ଜୀବନ ଚିନ୍ତାରେ ଦେଶ ଛାଡ଼ି ଚାଲିଯିବାକୁ ବସିଛନ୍ତି ଧନୀକ, ବିଦେଶରେ କରିବେ ନୂଆ ଘର: ଭିସା-ପାସପୋର୍ଟ ପାଇଁ ଇନକ୍ବାରୀ ବଢ଼ିଛି ୪୦ ପ୍ରତିଶତ

Published By : Prameya-News7 Bureau | May 15, 2021 IST

ନୂଆଦିଲ୍ଲୀ ୧୫/୫: କରୋନାର ଦ୍ବିତୀୟ ଲହର ଭାରତରେ ତାଣ୍ଡବ ରଚିଛି। ହସ୍ପିଟାଲରେ ବେଡ୍‌ ମିଳୁନଥିବା ବେଳେ ଅକ୍ସିଜେନର ଅଭାବ ନେଇ ଅଭିଯୋଗ ହେଉଛି। ଲୋକେ କରୋନା ମହାମାରୀକୁ ନେଇ ଭୟ କରୁଛନ୍ତି। ଭୟ ଏତେ ମାତ୍ରାରେ ବୃଦ୍ଧି ପାଇଲାଣି ଯେ, ଲୋକେ ଦେଶ ଛାଡ଼ି ବିଦେଶରେ ରହିବାକୁ ଚିନ୍ତା କରୁଛନ୍ତି। ବିଶେଷ କରି ବଡ଼ ବଡ଼ ବ୍ୟବସାୟୀ, ଧନ୍ୟ ବ୍ୟକ୍ତି ବିଦେଶରେ ପରିବାର ସହ ରହିବାକୁ ଯୋଜନା କରୁଥିବା କୁହାଯାଉଛି।

ହସ୍ପିଟାଲରେ ଅବ୍ୟବସ୍ଥା, କରୋନା ପାଇଁ ଔଷଧର ଅଭାବ ଏପରିକି ଅକ୍ସିଜେନ ସଙ୍କଟକୁ ନେଇ ଧନୀମାନେ ଦେଶ ଛାଡ଼ିବାକୁ ମନସ୍ଥ କରୁଛନ୍ତି। ଇମିଗ୍ରେସନ ସ୍ପେଶାଲିଷ୍ଟଙ୍କ ତଥ୍ୟ ଉପରେ ବିଶ୍ବାସ କଲେ, କିଛି ଦିନ ମଧ୍ୟରେ ଭଲ ଜୀବନଶୈଳୀ ଏବଂ ସ୍ବାସ୍ଥ୍ୟ ସୁବିଧା ଦୃଷ୍ଟିରୁ ବିଦେଶ ଯିବା ଲୋକଙ୍କ ସଂଖ୍ୟା ବୃଦ୍ଧିପାଉଛି। ସେମାନଙ୍କ ପାଖକୁ ଲୋକେ ଏ ସମ୍ବନ୍ଧରେ ପଚରା ଉଚରା କରିବାକୁ ଅଧିକ ମାତ୍ରାରେ ଆସୁଛନ୍ତି। ବିଦେଶରେ ରହିବାକୁ ସୁବିଧା ଯୋଗାଉଥିବା ଇମିଗ୍ରେସନ ସ୍ପେଶାଲିଷ୍ଟଙ୍କ କହିବା କଥା, ଲୋକେ ବ୍ରିଟେନ୍‌, କାନାଡା, ପର୍ତ୍ତୁଗାଲ, ସାଇପ୍ରସ, ମାଲ୍ଟା, ଅଷ୍ଟେ୍ରଲିଆ ଏବଂ ଆମେରିକା ଭଳି ଦେଶକୁ ଯିବାକୁ ଚାହୁଁଛନ୍ତି।

ବିଶେଷଜ୍ଞଙ୍କ ମତରେ କରୋନାର ପ୍ରଥମ ଲହର ବେଳେ ଅର୍ଥାତ ୨୦୨୦ରେ ବିଦେଶୀ ଭାରତରେ କାର୍ଯ୍ୟ କରିବାକୁ ଚାହୁଁଥିଲେ। ବହୁ ଲୋକ ନିଜ କାମ ଛାଡ଼ି ଭାରତ ଚାଲିଆସିଥିଲେ। କିନ୍ତୁ ଏବେ ଲୋକେ ନିଜ ଦେଶ ଛାଡ଼ି ବିଦେଶ ଯିବାକୁ ଚାହୁଁଛନ୍ତି। ଶିକ୍ଷା, ହେଲ୍ଥ କେୟାର ଏବଂ ଭିତ୍ତିଭୂମିର ଖରାପ ସ୍ଥିତି ଯୋଗୁ ଲୋକେ ବିଦେଶ ଯିବାକୁ ଚାହୁଁଥିବା ବିଶେଷଜ୍ଞମାନେ କହିଛନ୍ତି।  ବହୁ ଭାରତୀୟ ଧନୀ ସ୍ପେନ୍‌, ଜର୍ମାନୀ, ଫ୍ରାନ୍ସ, ପୋଲାଣ୍ଡ, ଡେନମାର୍କ ଏବଂ ସ୍ବିଡେନ୍‌ରେ ପରିବାର ସହ ରହିବାକୁ ପସନ୍ଦ କରୁଛନ୍ତି। ଏହି ସବୁ ଦେଶରେ ଇଂରାଜୀ ଭାଷା ପ୍ରଚଳନ ନଥିବା ସତ୍ବେ ସେମାନେ ସେଠାକୁ ଯିବାକୁ ଚାହୁଁଛନ୍ତି।

ଏହା ବ୍ୟତୀତ ଭାରତୀୟଙ୍କ ପାଇଁ ଇଂଲଣ୍ଡ ମଧ୍ୟ ଆକର୍ଷଣ ସାଜିଛି। ଗତବର୍ଷ ଅପେକ୍ଷା ବିଦେଶ ଯିବାକୁ  ଇନକ୍ବାରୀ କରୁଥିବା ଲୋକଙ୍କ ସଂଖ୍ୟା ୪୦ ପ୍ରତିଶତ ବଢ଼ିଛି।  ପାଖାପାଖି ୨ କୋଟି ଭାରତୀୟ ବିଦେଶରେ ରହୁଛନ୍ତି। ୟୁଏଇରେ ୩୫ ଲକ୍ଷ, ଆମେରିକାରେ ୨୭ ଲକ୍ଷ, ସାଉଦି ଆରବରେ ୨୫ ଲକ୍ଷ ଲୋକ ରହୁଛନ୍ତି। ଏହା ସହ ବହୁ ଭାରତୀୟ ଅଷ୍ଟେ୍ରଲିଆ, କାନାଡା, କୁଏତ, ଓମାନ, ପାକିସ୍ତାନ, କତର ଏବଂ ବ୍ରିଟେନ୍‌ରେ ରହୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.