ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ

Published By : Prameya-News7 Bureau | January 19, 2022 IST

ନୂଆଦିଲ୍ଲୀ ୧୯।୦୧: ଭାରତର ଷ୍ଟାର ମହିଳା ଟେନିସ୍ ଖେଳାଳି ସାନିଆ ମିର୍ଜା ଟେନିସ୍‌ରୁ ଅବସର ଘୋଷଣା କରିଛନ୍ତି। ଅଷ୍ଟ୍ରେଲିଆନ ଓପନ ଖେଳିବା ପାଇଁ ଅଷ୍ଟ୍ରେଲିଆରେ ଥିବା ସାନିଆ କହିଛନ୍ତି ୨୦୨୨ ତାଙ୍କର ଶେଷ ସିଜିନ ହେବ। ଅର୍ଥାତ ଚଳିତ ବର୍ଷ ତାଙ୍କୁ ଶେଷ ଥର କୋର୍ଟରେ ଦେଖିବାକୁ ମିଳିବ।  ବୁଧବାର ସାନିଆ ମହିଳା ଡବଲ୍ସର ପ୍ରଥମ ରାଉଣ୍ଡରେ ପରାଜିତ ହୋଇଛନ୍ତି।

ସେ ଏବଂ ତାଙ୍କର ୟୁକ୍ରେନ ଯୋଡି ନାଦିଆ କିଚେନୋକଙ୍କ ଯୋଡି ସ୍ଲୋଭିକିଆର ତମାରା ଜିଡାନସକେ ଏବଂ କାଜା ଯୁବାନଙ୍କ ଯୋଡିଙ୍କଠୁ ୪-୬, ୬-୭ ସେଟ୍‌ରେ ପରାଜିତ ହୋଇଛନ୍ତି। ଏଥିସହ ମହିଳା ଡବଲ୍ସର ପ୍ରଥମ ମୁକାବିଲାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛନ୍ତି। ତେବେ ଅଷ୍ଟ୍ରେଲିଆନ ଓପନରେ ସାନିଆଙ୍କ ମିକ୍ସ ଡବଲ୍ସ ମ୍ୟାଚ୍ ବାକି ରହିଛି। ସେ ଆମେରିକାର ରାଜୀବ ରାମଙ୍କ ସହିତ କୋର୍ଡକୁ ଓହ୍ଲାଇବେ।

ସାନିଆ କହିଛନ୍ତି ୨୦୨୨ ମୋର ଶେଷ ସିଜିନ୍ ହେବ। ମୁଁ ପ୍ରତି ସପ୍ତାହ ପ୍ରସ୍ତୁତି କରୁଛି। କିନ୍ତୁ ଏହା ନିଶ୍ଚିତ ନୁହେଁ ଯେ, ମୁଁ ଆଗାମୀ ସମୟରେ ପୂରା ସିଜିନ୍ ଖେଳି ପାରିବି କି ନାହିଁ। ପ୍ରଥମ ରାଉଣ୍ଡରେ ପରାସ୍ତ ହେବା ପରେ ସାନିଆ କହିଛନ୍ତି ମୋତେ ଲାଗୁଛି ମୁଁ ଆହୁରି ଉନ୍ନତ ଖେଳି ପାରିଥାନ୍ତି। ମାତ୍ର ଏବେ ଶରୀରର ଆଉ ସମର୍ଥନ କରୁନାହିଁ। ଏହା ହିଁ ମୋ ପାଇଁ ସବୁଠୁ ବଡ ଦୁଃଖ।

ଜିତିଛନ୍ତି ୬ ଗ୍ରାଣ୍ଡ ସ୍ଲାମ

ସାନିଆ ମିର୍ଜା ମହିଲା ଡବଲ୍ସରେ ୨୦୧୬ରେ ଅଷ୍ଟ୍ରେଲିଆନ ଓପନ, ୨୦୧୫ରେ ଓ୍ଵିମ୍ବଲଣ୍ଡନ ଏବଂ ୟୁଏସ ଓପନ ଟାଇଟଲ୍ ଜିତିଥିଲେ। ସେହିପ ରି ମିକ୍ସ ଡବଲ୍ସରେ ସେ ୨୦୦୯ରେ ଅଷ୍ଟ୍ରେଲିଆନ ଓପନ, ୨୦୧୨ରେ ଫ୍ରେଞ୍ଚ ଓପନ ଏବଂ ୨୦୧୪ରେ ୟୁଏସ ଓପନ ଜିତିଥିଲେ।

୨୦୦୩ରେ ଆରମ୍ଭ  ହୋଇଥିଲା କ୍ୟାରିୟର

୩୫ ବର୍ଷୀୟ ସାନିଆ ଭାରତର ସବୁଠୁ ବଡ ମହିଳା ଟେନିସ୍ ଖେଳାଳି। ସେ ଟେନିସ୍‌ରେ ନିଜର ପେଶାଦାର କ୍ୟାରିୟର ୨୦୦୩ରେ ଆରମ୍ଭ କରିଥିଲେ। ଗତ ୧୯ ବର୍ଷ ଧରି ସେ ନିୟମିତ ଟେନିସ୍ ଖେଳି ଆସୁଛନ୍ତି ଏବଂ ଅନେକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାରତକୁ ଜିତାଇଛନ୍ତି। ସେ ନିଜ କ୍ୟାରିୟରରେ ଡବଲ୍ସରେ ଏକ ନମ୍ବର ଖେଳାଳି ମଧ୍ୟ ରହିଛନ୍ତି।

କହୁଣୀ ଆଘାତ ଯୋଗୁଁ ସିଙ୍ଗଲ୍ସ ମ୍ୟାଚ୍ ଛାଡିଥିଲେ

ସାନିଆଙ୍କୁ କୋହୁଣୀଜନିତ ସମସ୍ୟା କାରଣରୁ ସିଙ୍ଗଲ୍ସରୁ ହଟିବାକୁ ପଡିଥିଲା। ଭାରତର ଦୁଇ ମହିଳା ଟେନିସ୍ ଖେଳାଳି ଏ ପର୍ଯ୍ୟନ୍ତ ଡବ୍ଲ୍ୟୁଟିଏ ଟାଇଟଲ୍ ଜିତିଛନ୍ତି। ସେଥିରୁ ସାନିଆ ଜଣେ। ସେ ସିଙ୍ଗଲ୍ସର ଟପ୍ ୧୦୦ରେ ପହଞ୍ଚିବାରେ ଏକାକୀ ଭାରତୀୟ ମହିଳା ଖେଳାଳି। ସାନିଆ ୨୦୧୦ରେ ପାକିସ୍ତାନର ଷ୍ଟାର କ୍ରିକେଟ୍ ଖେଳାଳି ତଥା ପୂର୍ବତନ ଅଧିନାୟକ ସୋଏବ ମଲିକଙ୍କୁ ବିବାହ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.