ଇଣ୍ଡୋନେସିଆ ବିମାନ ଦୁର୍ଘଟଣା, ମିଳିଲା ଭଗ୍ନାବଶେଷ ଓ ମଣିଷ ଶରୀରର ଅଙ୍ଗପ୍ରତ୍ୟଙ୍ଗ, ସର୍ଚ୍ଚ ଅପରେସନ ଜାରି

Published By : Prameya-News7 Bureau | January 10, 2021 IST

ଜାକର୍ତ୍ତା,୧୦/୦୧: ଇଣ୍ଡୋନେସିଆରେ ଏକ ବଡ ଧରଣର ବିମାନ ଦୁର୍ଘଟଣା ଘଟିଛି । ବିମାନଟି ଶନିବାର ଜାକର୍ତ୍ତାରୁ ଉଡାଣ ଭରିଥିଲା । ଏହାପରେ ଏହା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ବିମାନରେ ମୋଟ୍ ୧୨ ଜଣ କର୍ମଚାରୀ ଓ ୬୨ ଯାତ୍ରୀ ଥିଲେ ।ଏବେ ଦୁର୍ଘଟଣାସ୍ଥଳରେ ମାନବ ଶରୀରର ଅଙ୍ଗ ମିଳିଛି । ଏନେଇ ଇଣ୍ଡୋନେସିଆର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ପରିବହନ ମନ୍ତ୍ରୀ ବୁଦୀ କରିୟା ସୁମାଡି କହିଛନ୍ତି ଯେ, ଶ୍ରୀବିଜୟ ଏୟାରଲାଇନ୍ସର ଏସଜେ ୧୮୨ ଦିନ ୨ଟା ୩୬ରେ ଉଡାଣ ଭରିଥିଲା । ଏକ ଘଣ୍ଟା ପରେ ଏହା ସହ ସମ୍ପର୍କ ଛିନ୍ନ ହୋଇଥିଲା । ପାଇଲଟ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରଙ୍କର ସହ କଥା ହେବାର ୪ ମିନିଟ୍ ପରେ ବିମାନଟି ରାଡାରରୁ ଗାଏବ ହୋଇଯାଇଥିଲା ।

ଏୟାରଲାଇନ୍ସର ବୟାନ ଅନୁସାରେ, ବିମାନଟି ବୋର୍ଣ୍ଣିୟା ଦ୍ୱୀପର ପଶ୍ଚିମ ପ୍ରାନ୍ତର ରାଜଧାନୀ ଜାକର୍ତ୍ତାଠୁ ୯୦ ମିନିଟର ଉଡାଣ ଭରିଥିଲା । ଏଥିରେ ୫୦ ଜଣ ଯାତ୍ରୀ ଓ ୧୨ ଜଣ କର୍ମଚାରୀ ଥିଲେ । ସମସ୍ତ ବିମାନଯାତ୍ରୀ ଇଣ୍ଡୋନେସିଆର ନାଗରିକ ଥିଲେ ।

ସୁମାଡି କହିଛନ୍ତି ଯେ, ୪ଟି ଯୁଦ୍ଧ ଜାହାଜ ସହ ୧୨ରୁ ଅଧିକ ଜାହାଜ ଲଙ୍ଗାଙ୍ଗ ଦ୍ୱୀପ, ଲାକୀ ଦ୍ୱୀପର ଉତ୍ତରରେ ଥିବା ଅନ୍ୟ ଦ୍ୱୀପପୁଞ୍ଜରେ ସନ୍ଥାନ କରୁଛନ୍ତି । ଉଦ୍ଧାର କାର୍ଯ୍ୟ ଓ ସର୍ଚ୍ଚ ଅପରେସନ ଜାରି ରହିଛି । ନ୍ୟାସନାଲ୍ ସର୍ଚ୍ଚ ଆଣ୍ଡ ରେସକ୍ୟୁ ଏଜେନ୍ସିର ମୁଖ୍ୟ ବଙ୍ଗାଗ୍ ସୂର୍ଯ୍ୟୋ ଆଜି କହିଛନ୍ତି ଯେ, ବିମାନର ଭଗ୍ନାବଶେଷ ମାଛଧରାଳି ଠାବ କରିଥିଲେ । ଅଧିକ ଯାଞ୍ଚ ପାଇଁ ମିଳିଥିବା ଭଗ୍ନାବଶେଷକୁ ଲ୍ୟାବକୁ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.