ଇଣ୍ଡୋନେସିଆରେ ବନ୍ୟା ଭସାଇନେଲା ପୋଲ, ୭ ମୃତ ୩ ନିଖୋଜ
20/01/2020 at 3:43 PM

ବେଙ୍ଗକୁଲୁ : ଇଣ୍ଡୋନେସିଆରେ ବନ୍ୟା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଭାସିଯାଇ ୩ ଜଣ ନିଖୋଜ ଅଛନ୍ତି। ଦେଶର ବେଙ୍କକୁଲୁ ପ୍ରାନ୍ତର କୌର ଜିଲ୍ଲାରେ ଏଭଳି ଅଘଟଣ ଘଟଛି। ଲୋକେ ଯେଉଁ ପୋଲ ଉପରେ ଛିଡା ହୋଇ ବନ୍ୟା ଦେଖୁଥିଲେ ସେହି ପୋଲଟି ହିଁ ଭାସିଯାଇଛି। ସ୍ଥାନୀୟ ଲୋକେ ନିଖୋଜଙ୍କ ଉଦ୍ଧାର ଲାଗି ଉଦ୍ୟମ ଜାରି ରଖିଥିବା ଇଣ୍ଡୋନେସିଆ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣର ଜନୈକ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ଇଣ୍ଡୋନେସିଆରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ପ୍ରାନ୍ତରେ ବନ୍ୟା ଆସିଛି। ଏଥିରେ ବେଙ୍ଗକୁଲୁ ଜିଲ୍ଲାରେ ପରିସ୍ଥିତି ଉଦବେଗଜନକ ରହିଛି। ପୋଲଟି ବନ୍ୟାରେ ବୁଡି ରହିଥିବା ବେଳେ ଲୋକେ ତା ଉପରେ ଆତଯାତ ହେଉଥିଲେ। ନଦୀରେ ବଢୁଥିବା ଜଳସ୍ତର ଦେଖିବା ଲାଗି ପୋଲ ଉପରେ ଲୋକେ ଛିଡା ହୋଇଥିବା ବେଳେ ଏହା ଭାସିଯିବା ସହ ବୁଡି ଯାଇଛି। ଲୋକମାନେ ବେଶ ଦୂରକୁ ଭାସିଯାଇଥିବା ଅନୁମାନ କରାଯାଉଛି।

ଯେଉଁଠି ପୋଲଟି ପାଣିକୁ ଧସିପଡିଛି ସେଠାରୁ କିଛି କିଲୋମିଟର ଦୂରରୁ ଉଦ୍ଧାରକାରୀ ଶବ ଉଦ୍ଧାର କରିଛନ୍ତି। ଇଣ୍ଡୋନେସିଆ ପାଣିପାଗ ବିଭାଗ ସୋମବାର ମଧ୍ୟ ବର୍ଷା ଲାଗି ସତର୍କତା ଜାରି କରିଛନ୍ତି। ଏଥିରେ ବେଙ୍ଗକୁଲୁ ଜିଲ୍ଲାକୁ ମଧ୍ୟ ସତର୍କ କରାଯାଇଛି। ଏଠାରେ ଝଡ ବତାସ ସହ ବର୍ଷା ଆଶଙ୍କା କରାଯାଉଥିବା ପାଣିପାଗ ବିଭାଗ ସୂଚିତ କରିଛନ୍ତି। ଡିସେମ୍ବର ମାସ ଶେଷରୁ ଇଣ୍ଡୋନେସିଆରେ ପାଗ ଖରାପ ରହିଛି। ବର୍ଷା ଓ ବନ୍ୟା ଯୋଗୁ ଦେଶରେ ୧୬ଟୁ ମସଜିଦ୍ ପ୍ରଭାବିତ ହୋଇଥିବା ସରକାରୀ ଭାବେ କୁହାଯାଇଛି।