ଇଣ୍ଡିଗୋ ଏୟାରଲାଇନ୍ସ କର୍ମଚାରୀଙ୍କ ପାଇଁ ପୁଣି ସଙ୍କଟ, ବିନା ଦରମାରେ ଛୁଟିରେ ପଠାଉଛି କମ୍ପାନୀ

Published By : Prameya-News7 Bureau | June 01, 2021 IST

ନୂଆଦିଲ୍ଲୀ ୧।୬: ଇଣ୍ଡିଗୋ ଏୟାରଲାଇନ୍ସର କର୍ମଚାରୀ ପୁଣି ସଙ୍କଟର ସାମ୍ନା କରିବାକୁ ଯାଉଛନ୍ତି । କମ୍ପାନୀ ବିନା ଦରମାରେ କର୍ମଚାରୀଙ୍କୁ ଛୁଟିରେ ପଠାଇବାକୁ ଆରମ୍ଭ କରିଛି । ପାଇଲଟମାନଙ୍କୁ ଜୁନ୍ ୧ରୁ ଆଗାମୀ ୩ ମାସ ପାଇଁ ମାସରେ ୩ ଦିନର ବାଧ୍ୟତାମୂଳକ ଛୁଟିରେ ପଠାଯିବ । କୁହାଯାଉଛି ଯେ, ୮୦% ଯୋଗ୍ୟ ପାଇଲଟ୍ ଇଣ୍ଡିଗୋ ଏୟାରଲାଇନ୍ସ ସହିତ ଜଡିତ ଅଛନ୍ତି ।

ଗତ ବର୍ଷ ମଧ୍ୟ ଲକଡାଉନରେ ବିନା ଦରମାରେ ୧୦ ଦିନ ଛୁଟିରେ ପଠାଯାଇଥିଲା । ଏଥର ସମସ୍ତ କର୍ମଚାରୀଙ୍କୁ ଚାକିରି ପ୍ରୋଫାଇଲ ଆଧାରରେ ୧.୫ରୁ ୪ ଦିନ ବିନା ଦରମାରେ ଛୁଟିରେ ପଠାଇବାକୁ ପ୍ରସ୍ତୁତି ଚାଲିଛି ।

ଉଲ୍ଲେଖଯୋଗ୍ୟ ଯେ, ଭାରତରେ କରୋନା ଭାଇରସର ସଂକ୍ରମଣ ବଢି ବଢି ଚାଲିଛି । ଏଭଳି ପରିସ୍ଥିତି ଯୋଗୁଁ ଦେଶର ବିମାନ ଚଳାଚଳ କ୍ଷେତ୍ରକୁ ବହୁ କ୍ଷତି ହୋଇଛି । ଏହାର ପ୍ରଭାବ ଦେଶର ପ୍ରମୁଖ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋ ଉପରେ ମଧ୍ୟ ପଡିଛି ।

ଗତ ବର୍ଷ ଲକଡାଉନରେ କମ୍ପାନୀ ତାର ୧୦ ପ୍ରତିଶତ କର୍ମଚାରୀଙ୍କ ଛଟେଇ ନେଇ ଘୋଷଣା କରିଥିଲା । ମେ’ ମାସ ପରଠୁ ଇଣ୍ଡିଗୋ ତାର ବରିଷ୍ଠ କର୍ମଚାରୀଙ୍କ ଦରମା ୩୫ ପ୍ରତିଶତ ପର୍ଯ୍ୟନ୍ତ କାଣ୍ଟଛାଟ କରିଥିଲା ।

ଗତ ମାସରେ ଇଣ୍ଡିଗୋର ସହାୟକ କମ୍ପାନୀ ଏଜାଇଲ ଏୟାରପୋର୍ଟ ସର୍ଭିସେସର ଏକ ଦଳ ଧର୍ମଘଟ କରିଥିଲେ । କର୍ମଚାରୀଙ୍କ ଧର୍ମଘଟ କରୁଥିବା ଦଳ ତୁରନ୍ତ ଦରମା ବୃଦ୍ଧି କରିବାକୁ ଦାବି କରୁଥିଲା । କର୍ମଚାରୀମାନେ ଗୋଆରେ ଧର୍ମଘଟ କରିଥିଲେ । ଯାହାଦ୍ବାରା ବିମାନ ସେବା ପ୍ରଭାବିତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.