ଭାରତର କଡା ଆଭିମୁଖ୍ୟ ପରେ ନରମିଲା ବ୍ରିଟେନ୍, କୋଭିସିଲ୍ଡକୁ ଦେଲା ମାନ୍ୟତା

Published By : Prameya-News7 Bureau | September 22, 2021 IST

ନୂଆଦିଲ୍ଲୀ : କାମରେ ଆସିଲା ଭାରତର ଚାପ। ଶେଷରେ  ଭାରତର କଡା ଆଭିମୁଖ୍ୟ ଆଗରେ ନରମିଲା ବ୍ରିଟେନ। ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଦ୍ଵାରା ପ୍ରସ୍ତୁତ କରୋନା ଭ୍ୟାକ୍ସିନ କୋଭିସିଲ୍ଡକୁ ନିଜର ଯାତ୍ରା ନିୟମରେ ମାନ୍ୟତା ଦେଲା। ହେଲେ ଏଥିରେ ଆଉ ଗୋଟିଏ ପେଞ୍ଚ ରହି ଯାଇଛି।  ବ୍ରିଟେନ୍ ଯାଉଥିବା ଭାରତୀୟଙ୍କୁ ଏବେ ମଧ୍ୟ ବାଧ୍ୟତାମୂଳକ କ୍ଵାରେଣ୍ଟାଇନରେ ରହିବାକୁ ପଡିବ। ବ୍ରିଟେନ୍ ନିଜର ଯାତ୍ରା ନିୟମରେ ପରିବର୍ତ୍ତନ କରି କୋଭିସିଲ୍ଡକୁ ମଞ୍ଜୁରୀ ଦେଇଛି ସତ କିନ୍ତୁ  ଭାରତର ଭ୍ୟାକ୍ସିନ ସାର୍ଟିଫିକେଟକୁ ମଞ୍ଜୁରୀ ଦେଇ ନାହିଁ।  ଯେଉଁ କାରଣରୁ ତୃଣମୂଳସ୍ତରରେ ଭାରତୀୟ ଯାତ୍ରୀଙ୍କ ଟ୍ରାଭେଲ ପାଇଁ କୌଣସି ଖାସ୍ ପରିବର୍ତ୍ତନ କରାଯାଇ ନାହିଁ।

ନୂତନ ଗାଇଡଲାଇନ୍ ଅନୁଯାୟୀ, ଆଷ୍ଟ୍ରାଜେନେକା କୋଭିସିଲ୍ଡ, ଆଷ୍ଟ୍ରାଜେନେକା ବଜେଭରିଆ ଓ ମୋଡର୍ଣ୍ଣା ଟକିଡାର ଫର୍ମୁଲେସନକୁ ମାନ୍ୟତା ଦେଇଛି। କିନ୍ତୁ କୋଭିସିଲ୍ଡର ଦୁଇ ଡୋଜ୍ ନେଇଥିବା ଯାତ୍ରୀଙ୍କୁ ଏବେ ମଧ୍ୟ ୧୦ ଦିନିଆ କ୍ଵାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି। ବ୍ରିଟେନ୍ ସରକାର କହିଛନ୍ତି, ଭ୍ୟାକ୍ସିନ ସାର୍ଟିଫିକେଟକୁ ମାନ୍ୟତା ଦେବା ନେଇ ସେ ଭାରତ ସରକାରଙ୍କ ସହ ମିଶି କାମ କରୁଛନ୍ତି।

ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର ମିଳିତ ଭାଗିଦାରୀରେ ପ୍ରସ୍ତୁତ କରୋନା ଭ୍ୟାକ୍ସିନର ଫର୍ମୁଲାରେ ଭାରତରେ କୋଭିସିଲ୍ଡ ପ୍ରସ୍ତୁତ କରାଯାଉଛି। କିନ୍ତୁ ବ୍ରିଟେନ୍ କୋଭିଡ୍-୧୯ ଯାତ୍ରା ନିୟମରେ ପରିବର୍ତ୍ତନ କରି ଆଷ୍ଟ୍ରାଜେନେକା ଭ୍ୟାକ୍ସିନ ନେଇଥିବା ଲୋକଙ୍କୁ କ୍ଵାରେଣ୍ଟିନରେ କୋହଳ ଦେଇଥିବା ବେଳେ କୋଭିସିଲ୍ଡ ନେଇଥିବା ଲୋକଙ୍କୁ କ୍ଵାରେଣ୍ଟାଇନ ବାଧ୍ୟତାମୂଳକ କରିଛି। ଏହି କାରଣରୁ  ହିଁ ବିବାଦ  ବଢିଛି।  ଭାରତ ସରକାର ମଧ୍ୟ ମଙ୍ଗଳବାର କହିଥିଲେ ଯେ,  ବ୍ରିଟେନ୍ କରୋନା ଭ୍ୟାକ୍ସିନ କୋଭିସିଲ୍ଡକୁ ମାନ୍ୟତା ନଦେଇ ଭେଦଭାବ ଆଭିମୁଖ୍ୟ ଆପଣେଇଛି। ଯଦି ଏହାର କୌଣସି ସମାଧାନ କରାନଯାଏ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.