Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଦଳିବା ଦରକାର ଭାରତର ଇତିହାସ- କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ

12/09/2019 at 4:50 PM

ଭୁବନେଶ୍ୱର ୧୨।୦୯- ଭାରତର ଇତିହାସ ବଦଳିବା ଦରକାର । ବିଦେଶୀ ଐତିହାସିକ ମାନେ ଭାରତର ଇତିହାସକୁ ଅଲଗା ଢଙ୍ଗରେ ଲେଖି ଦେଶର ଲୋକଙ୍କ ଭିତରେ ବିଭେଦ ମଞ୍ଜି ବୁଣିଛନ୍ତି । ଧର୍ମ, ଭାଷା, ଅଞ୍ଚଳ ଭିତରେ ଲୋକଙ୍କ ମଧ୍ୟରେ ବିଭେଦ କରାଯାଇଛି । ତେଣୁ ଏସବୁ ବଦଳିବା ଦରକାର । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ  ଏକଥା କହିଛନ୍ତି ।  ପ୍ରତାପଙ୍କ ଯୁକ୍ତି, ହିନ୍ଦୁ- ଶିଖ୍ ଭିତରେ ଫରକ ଦେଖାଉଛନ୍ତି ଇତିହାସକାରମାନେ । ଉତ୍ତର ଭାରତ ଓ ଦକ୍ଷିଣ ଭାରତ ଭିତରେ ଭାଷା ଓ ସଂସ୍କୁତି ଫରକ ବୋଲି କହୁଛନ୍ତି ଇତିହାସକାର ମାନେ । ଯାହା ଠିକ୍ ନୁହେଁ । କିଛି ଇତିହାସକାର କହୁଛନ୍ତି ଭାରତ ବର୍ଷର କେତେକ ଆଦିମ ଅଧିବାସୀ ବାହାରୁ ଆସିଛନ୍ତି । ଆଦିବାସୀ ଓ ବ୍ରାହ୍ମଣଙ୍କ ଭିତରେ ବିଭେଦ ସୃଷ୍ଟି କରାଯାଇଛି । ଏସବୁ ଇତିହାସକୁ ବଦଳାଇବା ଆବଶ୍ୟକ ଅଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଯୁକ୍ତି ବାଢିଛନ୍ତି ।

ଆରଏସଏସ ଓ ବିଜେପିର କୋର୍ ଏଜେଣ୍ଡା ଅନୁଯାୟୀ ଦେଶର ଇତିହାସକୁ ପରିବର୍ତ୍ତନ କରିବା କଥା କହିବା ନୂଆ  ନୁହେଁ । ସେହିଯୁକ୍ତିରେ ପ୍ରତାପ ଷଡଙ୍ଗୀ ଇତିହାସ ପୁନର୍ଲିଖନ କଥା ଉଠାଇବା ସ୍ବାଭାବିକ । କିନ୍ତୁ ପ୍ରତାପ ଷଡଙ୍ଗୀ ଏବେ କେନ୍ଦ୍ରମନ୍ତ୍ରୀ ଥିବାରୁ ତାଙ୍କ ବୟାନକୁ ନେଇ ବବାଲ ଉଠିଛି । କଂଗ୍ରେସ ତାଛଲ୍ୟ କରିଛି,– ମୋଦି, ସାହା, ବାଜପେୟୀଙ୍କ ଇତିହାସ ଲେଖିବାକୁ ଚାହୁଁଛି ବିଜେପି । ସେଥିପାଇଁ ବୋଧେ ଇତିହାସ ପରିବର୍ତ୍ତନ ପାଇଁ ଦାବୀ କରୁଛନ୍ତି କେନ୍ଦ୍ରମନ୍ତ୍ରୀ । ବିଜେଡି କହିଛି ଇତିହାସ ପରିବର୍ତ୍ତନର ଆବଶ୍ୟକତା ନାହିଁ । ଯଦି କିଛି ନୂଆ ଜିନିଷ ଅଛି ବିଜେପି ନେତାଙ୍କ ପାଖରେ ତା ହେଲେ ତାକୁ ଲେଖାଯାଉ ।

ଇଂରେଜମାନେ ଭାରତର ଇତିହାସକୁ ବିକୃତ କରିଛନ୍ତି ବୋଲି ଅନେକ ଐତିହାସିକଙ୍କ ଯୁକ୍ତି । ଭାରତ ଉପରେ ବିଦେଶୀ ଆକ୍ରମଣ, ଭାରତର ପରାଧୀନତା ଉପରେ ଯେତିକି ଇତିହାସ ରଚନା ହୋଇଛି , ଭାରତୀୟଙ୍କ ବିଜୟ ଗାଥା ସେହି ଅନୁସାରେ ଲୋକଙ୍କ ପାଖକୁ ଆସିନି ବୋଲି ସମାଜର ଗୋଟିଏ ଗୋଷ୍ଠୀଙ୍କ ମତ । ଯାହାକୁ ଆରଏସଏସ ଓ ବିଜେପି ସମର୍ଥନ କରନ୍ତି । ସେଥିପାଇଁ କେନ୍ଦ୍ରମନ୍ତ୍ରୀ ଇତିହାସ ପରିବର୍ତ୍ତନ କଥା ଉଠାଇଛନ୍ତି ।

   Related Posts