିଆରେ ୬୮ ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଛି।

ଆମେରିକାର ପ୍ରାୟ ୪୯ ପ୍ରତିଶତ ଲୋକ ଭ୍ୟାକସିନ ନେଇ ସାରିଛନ୍ତି। ୭୭ ପ୍ରତିଶତ ଜନତା ପ୍ରାୟ ଗୋଟିଏ ଡୋଜ ନେଇସାରିଛନ୍ତି। ତଥାପି ଅଧା ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଇଛି। କାଲିଫର୍ନିଆ, ଟେକ୍ସସ, ନ୍ୟୁୟର୍କ ଓ ଫ୍ଲୋରିଡ଼ାରେ ସବୁଠାରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି। ୮୦ ପ୍ରତିଶତ ନୂଆ ମାମଲାରେ କରୋନାର ଡେଲଟା ଭାରିଏଣ୍ଟ କାରଣ ବୋଲି କୁହାଯାଉଛି।

ବିଶ୍ୱର ଅନେକ ଦେଶରେ କରୋନା ମାମଲା ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ବିଶ୍ୱରେ ୫ ଲକ୍ଷ ୮ ହଜାର ୧୫୨ ନୂଆ ମାମଲା ସାମ୍ନାକୁ ଆସିଛି। ୮୧୦୨ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି। ନୂଆ ସଂକ୍ରମିତଙ୍କ ସଂଖ୍ୟା ଗତ ୪୫ ଦିନରେ ସର୍ବାଧିକ ରହିଛି। ଏହା ପୂର୍ବରୁ ମେ' ୨୯ ତାରିଖରେ ୫.୦୧ ଲକ୍ଷ ମାମଲା ସାମ୍ନାକୁ ଆସିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.