ଆଜି ଭାରତର ଦିବଂଗତ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଇନ୍ଦିରା ଗାନ୍ଧିଙ୍କ ତିରୋଧାନ ଦିବସ
31/10/2018 at 10:54 AM

ନୂଆଦିଲ୍ଲୀ ୩୧|୧୦: ଆଜି ଭାରତର ଦିବଂଗତ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଇନ୍ଦିରା ଗାନ୍ଧିଙ୍କର ତିରୋଧାନ ଦିବସ । ଏହି ଅବସରରେ ସମଗ୍ର ଦେଶ ଦିବଂଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ସ୍ମରଣ କରିଛି। ଭାରତର ପ୍ରଥମ ଏବଂ ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ୧୯୮୪ ମସିହା ଅକ୍ଟୋବର ୩୧ ତାରିଖ ଦିନ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନଠାରେ ହତ୍ୟା କରାଯାଇଥିଲା। ନିଜ ଦୁଇ ଅଙ୍ଗରକ୍ଷୀଙ୍କ ଗୁଳିରେ ଟଳି ପଡ଼ିଥିଲେ ଇନ୍ଦିରା ଗାନ୍ଧି। ତାଙ୍କ ଶରୀରରୁ ପ୍ରାୟ ୩୧ଟି ଗୁଳି ବାହାର କରାଯାଇଥିଲା । ତାଙ୍କ ମୃତ୍ୟୁ ପରେ ଦିଲ୍ଲୀ ସମେତ ଦେଶର କେତେକ ସ୍ଥାନରେ ଶିଖ୍ ମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଯାହା ଫଳରେ ବହୁ ଲୋକଙ୍କର ମୃତ୍ୟୁ ହୋଇଥିଲା ।
ତେବେ ମୃତ୍ୟୁର ପୂର୍ବଦିନ ମାନେ ଅକ୍ଟୋବର ୩୦ରେ ଇନ୍ଦିରା ଶେଷ ଭାଷଣ ଭୁବନେଶ୍ବର ସ୍ଥିତି ଇନ୍ଦିରା ପାର୍କରେ ଦେଇଥିଲେ । ଆଉ ବିଶାଳ ଜନତାଙ୍କ ସହ ଏଠାରେ ହି ତାଙ୍କର ଅନ୍ତିମ ଭେଟଘାଟ ହୋଇଥିଲା ।
ଏହି ଅବସରରେ ଇନ୍ଦିରା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧି ଗଭୀର ସନ୍ତୋଷର ସହ ଇନ୍ଦିରାଙ୍କୁ ସ୍ମରଣ କରିଛନ୍ତି । ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସହ ରାହୁଲ ଗାନ୍ଧି ଶକ୍ତିସ୍ଥଳଠାରେ ଥିବା ଇନ୍ଦିରାଙ୍କ ସମାଧିରେ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି। କଂଗ୍ରେସ ବହୁ ବରିଷ୍ଠ ନେତା ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।