ଭୀଷଣ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଇଣ୍ଡିଗୋ ବିମାନ, ୨୩୩ ଯାତ୍ରୀ ସୁରକ୍ଷିତ
13/01/2021 at 4:41 PM

ଶ୍ରୀନଗର ୧୩।୧: ଜମ୍ମୁ-କାଶ୍ମୀର ବିମାନ ବନ୍ଦରରେ ବୁଧବାର ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଟଳିଯାଇଛି। ଇଣ୍ଡିଗୋ ଏୟାରଲାଇନ୍ସ ବିମାନ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଥିବା ବେଳେ ସମସ୍ତ ଯାତ୍ରୀ ଓ ଚାଳକ ଦଳ ସଦସ୍ୟ ସୁରକ୍ଷିତ ଥିବା ଜଣାପଡିଛି। ଘଟଣା ବେଳେ ବିମାନରେ ୨୩୩ ଜଣ ଯାତ୍ରୀ ଥିଲେ।

ମିଳିଥିବା ସୂଚନା ଅନୁସାରେ ଇଣ୍ଡିଗୋ ଏୟାରଲାଇନ୍ସଙ୍କ ବିମାନ ସଂଖ୍ୟା ୬ଇ-୨୫୫୯ ଶ୍ରୀନଗରରୁ ଦିଲ୍ଲୀ ଉଡାଣ କରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଜମ୍ମୁ-କାଶ୍ମୀରରେ ଏବେ ଭୀଷଣ ହୀମପାତ ହେଉଛି। ଏଥିରେ ଶ୍ରୀନଗର ଏୟାରପୋର୍ଟ ରନୱେରୁ ହଟାଯାଇଥିବା ବରଫକୁ ଗୋଟିଏ କୋଣରେ ଗଦାଇ ଦିଆଯାଇଥିବା ବେଳେ ବିମାନଟି ଉଡାଣ ଆରମ୍ଭ କରିବାମାତ୍ରେ ଏଥିରେ ଫଶିଯାଇଥିଲା।

ବିମାନର ଡାହାଣପଟ ଇଞ୍ଜିନଟି ବରଫ ଗଦାରେ ପିଟିହେବା ଯୋଗୁ ଭୀଷଣ ଶବ୍ଦ ହେବା ସହ ଥରି ଉଠିଥିଲା। ତେବେ ବିମାନ ବନ୍ଦର କର୍ତ୍ତୃପକ୍ଷ ତୁରନ୍ଦ ପଦକ୍ଷେପ ନେବା ସହ ବିମାନରୁ ସମସ୍ତ ୟାତ୍ରୀଙ୍କୁ ଓହ୍ଲାଇଦେଇଥିଲେ। ପରେ ବିମାନକୁ ସମ୍ପୂର୍ଣ୍ଣ ଯାଞ୍ଚ କରିବା ପରେ ପୁଣି ଦିଲ୍ଲୀ ଅଭିମୁଖେ ଛଡାଯାଇଥିଲା।