ଜୁନ ୨୧ରେ ଟିକାକରଣରେ ଇତିହାସ ରଚିଲା ଭାରତ: ଗ୍ରାମାଞ୍ଚଳରେ ଦିଆଯାଇଛି ୬୩.୭ ପ୍ରତିଶତ ଟିକା-ସ୍ୱାସ୍ଥ୍ୟ ମନ୍ତ୍ରାଳୟ

Published By : Prameya-News7 Bureau | June 22, 2021 IST

ନୂଆଦିଲ୍ଲୀ ୨୨/୦୬ : ଭାରତ ଜୁନ ୨୧ ତାରିଖରେ ଗୋଟିଏ ଦିନରେ ୮୮.୦୯ ଲକ୍ଷ ଡୋଜ ଆଣ୍ଟି-କରୋନା ଟିକା ଦେଇ ଇତିହାସ ସୃଷ୍ଟି କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର ଦିନ ଏହି ସୂଚନା ଦେଇଛନ୍ତି। ଭୂଷଣ କହିଛନ୍ତି ଯେ ମଧ୍ୟପ୍ରଦେଶରେ ସର୍ବାଧିକ ୧୭ ଲକ୍ଷରୁ ଅଧିକ ଲୋକ ଡୋଜ ନେଇଛନ୍ତି। କର୍ଣ୍ଣାଟକରେ ୧୧ ଲକ୍ଷରୁ ଅଧିକ, ୟୁପିରେ ୭ ଲକ୍ଷରୁ ଅଧିକ, ବିହାରରେ ୫.୭୫ ଲକ୍ଷ, ହରିୟାଣା ଏବଂ ଗୁଜୁରାଟରେ ୫.୧୫ ଲକ୍ଷ, ରାଜସ୍ଥାନରେ ୪.୬୦ ଲକ୍ଷ, ତାମିଲନାଡୁରେ ୩.୯୭ ଲକ୍ଷ, ମହାରାଷ୍ଟ୍ରରେ ୩.୮୫ ଲକ୍ଷ ଏବଂ ଆସାମରେ ୩.୬୮ ଲକ୍ଷରୁ ଅଧିକ ଲୋକ ଟିକା ନେଇଛନ୍ତି। ଅନ୍ୟପକ୍ଷରେ, ନୀତି ଆୟୋଗ ସଦସ୍ୟ ଭି.କେ ପାଲ କହିଛନ୍ତି ଯେ ଗ୍ରାମାଞ୍ଚଳରେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ପାଲ କହିଛନ୍ତି ଯେ ଗ୍ରାମାଞ୍ଚଳରେ ୬୩.୭ ପ୍ରତିଶତ ଓ ସହରାଞ୍ଚଳରେ ୩୬ ପ୍ରତିଶତ ଟିକାକରଣ ହୋଇଛି।

ଗୋଟିଏ ଦିନରେ ଏତେ ସଂଖ୍ୟକ ଟିକାକରଣକୁ ନେଇ ପାଲ କହିଛନ୍ତି ଯେ, କାଲି ଯାହା ହୋଇଛି ତାହା ଅଚାନକ ହୋଇନି, ଏଥିପାଇଁ ସମନ୍ୱୟ ସହ ଯୋଜନା ପ୍ରସ୍ତୁତ ହୋଇଥିଲା। ଜୁନ ୧ ରୁ ୨୧ ଯାଏଁ ଦୈନିକ ଟିକାକରଣ ହାର ୩୪,୬୨,୮୪୧ ରହିଛି। ସେ କହିଛନ୍ତି ଯେ ୨୧ ତାରିଖରେ ଦେଶରେ ୮୮ ଲକ୍ଷ ୯ ହଜାର କୋଭିଡ ଟିକା ଦିଆଯାଇଛି। ମହିଳାଙ୍କୁ ୪୦ ଲକ୍ଷ ୪୩ ହଜାର ଓ ପୁରୁଷଙ୍କୁ ୪୭ ଲକ୍ଷ ୨୪ ହଜାର ୨୮୩ ଡୋଜ ଦିଆଯାଇଛି।

ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଡେଲଟା ଭାରିଏଣ୍ଟ ସମ୍ପର୍କରେ କହିଛନ୍ତି ଯେ ଡେଲଟା ଭାରିଏଣ୍ଟ ଭାରତ ସମେତ ୮୦ ଦେଶରେ ଚିହ୍ନଟ ହୋଇଛି। ଏହା ଚିନ୍ତାର କାରଣ ବୋଲି ସେ କହିଛନ୍ତି। ଡେଲଟା-ପ୍ଲସ ୯ ଦେଶରେ- ଆମେରିକା, ବ୍ରିଟେନ, ପର୍ତ୍ତୁଗାଲ, ସ୍ୱିଜରଲ୍ୟାଣ୍ଡ, ଜାପାନ, ପୋଲାଣ୍ଡ, ନେପାଳ, ଚୀନ ଓ ଋଷରେ ଚିହ୍ନଟ ହୋଇଛି। ଭାରତରେ ୨୨ ମାମଲା ଚିହ୍ନଟ ହୋଇଛି। ଡେଲଟା ପ୍ଲସ୍ ଭାରିଏଣ୍ଟର ୨୨ ମାମଲା ମଧ୍ୟରୁ ୧୬ ମାମଲା ରତ୍ନଗିରି ଓ ଜଳଗାଓଁରୁ ଚିହ୍ନଟ ହୋଇଛି ଓ ଅନ୍ୟ ୬ଟି ମାମଲା କେରଳ ଓ ମଧ୍ୟପ୍ରଦେଶରୁ ଚିହ୍ନଟ ହୋଇଛି।

ଡେଲଟା ଭାରିଏଣ୍ଟ ଉପରେ ଟିକାର ପ୍ରଭାବକୁ ନେଇ ରାଜେଶ ଭୂଷଣ କହିଛନ୍ତି ଯେ ଉଭୟ ଭାରତୀୟ ଭ୍ୟାକସିନ କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ଡେଲଟା ସଂକ୍ରମଣ ପାଇଁ ପ୍ରଭାବୀ। କିନ୍ତୁ କେତେ ପରିମାଣରେ ଏବଂ କେଉଁ ଅନୁପାତରେ ସେମାନେ ଆଣ୍ଟିବଡି ସୃଷ୍ଟି କରିବେ ସେନେଇ ଶୀଘ୍ର ସୂଚନା ଦାଯିବ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.