ଘରୋଇ ଉଡାଣ ପାଇଁ ଏହିସବୁ ଏୟାରଲାଇନ୍ସ କମ୍ପାନୀ ଆରମ୍ଭ କଲେ ଟିକେଟ ବୁକିଙ୍ଗ

Published By : Prameya-News7 Bureau | May 19, 2020 IST

ନୂଆଦିଲ୍ଲୀ ୧୯/୦୫ : ଦେଶ ବ୍ୟାପି ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଲାଗୁ ହୋଇଛି | ଚତୁର୍ଥ ପର୍ଯ୍ୟାୟ ଲକଡାଉନ ମେ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ | ମେ ୩୧ ତାରିଖ ପର୍ଯ୍ୟନ୍ତ ବାଣିଜ୍ୟିକ ବିମାନ ସେବା ନିଲମ୍ବିତ ହୋଇଥିବାବେଳେ ଏୟାରଲାଇନ୍ସ କମ୍ପାନୀ ଜୁନରୁ ବିମାନ ସେବା ଆରମ୍ଭ କରିବାକୁ ବୁକିଂ ଆରମ୍ଭ କରିଛି | ସୂଚନାଯୋଗ୍ୟ ଯେ, କରୋନା ଯୋଗୁଁ ଦେଶ ବ୍ୟାପି ଜାରି ରହିଥିବା ଲକଡାଉନ ଯୋଗୁଁ ମାର୍ଚ୍ଚ ୨୫ ତାରିଖରୁ ସମସ୍ତ ଘରୋଇ ଏବଂ ଅନ୍ତରାଷ୍ଟ୍ରୀୟ ବିମାନ ସେବା ମେ ୩୧ ତାରିଖ ଯାଏଁ ନିଲମ୍ବିତ ରହିଛି | ତେବେ ପରିଚାଳନା ଆରମ୍ଭ କରିବା ଦିଗରେ ସରକାରଙ୍କ ତରଫରୁ କୌଣସି ନିର୍ଦେଶ ଦିଆଯାଇନାହିଁ |

ଏକ ସୂତ୍ରରୁ ପ୍ରକାଶ ପାଇଛି ଯେ, ଘରୋଇ ବିମାନ କମ୍ପାନୀ ଜୁନରୁ ସେବା ଆରମ୍ଭ କରିବା ପାଇଁ ବୁକିଂ ଆରମ୍ଭ କରିଛନ୍ତି | ସ୍ପାଇସଜେଟ ସୂତ୍ରରୁ ଜଣାପଡିଛି ଯେ, କମ୍ପାନୀ ଜୁନ ୧୫ ତାରିଖରୁ ଅନ୍ତରାଷ୍ଟ୍ରୀୟ ଉଡାଣ ପାଇଁ ବୁକିଂ ଆରମ୍ଭ କରିଛି |

ଇଣ୍ଡିଗୋ ସୂତ୍ରରୁ ଜଣାପଡିଛି ଯେ କମ୍ପାନୀ ଘରୋଇ ଉଡାଣ ପାଇଁ ବୁକିଂ ଆରମ୍ଭ କରିଛି | ତେବେ ବୁକିଂ ଆରମ୍ଭ କରିବା ପାଇଁ ସ୍ପାଇସଜେଟ, ଇଣ୍ଡିଗୋ, ବିସ୍ତାରା ଏବଂ ଗୋ ଏୟାର ତରଫରୁ କୌଣସି ଅଧିକାରୀଙ୍କ ଟିପ୍ପଣୀ ଆସିନାହିଁ | ସୋମବାର ଦିନ ଭାରତୀୟ ବିମାନ ଯାତ୍ରୀ ଆସୋସିଏସନ (ଏପିଏଆଇ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁଧାକର ରେଡ୍ଡୀ ବୁକିଂ ଆରମ୍ଭ କରିବାକୁ କିଛି ଏୟାରଲାଇନ୍ସ କମ୍ପାନୀ ସହ ଆଲୋଚନା କରିଛନ୍ତି | ସେ ଟ୍ୱିଟ ଜରିଆରେ ଦାବି କରି କହିଛନ୍ତି ଯେ, ସେମାନେ ଭାବୁଛନ୍ତି, ଇଣ୍ଡିଗୋ, ସ୍ପାଇସଜେଟ, ଗୋ ଏୟାର ଅନ୍ତରାଷ୍ଟ୍ରୀୟ ଉଡାଣ ପାଇଁ ବୁକିଂ ଆରମ୍ଭ କରିଛନ୍ତି | କାରଣ ସେମାନେ ଭାବୁଛନ୍ତି ଯେ ଜୁନ ୧ ତାରିଖ ସୁଦ୍ଧା ବିମାନ ପରିଚାଳନା ଆରମ୍ଭ ହେବ | ତେବେ ଏହିସବୁ ଚକ୍କରରେ ନ ପଡ଼ିବାକୁ ସେ କହିଛନ୍ତି | କାରଣ ସରକାରଙ୍କ ତରଫରୁ ସ୍ପଷ୍ଟ ନ ହେବା ଯାଏଁ ଟିକେଟ ବୁକ କରିବା ଅନୁଚିତ | ସରକାରୀ ତାରିଖ ଘୋଷଣା ନ ହେବା ଯାଏଁ ଟିକେଟ ବୁକିଂ କଲେ ଯାତ୍ରୀଙ୍କ ଟଙ୍କା ବାକି ଖାତାକୁ ଚାଲିଯିବ | ସେଥିପାଇଁ ନିଜ ଟଙ୍କା ସୁରକ୍ଷିତ ରଖିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.