ଓମିକ୍ରନ ବିପଦ: ନଅ ଦିନ ଘୁଞ୍ଚିଲା ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ, ଡିସେମ୍ବର ୨୬ରୁ ଟେଷ୍ଟ ସିରିଜ୍

Published By : Prameya-News7 Bureau | December 04, 2021 IST

ନୂଆଦିଲ୍ଲୀ ୦୪।୧୨: କରୋନାର ନୂତନ ଭାରିଏଣ୍ଟ ଓମିକ୍ରନ ମଧ୍ୟରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ପ୍ରସ୍ତୁତ ହୋଇଛି। କିନ୍ତୁ ଏହି ଗସ୍ତରେ ଟି-୨୦ ସିରିଜ୍ ବାତିଲ୍ କରାଯାଇଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କେବଳ ଟେଷ୍ଟ ଏବଂ ଦିନିକିଆ ସିରିଜ୍ ଖେଳାଯିବ। ଟେଷ୍ଟ ସିରିଜ୍‌ର ତାରିଖ ମଧ୍ୟ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ପ୍ରଥମ ଟେଷ୍ଟ ଡିସେମ୍ବର ୧୭ ପରିବର୍ତ୍ତେ ଡିସେମ୍ବର ୨୬ରେ ଖେଳାଯିବ। ଏହାର ଘୋଷଣା ବିସିସିଆଇର ବାର୍ଷିକ ସାଧାରଣ ବୈଠକ ପରେ କରାଯାଇଛି। କ୍ରିକେଟ୍ ଦକ୍ଷିଣ ଆଫ୍ରିକା ମଧ୍ୟ ତାରିଖ ପରିବର୍ତ୍ତନର ସୂଚନା ଦେଇଛି।

ଓମିକ୍ରନର ବିପଦ କାରଣରୁ ବଦଳିଲା କାର୍ଯ୍ୟସୂଚୀ

ଦୁଇ କ୍ରିକେଟ୍ ବୋର୍ଡ ଆଜି ସକାଳେ ଗସ୍ତର ଭବିଷ୍ୟତକୁ ନେଇ ଆଲୋଚନା ଚଳାଇଥିଲେ। ଓମିକ୍ରନ ଭାରିଏଣ୍ଟ କାରଣରୁ ଅନେକ ଦେଶ ଦକ୍ଷିଣ ଆଫ୍ରିକା ସହ ନିଜର ବିମାନ ସେବା  ବାତିଲ୍ କରିବା ସହ ଯାତ୍ରା ଉପରେ ମଧ୍ୟ କଟକଣା ଲଗାଇଛି।

ଓମିକ୍ରନ ଦୁନିଆର ୩୦ରୁ ଅଧିକ ଦେଶରେ ପହଞ୍ଚି ସାରିଛି। ଭାରତରେ ଅଦ୍ୟାବଧିକ ତିନୋଟି ମାମଲା ଚିହ୍ନଟ ହୋଇଛି। ଏହା ସତ୍ତ୍ଵେ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତ ବାତିଲ୍ କରିନାହିଁ। ଏବେ ଏହି ସିରିଜ୍ ଡିସେମ୍ବର ୧୭ ବଦଳରେ ଡିସେମ୍ବର ୨୬ରୁ ଆରମ୍ଭ ହେବ। ଦୁଇ ଦଳ ମଧ୍ୟରେ ତିନୋଟି ଟେଷ୍ଟ ଏବଂ ତିନୋଟି ଦିନିକିଆ ମ୍ୟାଚ୍‌ର ସିରିଜ୍ ଖେଳାଯିବ।

କ୍ରିକେଟ୍ ସାଉଥ୍ ଆଫ୍ରିକା ଏହା ମଧ୍ୟ କହିଛି,  ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ କରୋନା ପ୍ରୋଟୋକଲର କଡାକଡି ପାଳନ କରାଯିବ। ଏଥିରେ କୌଣସି ପ୍ରକାରର ଅବହେଳା କରାଯିବ ନାହିଁ। ମ୍ୟାଚ୍‌ର ଆୟୋଜନସ୍ଥଳରେ ମଧ୍ୟ କରୋନା ବିପଦକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ। ଯଦ୍ଵାରା ଖେଳାଳି ସୁରକ୍ଷିତ ଅନୁଭବ କରି ପାରିବେ। ସିରିଜ୍ ସମୟରେ କଡା ବାୟୋ ବବଲ ଭିତରେ ଖେଳାଳିଙ୍କୁ ରଖାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.